ବେଳ ଥାଉ ଥାଉ ବାହୁଡ଼ି‌ଗଲେ ବିଜୟ, ପଞ୍ଚଭୂତରେ ବିଲୀନ ହେଲା ପାର୍ଥିବ ଶରୀର

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ

ଭୁବନେଶ୍ବର: ଶେଷଯାଏ ନାଟକର ମୋହ ଥିଲା। କିନ୍ତୁ ମୋହ ତୁଟାଇଦେଲା ସମୟ। ବେଳ ଥାଉ ଥାଉ ସେ ବାହୁଡ଼ିଗଲେ ଅଫେରା ରାଇଜକୁ। ଦୀର୍ଘ ୫ ଦଶନ୍ଧି ଧରି ଅଭିନୟ ମାୟାରେ କୋଟି କୋଟି ଓଡ଼ିଆଙ୍କୁ ବାନ୍ଧି ରଖିଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ବିଜୟ ମହାନ୍ତି ଶେଷରେ ମୋହମାୟାର ବନ୍ଧନ ତୁଟାଇ ପଞ୍ଚଭୂତରେ ବିଲୀନ ହୋଇଗଲେ। ତୋପ ସଲାମୀ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସତ୍ୟନଗର ଶ୍ମଶାନରେ ଶେଷ ହେଲା ଶେଷକୃତ୍ୟ। ଏଥି ସହିତ ଓଡ଼ିଆ ସିନେମା ଜଗତର ଏକ ସ୍ବର୍ଣ୍ଣିମ ଯୁଗର ଅବସାନ ଘଟିଲା। ମହାମାରୀ କୋଭିଡ୍‌ ପାଇଁ ସରକାରୀ ନିୟମ ମୁତାବକ ପରିବାର ସଦସ୍ୟ, ଚଳଚ୍ଚିତ୍ର ଜଗତର ଅନେକ ବ୍ୟକ୍ତିତ୍ବ ଏବଂ ଅଳ୍ପ କିଛି ବନ୍ଧୁ ସ୍ବଜନ ଉପସ୍ଥିତ ରହି ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ।

ଓଡ଼ିଆ ରୀତିନୀତି ଓ ପରମ୍ପରାକୁ ଭଲ ପାଉଥିବା ବିଜୟ ସୋମବାର ରାତିରେ ପବିତ୍ର ଚିତଉ ଅମାବାସ୍ୟାରେ ଦେହ ଛାଡ଼ିଥିଲେ। ରାତିରେ ତାଙ୍କ ମରଶରୀରକୁ କେଆର ହସ୍ପିଟାଲ୍‌ରେ ରଖାଯାଇଥିଲା। ଆଜି ସକାଳେ ତାଙ୍କ ଶେଷ ଦର୍ଶନ ପାଇଁ ହସ୍ପିଟାଲ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା। କାହା ମୁହଁରୁ କଥା ବାହାରୁ ନଥିଲା। ଶେଷ ଦର୍ଶନ ପାଇଁ ଆଖି ଅଥୟ ହୋଇପଡ଼ୁଥିଲା। ମରଶରୀରକୁ ହସ୍ପିଟାଲ୍‌ ବାହାରକୁ ସ୍ବତନ୍ତ୍ର ଗାଡ଼ିରେ ଆଣିବା ବେଳେ ଛଳଛଳ ହୋଇଯାଉଥିଲେ ସତୀର୍ଥ, ବନ୍ଧୁ ଓ ପ୍ରଶଂସକ।

ହସ୍ପିଟାଲ୍‌ରୁ ବମିଖାଲ ବୈଷ୍ଣବ ଆପାର୍ଟମେଣ୍ଟର ବାସଭବନକୁ ଏକ ପ୍ରକାର ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଅଣାଯାଇଥିଲା। କିଛି ବନ୍ଧୁ ଓ ଆତ୍ମୀୟସ୍ବଜନ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବିଧି ଅନୁସାରେ ତାଙ୍କ ମରଶରୀରକୁ କୋକେଇରେ ଶୁଆଇ ଗାଡ଼ି ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ଗାଡ଼ି ଯାଇ ପହଞ୍ଚିଥିଲା ଉତ୍କଳ ସଂଗୀତ ମହାବିଦ୍ୟାଳୟରେ। ହଜାର ହଜାର ପିଲାଙ୍କୁ ନାଟକର ଅ ଆ..ପଢ଼େଇଥିବା ଗୁରୁଦେବଙ୍କ ମରଶରୀରକୁ କଳାର ସେଇ ଅନ୍ତୁଡ଼ିଶାଳରେ ତୋପ ସଲାମୀ ଦିଆଯାଇଥିଲା। ଛାତ୍ରଛାତ୍ରୀମାନେ ଗୁରୁଙ୍କ ଶେଷ ଦର୍ଶନ ପାଇଁ ଭିଡ଼ ଜମେଇଥିଲେ। ‘ବିଜୟ ମହାନ୍ତି ଅମର ରହେ’ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ସଂଗୀତ ମହାବିଦ୍ୟାଳୟ ପରିସର।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ମୁନ୍ନା ଖାଁ, ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକଙ୍କ ସମେତ ପତ୍ନୀ ତନ୍ଦ୍ରା ରାୟ, ଉତ୍ତମ ମହାନ୍ତି, ଅଜିତ ଦାସ, ସବ୍ୟସାଚୀ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଅଶ୍ରୁମୋଚନ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ସବ୍ୟସାଚୀ, ଅଶୋକ ପତି, ମନୋଜ ମିଶ୍ର, ସଞ୍ଜୟ ନାୟକ, ରାଇମୋହନ ପରିଡ଼ା, ଓଡ଼ିଶା ସିନେ କଳାକାର ସଂଘର ସମ୍ପାଦକ ଶ୍ରୀତମ, ହରିହର, ଚୌଧୁରୀ ଜୟପ୍ରକାଶ, ଅଖିଳ ପଟ୍ଟନାୟକ, ସ୍ନିଗ୍ଧା ବୋଷ ମହାନ୍ତି, ମନୋଜ ପଟ୍ଟନାୟକ, ଓଡ଼ିଶା ନାଟ୍ୟ ସଂଘ ସଭାପତି ହରେନ ସାହୁ, ଲାଲା ବୀରେନ୍‌ ରାୟ, ଦେବାଶିଷ, ବିଦୁସ୍ମିତା, ପ୍ରଜ୍ଞା, ଶଙ୍କର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରୁ ତାଙ୍କୁ ସତ୍ୟନଗର ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ଜ୍ବାଇଁ ଦେବଦତ୍ତ ଦାସ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର