ସମସ୍ତଙ୍କ ପ୍ରଥମ ପସନ୍ଦ ଥିଲେ ବିଜୟ, ତାଙ୍କୁ ଝୁରିବ ଓଲିଉଡ୍

ଭୁବନେଶ୍ବର: କୋଟି କୋଟି ଓଡ଼ିଆଙ୍କର ପ୍ରିୟ ଅଭିନେତା ତଥା ରାଜ୍ୟ ସରକାରଙ୍କ ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ ବିଜୟ ମହାନ୍ତି ଏଭଳି ଜଣେ କଳାକାର ଥିଲେ ଯାହାଙ୍କୁ ଓଲିଉଡର ସବୁ ପ୍ରଯୋଜକ/ ନିର୍ଦେଶକ ଭଲ ପାଉଥିଲେ। ଏଇଥିପାଇଁ ତାଙ୍କୁ ସମସ୍ତେ ନିଜ ନିଜ ସିନେମାରେ ନେବାକୁ ଚାହୁଁଥିଲେ। ବୋଧହୁଏ ଏହି କାରଣରୁ ଓଡ଼ିଶାର ପ୍ରାୟ ସବୁ ପ୍ରଯୋଜକ/ ନିର୍ଦେଶକଙ୍କ ସହ ସେ କାମ କରିଥିଲେ। ସେ ବିଖ୍ୟାତ ନିର୍ମାତା ବସନ୍ତ ନାୟକ, ନିର୍ଦେଶକ ଗୋବିନ୍ଦ ତେଜଙ୍କ ଠାରୁ ଆରମ୍ଭ କରି ଏବେକାର ନିର୍ଦେଶକ ଆଶୁତୋଷଙ୍କ ଯାଏଁ ସମସ୍ତଙ୍କର ଥିଲେ ପ୍ରଥମ ପସନ୍ଦ।

ଓଲିଉଡର ସୋ’ମ୍ୟାନ୍ ତଥା ପ୍ରଖ୍ୟାତ ନିର୍ଦେଶକ ପ୍ରଶାନ୍ତ ନନ୍ଦ ବିଜୟ ମହାନ୍ତିଙ୍କ ସହ ତିନିଟି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିଲେ। ଏହି ସିନେମାଗୁଡ଼ିକ ହେଲା ସ୍ବପ୍ନସାଗର, ଡୋରା, ଏବଂ କାଳୀଶଙ୍କର। ଲୋକପ୍ରିୟ ନିର୍ଦେଶକ ୰ ମହମ୍ମଦ ମହସୀନଙ୍କ ନିର୍ଦେଶିତ ‘ଦଣ୍ଡାବାଳୁଙ୍ଗା’, ‘ସହରୀ ବାଘ’, ‘ଜନନୀ’, ‘ଜଗା ହାତରେ ପଘା’, ‘ମମତା ମାଗେ ମୂଲ’ ଏବଂ ‘ଲକ୍ଷ୍ମଣ ରେଖା’ ଆଦି ସିନେମାରେ ନଜର ଆସିଥିଲେ ବିଜୟ ମହାନ୍ତି।

ଅଶୀ ଓ ନବେ ଦଶକର ଅନ୍ୟତମ ଲୋକପ୍ରିୟ ନିର୍ଦେଶକ ଡି ବିଜୟ ଭାସ୍କର ଓ ଅଭିନେତା ବିଜୟ ମହାନ୍ତି ‘ଶଙ୍ଖାସିନ୍ଦୂର’, ‘ନାଗପଞ୍ଚମୀ’ ‘ଧର୍ମଦେବତା’ ଏବଂ ‘ପାଚେରି ଉଠିଲା ମଝି ଦୁଆରୁ’ ଆଦି ସିନେମାରେ ଏକାଠି କାମ କରିଥିଲେ।

ଜଣାଶୁଣା ନିର୍ଦେଶକ ସବ୍ୟସାଚୀ ମହାପାତ୍ର ବି ଏହି ସୌଭାଗ୍ୟରୁ ବଞ୍ଚିତ ହୋଇନାହାନ୍ତି। ସେ ବିଜୟ ମହାନ୍ତିଙ୍କ ସହ କେବଳ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିଲେ। ଏହି ସିନେମା ହେଲା ‘ବୋଉ’।

ଜଣାଶୁଣା ନିର୍ଦେଶକ ରବି କିନ୍ନାଗୀ ବି ନିଜ ନିର୍ଦେଶିତ ‘ସୁନା ଚଢେଇ’, ‘ଆମ ଘର ଆମ ସଂସାର’, ସିନ୍ଦୂର ନୁହେଁ ଖେଳଘର’, ‘ଭାଇ ହେଲା ଭଗାରୀ’  ଓ ‘ଭୀଷ୍ମ ପ୍ରତିଜ୍ଞା’ରେ ବିଜୟ ମହାନ୍ତିଙ୍କ ସହ କାମ କରିଥିଲେ।

ଆଜିକାର ଓଲିଉଡର ଲୋକପ୍ରିୟ ନିର୍ଦେଶକ ବସନ୍ତ ସାହୁ ‘କି ହେବ ଶୁଆ ପୋଷିଲେ’, ସୁଧାଂଶୁ ମୋହନ ସାହୁ ‘କିଏ ପୋଛିବ ମା’ ଆଖିର ଲୁହ’ ଓ ଅଶୋକ ପତି (ବାଜି) ପ୍ରଥମ ସିନେମାରେ ହିଁ  ବିଜୟ ମହାନ୍ତିଙ୍କ ସହ କାମ କରିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। ଏହାପରେ ବି ଏମାନେ ଅନେକ ବିଜୟ ମହାନ୍ତିଙ୍କ ସହ ପୁଣି କାମ କରିଛନ୍ତି।

ପ୍ରଖ୍ୟାତ ନିର୍ଦେଶକ ୰ହର ପଟ୍ଟନାୟକ କେବଳ ଦୁଇଟି ସିନେମା ‘ଭାଗ୍ୟ ହାତେ ଡୋରି’ ଏବଂ ‘ଆଇ ଲଭ୍ ୟୁ’ରେ ବିଜୟ ମହାନ୍ତିଙ୍କ ସହ କାମ କରିଥିଲେ।

ଏହାଛଡ଼ା ଲୋକପ୍ରିୟ ନିର୍ଦେଶକ ଶିଶିର ମିଶ୍ର, ସଂଗ୍ରାମ ବିଶ୍ବାଳ, ହିମାଂଶୁ ପରିଜା, ଅବତାର ସିଂହ, ସଞ୍ଜୟ ନାୟକ, ସୁଶାନ୍ତ ମଣି, ଦିଲୀପ ପଣ୍ଡା, ଜିତେନ୍ଦ୍ର ମହାପାତ୍ର ଓ  ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ମଧ୍ୟ ଜନପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କୁ ନିର୍ଦେଶନା ଦେବାର ସୌଭାଗ୍ୟ ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର