ହାଇଦ୍ରାବାଦରୁ ଆମ୍ବୁଲାନ୍ସ ବସ୍ ଯୋଗେ ବାହାରିଲେ, ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ବର: ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଜି ହାଇଦ୍ରାବାଦରୁ ଆମ୍ବୁଲାନ୍ସ ବସ୍ ଯୋଗେ ବାହାରିଥିବା ଜଣାଯାଇଛି। ସେ ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ।

ଅଭିନେତା ତଥା ବିଜେପି ଯୁବନେତା ଅଖିଳ କୁମାର ପଟ୍ଟନାୟକଙ୍କ ସୂଚନା ମୁତାବକ, ବିଜୟ ମହାନ୍ତି ଓଡ଼ିଶା ଫେରିବାକୁ ଚାହୁଥିବା ସମ୍ବନ୍ଧରେ ପ୍ରଥମେ ସେ ସୂଚନା ପାଇଥିଲେ। ଏହାପରେ ସେ ବିଜୟଙ୍କ ଝିଅଙ୍କ ସହ ଯୋଗାଯୋଗ କରିଥିଲେ। ସେ ମଧ୍ୟ ବାପା ଓଡ଼ିଶାକୁ ଫେରିବାକୁ ଚାହୁଁଥିବା କହିଥିଲେ। ମାତ୍ର ଏଥିରେ ସମସ୍ୟା ହେବାରୁ ଭୁବନେଶ୍ବରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଫେରିବା ବାଟ ଫିଟିଥିଲା।

ବିଜୟଙ୍କ ଫେରିବା ପାଇଁ ଏକ ଆମ୍ବୁଲାନ୍ସ ବସ୍‌ର ବ୍ୟବସ୍ଥା କରାଯାଇଛି। ସେଥିରେ ଡାକ୍ତର, ନର୍ସ ଓ ଆଇସିୟୁ ବ୍ୟବସ୍ଥା ସହ ତାଙ୍କ ପରିବାର ଫେରିବେ। କେୟାର ହସ୍ପିଟାଲ,ଭୁବନେଶ୍ବର ପକ୍ଷରୁ ଆମ୍ବୁଲାନସ୍‌ ବସ୍‌ର ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର