ଭୁବନେଶ୍ବରରେ ପହଞ୍ଚିଲେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି, ଗତବର୍ଷ ସିନେଜଗତରେ ଖୁବ୍ ସକ୍ରିୟ ଥିଲେ

ଭୁବନେଶ୍ବର: ଏବେ ଅସୁସ୍ଥ ଥିବା ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି  କିଛି ସମୟ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଥିବାର ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯିବ ବୋଲି ଜଣାଯାଇଛି। ଗତକାଲି ସେ ହାଇଦ୍ରାବାଦରୁ ଆମ୍ବୁଲାନ୍ସ ବସ୍ ଯୋଗେ ବାହାରିଥିଲେ। ବିଜୟ ମହାନ୍ତିଙ୍କୁ ଭୁବନେଶ୍ବର ଆଣିବା ପାଇଁ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅଭିନେତା ତଥା ବିଜେପି ନେତା ଅଖିଳ ପଟ୍ଟନାୟକ ସହଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ।
ହେଲେ ଆପଣ କ’ଣ ଜାଣନ୍ତି ଯେ ବସନ୍ତ ନାୟକଙ୍କ ‘ନାଗଫାସ’ ଚଳଚ୍ଚିତ୍ରରୁ ଆରମ୍ଭ କରି ଏଯାଏଁ ଶତାଧିକ ଓଡ଼ିଆ ସିନେମାରେ ବିଭିନ୍ନ ଭୂମିକାରେ ନଜର ଆସିଥିବା ବିଜୟ ଗତ ବର୍ଷ ବେଶ ସକ୍ରିୟ ଥିଲେ। ଏହି କାରଣରୁ ତାଙ୍କୁ ଅଧିକ ସଂଖ୍ୟକ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ।
ଗତ ବର୍ଷ ରଜରେ ରିଲିଜ୍‌ ହୋଇଥିବା ସିନେମା ‘ଗୋଲମାଲ ଲଭ’ରେ ବିଜୟ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ଏକ ମଜାଦାର ଚରିତ୍ରରେ ଅଭିନୟ କରିଥିଲେ ସେ। ଏହାପରେ ଗତ ରଥଯାତ୍ରାରେ ମୁକ୍ତିଲାଭ କରିଥିବା ‘ସେଲଫିସ୍‌ ଦିଲ’ରେ ବିଜୟ ମହାନ୍ତି ନଜର ଆସିଥିଲେ। ଠିକ ସେହିପରି ଗତ ବର୍ଷର ବିଜୟ ମହାନ୍ତିଙ୍କ ଅଭିନୀତ ଅନ୍ୟ ଏକ ଓଡ଼ିଆ ସିନେମା ହେଲା ‘ବୈଶାଳୀ’। ଆଶୁତୋଷଙ୍କ ନିର୍ଦେଶିତ ଏହି ଓଡ଼ିଆ ସିନେମାରେ ଅଭିଷେକ,ପ୍ରୀତ୍‌, ସୁମନପ୍ରିୟା,ବିଜୟ ମହାନ୍ତି ଓ ପୃଥ୍ଵୀରାଜ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ। ‘ବୈଶାଳୀ’ରେ ବିଜୟ ମହାନ୍ତିଙ୍କୁ ଏକ ଦମ୍‌ଦାର୍‌ ଚରିତ୍ରରେ ଦେଖିବାକୁ ମିଳିଥିଲା। ତାଙ୍କୁ ଗତ ବର୍ଷ ‘ନାୟକର ନାଆଁ ଦେବଦାସ’ରେ ବି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର