ବିଜୟ ନିଜେ ହିଁ ନିଜର ବିକଳ୍ପ

ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ବିଜୟ ଥିଲେ ନିଜ ପରିସରରେ ଅପରାଜେୟ। ଅଭିନୟ ଜଗତର ଅପ୍ରତିଦ୍ବନ୍ଦ୍ବୀ ସମ୍ରାଟ୍। ପୁଣି ସେ ଥିଲେ ଏମିତି ଜଣେ ଅଭିନେତା, ଯାହାଙ୍କର ନ ଥିଲା ବିକଳ୍ପ । ବିଜୟ ମହାନ୍ତିଙ୍କ ଲାଗି ଉଦ୍ଦିଷ୍ଟ ଚରିତ୍ରକୁ ଅନ୍ୟ କେହି ସମାନ ଢ଼ଙ୍ଗରେ ପରଦାରେ ତୋଳି ଧରିବାର ଦକ୍ଷତା ରଖିଥିବା ପ୍ରାୟତଃ ଦେଖିବାକୁ ମିଳେନାହିଁ। ଥରେ ଯେଉଁ ଚରିତ୍ର ବିଜୟ ନିଭାଇବେ ବୋଲି ନିର୍ଦ୍ଦେଶକ-ପ୍ରଯୋଜକ ଭାବି ନିଅନ୍ତି ତାହା ଅନ୍ୟ କେଉଁ ଅଭିନେତା ତୁଲାଇଲେ ବି ସେମାନଙ୍କ ମନକୁ ଯାଏ ନାହିଁ। ଏଭଳି ଅନେକ ଘଟଣା ରହିଛି। ସେ ମଧ୍ୟରୁ ଓଡ଼ିଶାର ଜଣାଶୁଣା ପ୍ରଯୋଜନା ସଂସ୍ଥା ପ୍ରଯୋଜିତ ‘ବର୍ଷା ମାଇଁ ଡାର୍ଲିଂ’ର ନିର୍ମାଣ ସମୟର ଗୋଟିଏ ଘଟଣା ଅବଶ୍ୟ ଉଲ୍ଲେଖର ଦାବି କରେ।

ଅନୁଭବ ମହାନ୍ତିଙ୍କ ପ୍ରଥମ ସିନେମା ‘ଆଇ ଲଭ୍ ୟୁ’ ବ୍ଲକବଷ୍ଟର ହେବା ପରେ ସେହି ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍ ପୁଣି ଅନୁଭବଙ୍କୁ ନେଇ ନିର୍ମାଣ ଆରମ୍ଭ କରିଥିଲା ‘ବର୍ଷା ମାଇଁ ଡାର୍ଲିଂ’। ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ସାଜିଥିଲେ ନବାଗତା ବଙ୍ଗୀୟା ଅଭିନେତ୍ରୀ ଅଙ୍କିତା। ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ ସିନେମାଟୋଗ୍ରାଫରରୁ ନିର୍ଦ୍ଦେଶକ ବନିଥିବା ପ୍ରଭାକର।

‘ବର୍ଷା ମାଇଁ ଡାର୍ଲିଂ’ର ସଂଳାପ ଲେଖିଥିଲେ ରଣଜିତ ପଟ୍ଟନାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ସ୍ୱରୂପ ନାୟକ। ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବା ଲାଗି ଅଭିନେତା ବିଜୟ ମହାନ୍ତିଙ୍କୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଚୁକ୍ତିବଦ୍ଧ କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏଥିଲାଗି ବିଜୟଙ୍କର କେତେକ ସର୍ତ୍ତ ଥିଲା, ଯାହା ପ୍ରଯୋଜନା ସଂସ୍ଥା ହଠାତ୍ ଗ୍ରହଣ କରି ନଥିଲା। ଫଳରେ ବିଜୟ ଅଭିନୟ କରିବାରୁ ଓହରି ଯାଇଥିଲେ । ଅନନ୍ୟୋପାୟ ହୋଇ ପ୍ରଯୋଜନା ସଂସ୍ଥା ବିକଳ୍ପ ଚିନ୍ତା କରିଥିଲେ।

ଏପରି ପରିସ୍ଥିତିରେ ‘ବର୍ଷା ମାଇଁ ଡାର୍ଲିଂ’ର ସୁଟିଂ ଆରମ୍ଭ ହୋଇଥିଲା। ବ୍ରଜରାଜ ମୁଭିଜ୍ ବିଜୟଙ୍କ ପାଇଁ ଉଦ୍ଦିଷ୍ଟ ଭୂମିକାରେ ଅଭିନୟ ଲାଗି ତାଙ୍କର ଛାତ୍ର ତଥା ପ୍ରତିଭାବାନ୍ ଅଭିନେତା ରାଇମୋହନ ପରିଡ଼ାଙ୍କୁ ଚୟନ କରିଥିଲେ । ତେବେ ଗୋଟିଏ ଦିନ ସୁଟିଂ କରିବା ପରେ ରାଇମୋହନ ସିନେମାରୁ ଓହରି ଯାଇଥିଲେ। ତା’ପରେ ଉକ୍ତ ଭୂମିକାଟି ଆଉ ଜଣେ ପ୍ରତିଭାବାନ୍ ଅଭିନେତା କୁନା ତ୍ରିପାଠୀଙ୍କ ପାଖକୁ ଯାଇଥିଲା। ସେ ରାଜି ହୋଇ ସୁଟିଂ ପାଇଁ ସେଟରେ ବି ପହଞ୍ଚିଥିଲେ, କିନ୍ତୁ ଉକ୍ତ ଚରିତ୍ର ସହିତ ସେ ନିଜକୁ ଖାପଖୁଆଇ ପାରି ନ ଥିଲେ। ଫଳରେ ଅଳ୍ପ କିଛି ଦିନର ସୁଟିଂ ପରେ ସେ ମଧ୍ୟ ‘ବର୍ଷା ମାଇଁ ଡାର୍ଲିଂ’ରୁ ଓହରି ଯାଇଥିଲେ। ଶେଷରେ ପୁଣି ସେହି ଭୂମିକାଟି ଫେରିଥିଲା ବିଜୟ ମହାନ୍ତିଙ୍କ ପାଖକୁ। ଏଥର ବିଜୟ ମହାନ୍ତି ରାଜି ହୋଇଥିଲେ ଏବଂ ‘ବର୍ଷା ମାଇଁ ଡାର୍ଲିଂ’ରେ ଅଭିନୟ କରିଥିଲେ। ଆଉ ଅତ୍ୟନ୍ତ ଜୀବନ୍ତ ଭାବେ ଚରିତ୍ରଟିକୁ ପରଦା ଉପରେ ତୋଳି ଧରିଥିଲେ। ସତ କହିଲେ ବିଜୟ ମହାନ୍ତି କେବଳ ନିଜେ ହିଁ ନିଜର ବିକଳ୍ପ।

ସମ୍ବନ୍ଧିତ ଖବର