ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବୁଧବାର ମଧ୍ୟାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଶ୍ରୀ ମହାପାତ୍ର ଦୀର୍ଘ ୪୫ ମିନିଟ ଧରି ରାଜ୍ୟପାଳଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାଜ୍ୟପାଳ ଶ୍ରୀ ମହାପାତ୍ରଙ୍କ ଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ଥିତି, ରାଜ୍ୟ ସରକାର ଶ୍ରୀମନ୍ଦିର ନିକଟରେ ଯେଉଁ ସବୁ ପ୍ରକଳ୍ପ କରୁଛନ୍ତି ତାହା କେତେ ଦୂର ଠିକ୍, ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି, ବର୍ତ୍ତମାନ ରାଜ୍ୟ ରାଜନୀତି ସ୍ଥିତି ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।
ଏନେଇ ଶ୍ରୀ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ରାଜ୍ୟପାଳ ତାଙ୍କୁ ଡାକିଥିବାରୁ ରାଜଭବନ ଯାଇଥିଲେ। ହେଲେ କ’ଣ ଆଲୋଚନା ହୋଇଛି ସେନେଇ କିଛି କହିପାରିବେ ନାହିଁ। ଗତ ସପ୍ତାହରେ ଦିଲ୍ଲୀ ଯାଇ ଶ୍ରୀ ମହାପାତ୍ର କିଛି ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବା ଓ ଆଜି ରାଜ୍ୟପାଳଙ୍କ ସହିତ ତାଙ୍କର ବୈଠକକୁ ରାଜନୈତିକ ମହଲ ଗୁରୁତ୍ବର ସହିତ ନେଇଛନ୍ତି।