ତୁରନ୍ତ ମନ୍ଦିର ଖୋଲାଯାଉ: ବିଜୟ

ଗଞ୍ଜାମ ଓ ଖୋର୍ଦ୍ଧାରେ ଅଧିକ ସଂକ୍ରମଣ ପାଇଁ ଦୁଇ ଅଧିକାରୀ ଦା‌ୟୀ
ମନ୍ଦିର ଖୋଲିବାକୁ କଂଗ୍ରେସ ବି ଦାବି କଲା
ଲୋକଙ୍କ ସୁରକ୍ଷା କଥା ଚିନ୍ତା କରି ସରକାର ଠିକ ପଦକ୍ଷେପ ନେଉଛନ୍ତି : ବିଜେଡି

ଭୁବନେଶ୍ବର : କୋଭିଡ୍‌ ଗାଇଡ୍‌ଲାଇନ୍ ମାନି ଦେଶରେ ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲାଯାଇଥିଲା ବେଳେ ଓଡ଼ିଶାରେ ଏ ଯାଏ ମନ୍ଦିର ଖୋଲିବାକୁ ସରକାର ଅନୁମତି ଦେଇ ନାହାନ୍ତି। ଏହାକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିର ଓ ରାଜ୍ୟର ଅନ୍ୟ ପ୍ରସିଦ୍ଧ ମନ୍ଦିରକୁ ତୁରନ୍ତ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯିବା ଦରକାର। ସାଧାରଣ ଲୋକ ଏ କଟକଣା ସମୟରେ ମାନସିକ ଶାନ୍ତି ପାଇପାରନ୍ତେ। ସାରା ଦେଶରେ ସବୁ ମନ୍ଦିର ଖୋଲିଥିଲା ବେଳେ ଓଡ଼ିଶାରେ ମନ୍ଦିରଗୁଡ଼ିକୁ ବନ୍ଦ କରି ରଖିବାରେ କୌଣସି ଯଥାର୍ଥତା ନାହିଁ। କୋଭିଡ୍‌ କଟକଣା ମାନି ପର୍ଯ୍ୟାୟକ୍ରମେ ଭକ୍ତମାନଙ୍କୁ ଦର୍ଶନ କରାଇବାରେ ଅସୁବିଧା ହେବ ନାହିଁ।

ଗଞ୍ଜାମ ଓ ଖୋର୍ଦ୍ଧାରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଶ୍ରୀ ମହାପାତ୍ର ଏଥି ପାଇଁ ଦୁଇ ଆଇଏଏସ୍‌ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ କରୋନା ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେଉଛି। କିନ୍ତୁ ପ୍ରଶାସନିକ କଳର ଚେତା ପଶୁନି। ଯେଉଁ ମଡେଲ୍‌ରେ କରୋନା ପରିସ୍ଥିତିକୁ ସରକାର ସାମ୍ନା କରୁଥିଲେ ସେହି ମଡେଲ୍‌ରେ ଏବେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ, ଏ କଥା ସରକାର ବୁଝିବା ଆବଶ୍ୟକ। କରୋନାରେ ସାରା ଓଡ଼ିଶା ପ୍ରଭାବିତ ହୋଛଛି। ୨୫୦ରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି। ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ବାହାରୁଛନ୍ତି। ଏହି ଦୁଇ ଜିଲ୍ଲାରେ ଗଞ୍ଜାମ ଜିଲ୍ଲାପାଳ ଓ ବିଏମ୍‌ସି କମିସନର୍‌ ଅତ୍ୟନ୍ତ ଅହଙ୍କାରୀ ହୋଇ ମନୋମୁଖୀ କାର୍ଯ୍ୟ କରୁଛି। ଏହି ଦୁଇ ଅଧିକାରୀଙ୍କ ପାଇଁ ଦୁଇଟି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଗଲା। ଏହି ଦୁଇ ଆଇଏଏସ୍‌ ଅଫିସର୍‌ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରି। ପ୍ରକୃତରେ କରୋନା ମୁକାବିଲା କ୍ଷେତ୍ରରେ ୩ଟି ଘରୋଇ ହସ୍ପିଟାଲ୍‌ ସମ୍, କିମ୍‌ସ୍‌ ଓ ଅଶ୍ବିନୀ ହସ୍ପିଟାଲ୍‌ର ଅବଦାନ ଅଛି। କିନ୍ତୁ ସେମାନଙ୍କ କର୍ମଚାରୀମାନଙ୍କୁ ସରକାରୀ ପ୍ରୋତ୍ସାହନ କିଛି ନାହିଁ। ଏହା କି ବିଚାର? ଏହା ସହ କରୋନା ମୁକାବିଲାରେ ଦିନରାତି ପରିଶ୍ରମ କରୁଥିବା ପୁଲିସ୍‌ କର୍ମଚାରୀଙ୍କୁ ସରକାର ପ୍ରୋତ୍ସାହନ ଦେବା ଆବଶ୍ୟକ।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ କେନ୍ଦୁଝର ଓ ସୁନ୍ଦରଗଡ଼ରୁ ଦୈନିକ ଲୁହାପଥର ନେଇ ୧୫ ହଜାର ଟ୍ରକ୍ ପାରାଦୀପ ଆସୁଛନ୍ତି। ସବୁ ଟ୍ରକ୍ ବାହାର ରାଜ୍ୟର। ଡ୍ରାଇଭର୍‌, ହେଲ୍‌ପର୍‌ ଓ ଅନ୍ୟ କର୍ମଚାରୀମାନେ ବି ଅନ୍ୟ ରାଜ୍ୟର। ସେମାନଙ୍କୁ ପାରାଦୀପରେ ପହଞ୍ଚିବାକୁ ୭ ଦିନ ଲାଗୁଛି। ରାସ୍ତାରେ ସେମାନଙ୍କର କୌଣସି ନମୁନା ପରୀକ୍ଷା କରାଗଲା ନାହିଁ। ଫଳରେ ସେମାନଙ୍କ ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେଲା। ସେମାନେ ହିଁ ଏହି ଜିଲ୍ଲାଗୁଡ଼ିକରେ ସୁପର୍‌ ସ୍ପ୍ରେଡର୍‌ ହୋଇଛନ୍ତି। ଏ କଥା ଗତକାଲି ମୁଁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଛି।

କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ମନ୍ଦିର ଖୋଲାଯିବା ପ୍ରସଙ୍ଗକୁ ସମର୍ଥନ କରିଛନ୍ତି। ‌େସ କହିଛନ୍ତି ଯେ ସାରା ଦେଶରେ ମନ୍ଦିର ମସ୍‌ଜିଦ ଖୋଲା ହେଲାଣି। କିନ୍ତୁ ଓଡିଶାର କୌଣସି ମନ୍ଦିର ଖୋଲା ହୋଇନି। ରଥଯାତ୍ରା ଲାଗି ପୁରୀ ଜିଲ୍ଲାବାସୀ ଅନେକ ପରିଶ୍ରମ କରିଛନ୍ତି, ସେମାନେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରନ୍ତୁ। ତାହା ପରେ ସାଧାରଣ ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଉ। ଆଗାମୀ ସପ୍ତାହରୁ ମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତୁ। ଗଞ୍ଜାମ ଓ ଖୋର୍ଦ୍ଧା ପରିସ୍ଥିତି ଲାଗି ଦାୟୀ ଓଡ଼ିଶା ସରକାର। ପ୍ରବାସୀମାନଙ୍କୁ ଆଣି ସଂକ୍ରମଣ ସରକାର ସଂକ୍ରମଣ ବଢ଼ାଇଲେ। ଏବେ ଗଞ୍ଜାମ ଓ ଖୋର୍ଦ୍ଧାରେ କୋଭିଡ୍‌ ପରିଚାଳନା ଠିକ ଭାବେ ହୋଇପାରୁନି। ଅଧିକ ଟେଷ୍ଟ କରାଯାଇ ରୋଗୀଙ୍କୁ ଚି଼ହ୍ନଟ କରାଯାଉ ଏବଂ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉ।

ବିଜେଡି ପକ୍ଷରୁ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ କରୋନା ଦାଉରୁ ସାଧାରଣ ଲୋକଙ୍କୁ ସୁରକ୍ଷା ପାଇଁ ଏବଂ କରୋନା କିଭଳି ଭାବେ ନ ବ୍ୟାପିବ ସେ ନେଇ ରାଜ୍ୟ ସରକାର ଯାହା କରିବା କଥା କରୁଛନ୍ତି। ବିଜୟ ମହାପାତ୍ର ଯାହା କହିଲେ, ସେଥିରେ ରାଜ୍ୟ ସରକାର ଚାଲିବେନି। ଲୋକଙ୍କ ସୁରକ୍ଷା ଯେଉଁଥିରେ ହେବ ସେ ନେଇ ଚିନ୍ତା କରି ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେବେ। ଗଞ୍ଜାମ ଓ ଖୋର୍ଦ୍ଧାରେ କରୋନା ନିୟନ୍ତ୍ରଣ ସମ୍ପର୍କରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଯେଉଁ ମଡେଲ କଥା ବିଜୟ ମହାପାତ୍ର କହୁଛନ୍ତି, ତାହା କେନ୍ଦ୍ରକୁ ଏବଂ ଗୁଜୁରାଟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟ ମାନଙ୍କୁ ଶିଖାନ୍ତୁ। ସେଠାରେ ପ୍ରୟୋଗ କରି କରୋନା ବନ୍ଦ କରି ଦେଖାଇ ଦିଅନ୍ତୁ, ତାହା ପରେ ଆମେ ସେହି ମଡେଲ କାର୍ଯ୍ୟକାରୀ କରିବୁ।

ସମ୍ବନ୍ଧିତ ଖବର