ଗଞ୍ଜାମର ସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ଦାୟୀ: ବିଜୟ ମହାପାତ୍ର

ବରିଷ୍ଠ ଅଧିକାରୀଙ୍କୁ କବିସୂର୍ଯ୍ୟନଗର ପଠାଯାଉ
ସରକାର ତଥ୍ୟକୁ ଲୁଚାଇବା ଚିନ୍ତାଜନକ
ସ୍ଥିତି ଆହୁରି ଅସମ୍ଭାଳ ହେବ

ଭୁବନେଶ୍ବର : ଗଞ୍ଜାମରେ କରୋନା ମହାମାରୀ ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହେଲାଣି। ଆସନ୍ତା ଦିନରେ ଆହୁରି ଭୟଙ୍କର ସ୍ଥିତି ହେବ। ଏଥିପାଇଁ ମୁଖ୍ୟତଃ ବର୍ତ୍ତମାନର ଜିଲ୍ଲାପାଳ ଦାୟୀ। ଆଜି ଗଞ୍ଜାମର କୋଭିଡ୍‌ ସଂକ୍ରମଣ ନେଇ ଏପରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ବିଶେଷକରି କବିସୂର୍ଯ୍ୟନଗର ପାଇଁ ବରିଷ୍ଠ ଓ ସେହି ଅଞ୍ଚଳ ବିଷୟରେ ଅଭିଜ୍ଞତା ଥିବା ଅଧିକାରୀଙ୍କୁ ନିୟୋଜିତ କରାଯାଉ। ଅଭିଜ୍ଞ ମେଡିକାଲ ଅଧିକାରୀ ଓ ଡାକ୍ତରଙ୍କୁ ନେଇ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଉ ବୋଲି ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ମହାପାତ୍ର ଅଭିଯୋଗ କରି କହିଥିଲେ, ବର୍ତ୍ତମାନର ଗଞ୍ଜାମ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ଅନୁମତି ନ ନେଇ ସୁରତ ଜିଲ୍ଲାପାଳଙ୍କ ସହ କଥା ହୋଇ କେତୋଟି ବସ୍‌ ଯୋଗେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଗଞ୍ଜାମ ନେଇଆସିଲେ। ଶ୍ରମିକମାନଙ୍କୁ ଆଣିବା ପୂର୍ବରୁ ସୁରତରେ ସେମାନଙ୍କର ପରୀକ୍ଷା ହୋଇନଥିଲା କି ଏଠି ଆସି ପହଞ୍ଚିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ସେମାନଙ୍କର ତତ୍‌କ୍ଷଣାତ୍‌ ସ୍ବାବ୍‌ ପରୀକ୍ଷା କରିଲା ନାହିଁ। ଫଳରେ ସେସବୁ ଶ୍ରମିକମାନଙ୍କ ଭିତରେ କରୋନା ସଂକ୍ରମଣ ବଢ଼ିଚାଲିଲା। ଏପରିକି ଗୁଜୁରାଟରୁ ବସ୍‌ ଯୋଗେ ଶ୍ରମିକମାନଙ୍କୁ ଫେରେଇ ଆଣିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ସହ ଆଲୋଚନା ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ କେତ ଶହ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଆସିଥିଲେ। ଶ୍ରମିକ ପରିବହନ ନେଇ କୋଭିଡ୍‌-୧୯ର ଗାଇଡଲାଇନ୍‌କୁ ସମ୍ପୂର୍ଣ୍ଣ ଭାବେ ଜିଲ୍ଲା ପ୍ରଶାସନ ଅଣଦେଖା କରିଥିଲା। ଯେଉଁଥିପାଇଁ ଆଜି ଜିଲ୍ଲାରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ୟ ସରକାର ଅଭିଜ୍ଞତା ନଥିବା ଆଇଏଏସ୍‌ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନକୁ ସହାୟତା କରିବାକୁ ପଠାଇଛନ୍ତି। ଯେଉଁ ଅଫିସରମାନେ କେବେ ବି ସେହି ଜିଲ୍ଲାରେ କାମ କରିନାହାନ୍ତି ସେମାନଙ୍କୁ ଜିଲ୍ଲାର ଅଞ୍ଚଳ ଓ ଲୋକମାନଙ୍କ ବିଷୟରେ ଜାଣିବାକୁ ବର୍ଷେ ଲାଗିଯିବ। ଗଞ୍ଜାମ ଜିଲ୍ଲାଟି ୩ଟି ସବ୍‌ଡିଭିଜନ୍‌ରେ ଅନ୍ତର୍ଭୁକ୍ତ। ଏବେ ସେଠାରେ ଯେଭଳି ପରିସ୍ଥିତି ହୋଇଛି ବରିଷ୍ଠ ଅଧିକାରୀମାନେ ଭୁବନେଶ୍ବରରେ ନ ବସି ସେଠାକୁ ଯିବା ଦରକାର। ଖାଲିସେତିକିନୁହେଁ, ପ୍ରଶାସନିକ ଅଧିକାରୀ, ବରିଷ୍ଠ ଡାକ୍ତର ଓ ଅବସରପ୍ରାପ୍ତ ଡାକ୍ତରଙ୍କୁ ନେଇ ଗୋଟିଏ ଲେଖାଏଁ ମେଡିକାଲ୍‌ ଟିମ୍‌ ଗଠନ କରି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବା ଦରକାର। ବିଶେଷକରି କବିସୂର୍ଯ୍ୟନଗରରେ ୨୫ ଜଣ ଲୋକଙ୍କର କରୋନାରେ ଆକ୍ରାନ୍ତ ହୋଇ ପ୍ରାଣହାନୀ ଘଟିଲାଣି। କିନ୍ତୁ ସରକାର ମାତ୍ର ୬ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି। ଏପରି କରି ସରକାର ତଥ୍ୟ ଲୁଚାଇବାକୁ ଉଦ୍ୟମ କରୁଛନ୍ତି। ଜଣେ ୨୭ ବର୍ଷ ଯୁବକର ମୃତ୍ୟୁରେ ତାର ମା’ବାପା ଆତ୍ମହତ୍ୟା କରିବା ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା। ଏଭଳି ଭୟଙ୍କର ଦୃଶ୍ୟ କେବେବି ଦେଖାଯାଇନଥିଲା। ମୁଖ୍ୟମନ୍ତ୍ରୀ ତୁରନ୍ତ ଏସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର