ଆସନ୍ତାକାଲି ଜୟପୁରରେ ପ୍ରଧାନମନ୍ତ୍ରୀଙ୍କ ସଭାରେ ବିଜେପିକୁ ପୁଣି ଫେରିବେ ବିଜୟ ମହାପାତ୍ର

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନା ଶେଷ ହୋଇଛି। ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ଦଳକୁ ଫେରିବେ। ଏଥିପାଇଁ ତାଙ୍କୁ ମନାଇବାରେ ସଫଳ ହୋଇଛନ୍ତି ଦଳର ତୁଙ୍ଗ ନେତାଗଣ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ବିଜୟଙ୍କ ଘରବାହୁଡା ହେବ। କୋରାପୁଟ ଜିଲ୍ଲା ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ  ସଭାରେ ବିଜୟ ମହାପାତ୍ରଙ୍କୁ ବିଜେପିକୁ ବିଧିବଦ୍ଧ ଭାବେ ସ୍ୱାଗତ କରାଯିବ।

ଗୁରୁବାର ବିଜୟ ମହାପାତ୍ର ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡାଙ୍କ ସହ ସକାଳ ଜଳଖିଆରେ ଏକାଠି ହୋଇଥିଲେ। ପୁରୁଣା କଥା ଭୁଲି ନୂଆ ସଙ୍କଳ୍ପ ସହ ଆଗକୁ ବଢ଼ିବୁ ବୋଲି ବୈଠକ ପରେ ବିଜୟ ମହାପାତ୍ର କହିଛନ୍ତି।

ଏହା ପରେ ଅପରାହ୍ଣ ୧ଟା ବେଳେ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ। ସେଠାରୁ ସେ ଜୟପୁର ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସଭାରେ ତାଙ୍କୁ ବିଜେପିରେ ବିଧିବଦ୍ଧ ଭାବେ ସାମିଲ କରାଯିବ।

୨୦୧୮ ମସିହା ନଭେମ୍ବର ୩୦ ତାରିଖରେ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇ ନାହିଁ ବୋଲି ଭାଜପା ନେତା ଗୋଲକ ମହାପାତ୍ର କହିଥିଲେ। ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଭାଜପାର କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ବହୁ ବିଶିଷ୍ଟ ନେତୃବୃନ୍ଦ ଗତ କିଛି ଦିନ ହେବ ତାଙ୍କ ସହ ଯୋଗାଯୋଗ ଚଳାଇଥିଲେ।

ବିଜୟଙ୍କୁ ଫେରାଇ ଆଣିବାକୁ ଗତ ରବିବାର ଦିନ ବସିଥିବା ଏକ ବୈଠକରେ ବିଜେପିର ନେତୃବୃନ୍ଦ ପ୍ରାୟ ଚୂଡ଼ାନ୍ତ କରିଥିଲେ।

ଉପକୂଳ ଓଡ଼ିଶାର ଜଣେ ଟାଣୁଆ ନେତା ଶ୍ରୀ ମହାପାତ୍ର ଗତ ୨୦୧୪ ବିଧାନସଭା ନିର୍ବାଚନରେ ମହାକାଳପଡ଼ା ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରେ ଲଢ଼ିଥିଲେ। ତେବେ ସେ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ଠାରୁ ହାରି ଯାଇଥିଲେ। କିନ୍ତୁ ଦଳରେ ତାଙ୍କୁ ସାଂଗଠନିକ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ତାଙ୍କୁ ଦଳର ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିଲା। କିନ୍ତୁ ଧୀରେ ଧୀରେ ମହାପାତ୍ର ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଦୂରତା ବଢ଼ିଥିଲା। ଶ୍ରୀ ମହାପାତ୍ର ଧୀରେ ଧୀରେ ଦଳୀୟ ଦାୟିତ୍ୱରୁ ଦୂରେଇ ଯାଇଥିଲେ। ପରେ ତାଙ୍କୁ କେନ୍ଦ୍ରାପଡ଼ା ଭାରତୀୟ ଜନତା ପାର୍ଟି ସଂଗଠନରୁ ମଧ୍ୟ ନିଲମ୍ବନ କରାଯାଇଥିଲା।

ସମ୍ବନ୍ଧିତ ଖବର