କେନ୍ଦ୍ରାପଡ଼ା ରାଜନୀତିରେ ହଟଚମଟ: ବିଜେପିରୁ ଦୂରେଇ ଗଲେ ବିଜୟ!

ପ୍ରାର୍ଥୀ ଚୟନରେ ହସ୍ତକ୍ଷେପ କଲେନି, ପ୍ରଚାରକୁ ବି ମନା କଲେ
ଅନୁଗତଙ୍କ ପାଇଁ ମଇଦାନକୁ ଓହ୍ଲାଇ ପାରନ୍ତି

କେନ୍ଦ୍ରାପଡ଼ା : ବିଜେପି ଆଜି ୨୫ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦୁଇ ମୁଖ୍ୟ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ବିଜେଡି ଓ କ˚ଗ୍ରେସ ତୁଳନାରେ ପ୍ରାର୍ଥୀ ଚୟନରେ ପଛରେ ପଡ଼ିଯାଇଥିବା ବିଜେପି ପାଇଁ ଆଉ ଏକ ଚିନ୍ତାର ବିଷୟ ହୋଇଛି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନିରବତା। ଦଳ ବିଭିନ୍ନ ସମୟରେ ତାଙ୍କୁ ଅଣଦେଖା କରିବାରୁ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରୁ ବିଜୟ ସ˚ପୂର୍ଣ୍ଣ ଦୂରେଇ ଯିବା ସହିତ ଜିଲ୍ଲା ପରିଷଦ ନିର୍ବାଚନ ପ୍ରକ୍ରିୟା ଭିତରେ କାହା ନାଁ ସୁପାରିସ କରିବାକୁ ମନା କରିଦେଇଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏପରିକି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଦଳକୁ ସଫାସଫା ମନା କରିଦେଇଥିବାବେଳେ ଯେଉଁ ଅନୁଗତମାନେ ଦୀର୍ଘବର୍ଷ ଧରି ତାଙ୍କ ସହିତ ଅଛନ୍ତି ଏବ˚ ନିର୍ବାଚନରେ ନିର୍ଦଳୀୟ ହୋଇ ଲଢ଼ୁଛନ୍ତି, ସେମାନଙ୍କ ପାଇଁ ଆବଶ୍ୟକ ପଡ଼ିଲେ ବିଜୟ ପ୍ରଚାରକୁ ଓହ୍ଲାଇପାରନ୍ତି ବୋଲି ସୂଚନା ମିଳିଛି। ବିଜୟଙ୍କ ଏପ୍ରକାର ଭିନ୍ନ ଆଭିମୁଖ୍ୟ କେନ୍ଦ୍ରାପଡ଼ା ରାଜନୀତିରେ କମ୍ପନ ସୃଷ୍ଟି କରିଥିବାବେଳେ ଏହାର ଫାଇଦା କେଉଁ ଦଳକୁ ଯିବ ଏବ˚ ସମର୍ଥକ ମାନେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ, ତାକୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଯାଇଛି।

ବିଜୟଙ୍କୁ ବାଦ୍‌ ଦେଇ କେନ୍ଦ୍ରାପଡ଼ା ରାଜନୀତିକୁ ବିଶ୍ଳେଷଣ କରାଯାଇପାରିବନାହିଁ। ଜିଲ୍ଲାର ସବୁ ବ୍ଲକ୍‌, ମ୍ୟୁନିସିପାଲଟିରେ ତାଙ୍କର ସମର୍ଥକ ଅଛନ୍ତି। ଗତ ୨୦୧୭ ନିର୍ବାଚନରେ ବିଜେଡିକୁ ଭଲ ଟକ୍କର ଦେଇଥିଲା ବିଜେପି। ୧୦ଟି ଜିଲ୍ଲା ପରିଷଦ ସିଟ୍‌ ହାତେଇଥିଲା। ବିଜୟଙ୍କ ନିଜସ୍ବ ପାଟକୁରା ଏବ˚ ପୁରୁଣା ମହାକାଳପଡ଼ା ନିର୍ବାଚନମଣ୍ତଳୀର ଛଅଟି ଜୋନ୍‌ (୯, ୧୧, ୨୦, ୨୧, ୨୪, ୨୬) ସେଥିରେ ଥିଲା। ଏହାବାଦ୍‌ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ତଳୀରୁ ବାକି ୪ ଜିଲ୍ଳା ପରିଷଦ ସଭ୍ୟ ବିଜୟୀ ହୋଇଥିଲେ ବି ସେମାନେ ସମସ୍ତେ ବିଜୟଙ୍କ ଅନୁଗତ ଥିଲେ। ମୋଟ୍‌ ଉପରେ ଗତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ଚୟନଠୁ ନିର୍ବାଚନ ପରିଚାଳନା ଯାଏ ସବୁଥିରେ ବିଜୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ପରବର୍ତ୍ତୀ ୨୦୧୯ ପାଟକୁରା ଉପ ନିର୍ବାଚନର ବିଜେଡି ବିଧାୟିକା ସାବିତ୍ରୀ ଅଗ୍ରଵାଲ୍‌ଙ୍କ ସହିତ ତାଙ୍କର ଭଲ ଲଢେ଼ଇ ଦେଖିବାକୁ ମିଳିଥିଲା। ବିଜୟଙ୍କୁ ମୋଟ୍‌ ୭୮ହଜାର ୯ ଖଣ୍ତ ଭୋଟ୍‌ ମିଳିଥିଲା ଏବ˚ ୧୭ ହଜାର ୯୨୦ ଖଣ୍ତ ଭୋଟ୍‌ରେ ପ୍ରତିଦ୍ବନ୍ଦ୍ବୀ ସାବିତ୍ରୀଙ୍କଠାରୁ ହାରି ଯାଇଥିଲେ। ହେଲେ ଏ କଥା ସତ ଯେ ପାଟକୁରା ହେଉ କି’ ମହାକାଳପଡ଼ା ନିର୍ବାଚନମଣ୍ତଳୀରେ ବିଜୟଙ୍କ ଅନୁଗତଙ୍କ ସ˚ଖ୍ୟା ଢେର ଅଧିକ। ଖାସ୍‌ ସେହି କାରଣରୁ ଗତ ପ˚ଚାୟତ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହି ନିଜ ଅନୁଗତଙ୍କୁ ଦଳୀୟ ପ୍ରାର୍ଥୀ କରି ମଇଦାନକୁ ଉତାରିବାରୁ ବିଜେପିକୁ ଭଲ ସଫଳତା ମିଳିଥିଲା। ବିଜେଡିକୁ ମାତ୍‌ ଦେଇ ଦଳ ୧୦ଟି ଜିଲ୍ଳା ପରିଷଦ ସିଟ୍‌ ହାତେଇଥିଲା।

ହେଲେ ଏଥର ଯେଉଁ ଚିତ୍ର ଦେଖିବାକୁ ମିଳିଛି, ତାହା ବିଜେପିର ଚିନ୍ତା ବଢ଼ାଇଦେଲା ପରି। ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ପରେ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଗତଥର ଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସକ୍ରିୟ ଭୂମିକା ଏଥର ନିର୍ବାଚନରେ ଦେଖିବାକୁ ମିଳିନାହିଁ। ଜିଲ୍ଲାରେ ତାଙ୍କ ସମର୍ଥିତ ଏକ ପ୍ରଭାବଶାଳୀ ଗୋଷ୍ଠୀ ନିଷ୍କ୍ରିୟ। ନିର୍ବାଚନର ଏହି ଗୋଷ୍ଠୀର କୌଣସି ଭୂମିକା ଥିବା ମନେହେଉନାହିଁ। ପ୍ରାର୍ଥୀ ଚୟନଠୁ ନିର୍ବାଚନ ରଣନୀତି ପ୍ରସ୍ତୁତି ଯାଏ ସବୁକିଛି ପୂର୍ବତନ ସା˚ସଦ ବୈଜୟନ୍ତ ପଣ୍ତାଙ୍କ ସମର୍ଥିତ ବିଜେପି ଗୋଷ୍ଠୀ ବା ଜିଲ୍ଲା ସଭାପତି କିଶୋର ପଣ୍ତାଙ୍କ ନେତୃତ୍ବରେ ହେଉଛି। ମିଳିଥିବା ସୂଚନା ମୁତାବକ, ତିନି ଦିନ ତଳେ ଜିଲ୍ଲା ବିଜେପିର ଏକ ଟିମ୍‌ ପର୍ଯ୍ୟବେକ୍ଷକଙ୍କ ସହିତ ପ୍ରାର୍ଥୀ ଚୟନକୁ ନେଇ ବିଜୟଙ୍କ ପାଖକୁ ଯାଇଥିଲେ। ପ୍ରତି ଜୋନ୍‌ର ଆଶାୟୀ ଚାରି ପାଞ୍ଚ ଜଣଙ୍କ ନାଁ ଦିଆଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ପ୍ରାର୍ଥୀ ଚୟନ ଉପରେ ମତାମତ ଚାହିଁବାରୁ ସେ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ବର˚ ଜିଲ୍ଲା ଟିମ୍‌ ହିଁ ବାଛୁ ବୋଲି କହିବା ସହିତ ନିଜେ ଜିଲ୍ଲା ପରିଷଦ ପାଇଁ କାହାରି ନାଁ ସୁପାରିସ କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ଅନ୍ୟପକ୍ଷରେ ଯେଉଁମାନେ ତାଙ୍କ ସହିତ ଅଛନ୍ତି ଏବ˚ ନିର୍ଦଳୟୀ ଲଢ଼ୁଥିବେ, ସେମାନଙ୍କ ପାଇଁ ଆବଶ୍ୟକ ପଡ଼ିଲେ ବିଜୟ ପ୍ରଚାର କରିପାରନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର