ଭୁବନେଶ୍ବର : ଅବସରପ୍ରାପ୍ତ ପ୍ରଶାସକ ତଥା ଜଣାଶୁଣା ସାହିତ୍ୟିକ ବିଜୟ ନାୟକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ସଚିବ (ଗଣମାଧ୍ୟମ) ଭାବେ ନିଯୁକ୍ତି ମିଳିଛି। ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପଦବିରୁ ଅବସର ନେବା ପରେ ଶ୍ରୀ ନାୟକ ସାକ୍ଷୀଗୋପାଳରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ବବିଦ୍ୟାଳୟର ଓଏସ୍ଡି ଭାବେ ନିଯୁକ୍ତି ପାଇଥିଲେ। ଏହି ପଦବିରୁ ଶ୍ରୀ ନାୟକ ଜୁନ୍ ଶେଷ ସପ୍ତାହରେ ଇସ୍ତଫା ଦେଇଥିବା ବେଳେ ଆଜି ନୂଆ ପଦବିରେ ଦାୟିତ୍ବ ଗ୍ରହଣ କରିଛନ୍ତି।
ଶ୍ରୀମତୀ ମୁର୍ମୁ ୨୦୦୦ରୁ ୨୦୦୨ ମସିହା ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଥିବାବେଳେ ଶ୍ରୀ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ଏହାସହ ମନମୋହନ ସାମଲ ରାଜସ୍ବ ମନ୍ତ୍ରୀ ଥିବାବେଳେ ଶ୍ରୀ ନାୟକ ତାଙ୍କର ମଧ୍ୟ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ ନାୟକ ଦୀର୍ଘ ୨୦ବର୍ଷ ହେଲା ସାହିତ୍ୟ ପତ୍ରିକା ‘କାହାଣୀ’ର ସମ୍ପାଦକ ଅଛନ୍ତି। ଶ୍ରୀ ନାୟକ ତାଙ୍କ କଲେଜ ସମୟରେ ଜଣେ ପରିଚିତ ଛାତ୍ର ନେତା ଥିଲେ। ସେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଏବଂ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ରାଷ୍ଟ୍ରପତି ଭବନରେ ଶ୍ରୀ ନାୟକଙ୍କୁ ନିଯୁକ୍ତି ମିଳିବା ପରେ ତାଙ୍କ ବନ୍ଧୁ ଓ ଶୁଭେଚ୍ଛୁମାନେ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/bijay-nayak.jpg)