ଜଗତସିଂହପୁର ଟାଉନ୍ : ‘ସମ୍ବାଦ’ର ପ୍ରକାଶକ ବିଜୟ କୁମାର ପଟ୍ଟନାୟକ ଆଉ ନାହାନ୍ତି । ଏକଥା ପ୍ରଚାର ହେବା ପରେ ନିଜ ଗାଁ ଟିଟିଙ୍ଗା ସହ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିଲା । ଅତି ଆପଣାର ମଣିଷଙ୍କୁ ହାରାଇ ଗାଁ କାନ୍ଦୁଛି । ମରଶରୀର ଭୁବନେଶ୍ୱରୁ ଗାଁରେ ଅପରାହ୍ନ ପ୍ରାୟ ୪ଟାରେ ପହଞ୍ଚିବା ପରେ ଅନ୍ତିମଯାତ୍ରା ପାଇଁ ପ୍ରସ୍ତୁତି କରାଯାଇଥିଲା । ଗାଁ ମଶାଣିକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ପୁଅ ସ୍ୱରୂପ ପଟ୍ଟନାୟକ ରିତିନୀତି ଅନୁସାରେ ମୁଖାଗ୍ନି ଦେଇଛନ୍ତି ।
ଭୁବନେଶ୍ୱରରୁ ଅଣାଯିବା ବାଟରେ ମଣ୍ଡାସାହି ଓ ଟିଟିଙ୍ଗା ଗାଁ ଭିତରେ ସ୍ୱର୍ଗତ ପଟ୍ଟନାୟକଙ୍କୁ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶୋଭାଯାତ୍ରାରେ ନିଜ ପୈତୃକ ଘରେ ପହଞ୍ଚିଥିଲା ମରଶରୀର । ସ୍ୱର୍ଗତ ପଟ୍ଟନାୟକଙ୍କ ଦେହାନ୍ତ ଖବର ପାଇବା ପର ବିଜୟ ପଟ୍ଟନାୟକଙ୍କ ବାପା ତଥା ବିଶିଷ୍ଟ ସାହିତ୍ୟିକ ଧୃବଚରଣ ପଟ୍ଟନାୟକ ଓ ମା’ ପ୍ରତିଭା ପଟ୍ଟନାୟକ ଭାଙ୍ଗି ପଡିଥିଲେ । ବଡ଼ ପୁଅର ବିୟୋଗରେ ବାପା-ମା ମ୍ରିୟମାଣ ହୋଇ ପଡ଼ିଥିଲେ । ଆଖି ଆଗରେ ପୁଅର ମୃତ ଦେହ ଦେଖି ବାପା-ମା ଭୋ ଭୋ ହୋଇ କାନ୍ଦି ଉଠିଥିଲେ । ସ୍ୱର୍ଗତ ପଟ୍ଟନାୟକଙ୍କ ଧର୍ମପତ୍ନୀ ସରୋଜିନୀ ପଟ୍ଟନାୟକଙ୍କ ଲୁହ କୋହ ଥିଲା ହୃଦୟ ବିଦାରକ । ପୁଅ ଡ.ସ୍ୱରୂପ ପଟ୍ଟନାୟକ, ବୋହୂ ଡ.ସମ୍ବେଦନା ମହାନ୍ତି, ସାନ ଭାଇ ଅଜୟ ପଟ୍ଟନାୟକ, ଭାଇ ବୋହୂ ମିନତୀ ପଟ୍ଟନାୟକ, ଝିଆରୀ ଡ.ସୋନମ ପଟ୍ଟନାୟକ, ପୁତୁରା ଡ.ସୌରଭ ପଟ୍ଟନାୟକ ଆପଣାର ମଣିଷଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ । କୋଭିଡ୍-୧୯ କଟକଣା ମଧ୍ୟରେ ନିକଟ ଅଂଚଳର ନେତୃବୃନ୍ଦ ଶେଷ ଦର୍ଶନ କରିଥିଲେ ।
ପ୍ରଥମେ ମର ଶରୀରକୁ ଘର ଭିତରକୁ ନିଆଯାଇଥିଲା । କୋକେଇ ବନ୍ଧା ଯାଇ ଫୁଲ ଓ ଅବିର ଦିଆଯାଇଥିଲା । ଘର ଅଗଣାରୁ କୋକେଇ ଉଠି ଗାଁ ମଣାଣି ଅଭିମୁଖେ ଯାଇଥିଲା । ଗ୍ରାମବାସୀଙ୍କ ନାମ ସଂକୀର୍ତ୍ତନ ହରିନାମ ସତ୍ୟ ହେ ବିଜୟ ପଟ୍ଟନାୟକ ଅମର ରହେ ଧ୍ୱନିରେ ଗାଁ ଦାଣ୍ଡ ଉଛୁଳି ପଡ଼ିଥିଲା । ଅନ୍ୟପଟେ ବାପା-ମା , ପରିବାର ବର୍ଗଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଘର ଅଗଣା । ଗାଁ ମଶାଣିରେ ରିତିନୀତି ଅନୁସାରେ ପୂଜାପାଠ କରାଯିବ ପରେ ଜୁଇକୁ ମରଶରୀର ନିଆଯାଇଥିଲା । ପୁଅ ଡ. ସ୍ୱରୂପ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ଡ.ବିପିନ ସିଂ, ଡ.ସାନ୍ତନୁ ଦାସ, ପ୍ରସନ୍ନ ପଟ୍ଟନାୟକ, ଡ.ଅଜୟ ନାୟକ, ରବି ନନ୍ଦ ପଟ୍ଟନାୟକ, ମୁକେଶ ଗୋଏଙ୍କା, ଆଶଇଷ କାନୁନଗୋ, ବନ୍ଧୁ ପରିବାର ବର୍ଗ, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ ।