କାର୍ଯ୍ୟକ୍ଷମ ହେଲା ଆଇନ କମିସନ : ଜଷ୍ଟିସ ବିଜୟ କୁମାର ନାୟକ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଜୟ କୁମାର ନାୟକ ଆଜି ଆଇନ କମିସନ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ୨୦୧୬ ମାର୍ଚ୍ଚ ୧୬ ତାରିଖର ରାଜ୍ୟ ସରକାରଙ୍କ ଆଇନ ବିଭାଗର ସଂକଳ୍ପର ଅନୁଚ୍ଛେଦ ୫ ଆଧାରରେ ଜଷ୍ଟିସ ନାୟକଙ୍କୁ କମିସନଙ୍କ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। କେବଳ ସେତିକି ନୁହେଁ, ରାଜ୍ୟ ଆଇନ ବିଭାଗର ଅତିରିକ୍ତ ଶାସନ ସଚିବ ଜୀବନ ବଲ୍ଲଭ ମିଶ୍ର କମିସନଙ୍କ ସଚିବ ଭାବେ କାର୍ଯ୍ୟ କରିବେ। ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ଯଦିଓ ବିଧିବଦ୍ଧ ଭାବେ ପ୍ରକୋଷ୍ଠ ଆବଣ୍ଟନ ହୋଇନାହିଁ, ତଥାପି ସଚିବାଳୟରେ ହିଁ ଆଇନ କମିସନ ଅଧ୍ୟକ୍ଷ କାର୍ଯ୍ୟ କରିବେ। କେଉଁ ଆଇନ କ୍ଷେତ୍ରରେ ସଂସ୍କାର ଆବଶ୍ୟକ ଅଥବା ଉଚ୍ଛେଦ ହେବ, ସେ ନେଇ କମିସନ ରାଜ୍ୟ ସରକାରଙ୍କୁ ପରାମର୍ଶ ତଥା ସହଯୋଗ କରିବେ।

ଉଲ୍ଲେଖଯୋଗ୍ୟ, ୨୦୧୫ ନଭେମ୍ବର ମାସରେ ବିଜୁ ଜନତାଦଳର ଆଇନ୍‌ଜୀବୀ ଶାଖାର ପ୍ରଥମ ରାଜ୍ୟସ୍ତରୀୟ କମିଟି ବୈଠକ ଉଦ୍‌ଘାଟନ ଅବସରରେ ଓଡିଶାରେ ଆଇନ୍‌ କମିସନ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୬ ଫେବ୍ରୁଆରି ମାସରେ ଆଇନ୍‌ କମିସନ ଗଠନ ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଥିଲେ ଓ ସେହି ବର୍ଷ ମାର୍ଚ୍ଚ ୧୬ ତାରିଖରେ ଏ ସଂକ୍ରାନ୍ତ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସୁପ୍ରିମ୍‌କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଆଇନ୍‌ କମିସନ ଗଢାଯିବ ବୋଲି ସରକାର ବ୍ୟବସ୍ଥା ରଖିଥିଲେ। କିନ୍ତୁ ଆଇନ୍‌ କମିସନର ଅଧ୍ୟକ୍ଷ ଭାବେ କାହାକୁ ନିଯୁକ୍ତି ଦିଆଯିବ ତାହା ଠିକ୍‌ ହୋଇନଥିବାରୁ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟାନ୍ଵୟନରେ ପାଖାପାଖି ୨୬ ମାସ ବିଳମ୍ବ ହୋଇଥିଲା।

୨୦୧୬ ମସିହାରେ କେନ୍ଦ୍ର ସରକାର ଅନ୍ୟୂନ ୧୨୦ ଟି ପୁରୁଣା ଆଇନ୍‌କୁ ଉଚ୍ଛେଦ କରିଥିଲେ। ଭାରତ ସରକାରଙ୍କ ଆଇନ୍‌ କମିସନ, ଅର୍ଥ କମିସନ ଓ ଅନ୍ୟ କେତେକ ସଂସ୍ଥା ମଧ୍ୟ ରାଜ୍ୟମାନେ ସେମାନଙ୍କ ପୁରୁଣା ଓ ଅଦରକାରୀ ଆଇନ ଉଚ୍ଛେଦ କିମ୍ବା ଆବଶ୍ୟକସ୍ଥଳେ ଏଥିରେ ସଂଶୋଧନ ଲାଗି ବାରମ୍ବାର ପରାମର୍ଶ ଦେଇଆସୁଛନ୍ତି । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଇନ୍‌ କମିସନ ଗଠନ କଥା ଚିନ୍ତା କରାଯାଇଥିଲା।

ପୂର୍ବରୁ ଆଇନ୍‌ର ତର୍ଜମାକରି ତାହାର ସଂଶୋଧନ ଲାଗି ଆଇନ୍‌ ବିଭାଗ ଅଧିନରେ ‘ଲ ରିଭିଜନ କମିଟି’ (ଏଲ୍‌ଆରସି) ରହିଥିଲା। ପ୍ରାୟ ଦଶବର୍ଷ ଧରି ଏହି କମିଟିର କେହି ନିୟମିତ ଅଧ୍ୟକ୍ଷ ନଥିଲେ। ଆଇନ୍‌ ବିଭାଗର ଜଣେ ଜଣେ ଅଧିକାରୀ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଉଥିଲେ। ଅତୀତରେ ରାଜ୍ୟ ସରକାର ମଧ୍ୟ ଏଥିରେ ରାଜନୈତିକ ନେତା, ଅବସରପ୍ରାପ୍ତ ଆଇନ୍‌ ସଚିବ ଆଦିଙ୍କୁ ଥଇଥାନ ନିଯୁକ୍ତି ଦେଉଥିଲେ । ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏଲ୍‌ଆରସି ଗଠନ କରାଯାଇଥିଲା, ତାହା ବିଫଳ ହୋଇଥିଲା। ଶେଷରେ ସରକାର ଏହି ବ୍ୟବସ୍ଥାରେ ପୂର୍ଣ୍ଣଛେଦ ଟାଣି ଆଇନ କମିସନ ଗଠନ ନିଷ୍ପତ୍ତି ନେଇଥିଲେ।

ଓଡିଶାରେ ଏବେ ବିଭିନ୍ନ କିସମର ପ୍ରାୟ ୧୨୦୦ରୁ ଅଧିକ ଆଇନ୍‌, ଉପବିଧି ଆଦି ରହିଛି । ଏମିତିକି ୧୮୯୪ ଓ ୧୯୧୫ ମସିହାର ଆଇନ୍‌ ବି ଆମ ରାଜ୍ୟରେ ପ୍ରଚଳିତ ଥିବା କୁହାଯାଉଛି। ଓଡିଶା ସରକାରଙ୍କ ଖାତାରେ ଯେତେ ଆଇନ୍‌ ରହିଛି, ସେଥି ମଧ୍ୟରୁ ଅନେକ ପୁରୁଣା ଓ ଅଦରକାରୀ ଆଇନ। ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗର ମଧ୍ୟ କେତେକ ସ୍ଥଳରେ ଧାରଣାନାହିଁ। ରାଜ୍ୟ ସରକାରଙ୍କ ଲ ରିଭିଜନ କମିଟି ଯଦି ଠିକଣାଭାବେ କାମ କରିଥାନ୍ତା, ସମ୍ଭବତଃ ଏଥିରୁ ଅନେକ ଉଚ୍ଛେଦ ହୋଇସାରନ୍ତାଣି ଅଥବା ସମୟ ସହ ତାଳଦେଇ ଆଉ ଅନେକ ଆଇନ୍‌ରେ ପରିବର୍ତ୍ତନ ବି ହୋଇସାରନ୍ତାଣି। ହେଲେ ଏତେସବୁ ପୁରୁଣାକାଳିଆ ଅଦରକାରୀ ଆଇନ୍‌ ବଦଳା ଯିବା କ୍ଷେତ୍ରରେ କେହି ଆଗ୍ରହ ପ୍ରକାଶ କରିନାହାନ୍ତି।

ପୂର୍ବରୁ ୫ ବର୍ଷରୁ ପୁରୁଣା କୌଣସି ମାମଲା ରହିବ ନାହିଁ ବୋଲି ଅର୍ଥ କମିସନଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ୨୦୧୧ ମସିହାରେ ସ୍ୱତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ। ହେଲେ ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢୁଥିବାରୁ ବସ୍ତୁତଃ ଏହି ନୀତି ମଧ୍ୟ ଏକ ପ୍ରକାର ବିଫଳ ହୋଇଛି। ଏଣୁ ଏ ଦିଗରେ ମଧ୍ୟ କମିସନଙ୍କ ପରାମର୍ଶକୁ ସରକାର ଗୁରୁତ୍ୱ ଦେଇପାରନ୍ତି।

ସମ୍ବନ୍ଧିତ ଖବର