ଦେଓଗାଁ: ବହୁ ବର୍ଷ ଧରି ବନ୍ଦ ପଡ଼ିଥିବା ବଲାଙ୍ଗୀର ଜିଲ୍ଲା ଦେଓଗାଁ ନିକଟ ବିଜୟାନନ୍ଦ ସମବାୟ ଚିନିକଳ ପୁଣି ଚାଲିବା ଆଶା ଉଜ୍ବଳ ହୋଇଛି। ଏନେଇ ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏହି ଖବର ଜଣାପଡ଼ିବା ପରେ ଅଞ୍ଚଳର ଆଖୁଚାଷୀଙ୍କ ମନରେ ନୂଆ ଆଶା ସଂଚାର ହୋଇଛି। ସେହିପରି ବିଭିନ୍ନ ସଂଗଠନ, କର୍ମଚାରୀମାନେ ମଧ୍ୟ ଉତ୍ସାହିତ ଅଛନ୍ତି।
ସେହିପରି ଗତ କିଛିଦିନ ହେଲା କାରଖାନା ଆଗରେ ଧାରଣା ଦେଇଆସୁଥିବା ଭିଲେଜର୍ସ ଇଣ୍ଡିଆ ପାର୍ଟିର ଡ. ବିପିନ କୁଶୁଲିଆ, ରାଜେଶ ବଗର୍ତ୍ତି, ନୀଳମଣି ଦୀପ ପ୍ରମୁଖଙ୍କ ସହ ବିଭିନ୍ନ ସଂଗଠନ ସଦସ୍ୟମାନେ ଶନିବାର ଚିନିକଳ ସମ୍ମୁଖରେ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ଦେଓଗାଁ ସାଗରରପାଲିସ୍ଥିତ ଏହି ଚିନି କଳକୁ ପିପିପି ମୋଡ଼ରେ ସମବାୟ ବିଭାଗ କାର୍ଯ୍ୟକ୍ଷମ କରିବା ଯୋଜନା କରିଛି। ଏହି କାରଖାନା ଚାଲିବା ପାଇଁ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ୯୨.୬ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ଜଣାପଡ଼ିଛି। ଯନ୍ତ୍ରପାତି ମରାମତି ପାଇଁ ୧୭.୬କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। କାରଖାନା ସହ ଯନ୍ତ୍ରାଂଶ ମରାମତି ପାଇଁ ୨୦୨୪-୨୫ରେ ମଧ୍ୟ ୧୬.୭୫ କୋଟି ଏବଂ ୨୦୨୫-୨୬ରେ ୧୪.୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବ୍ଲୁପ୍ରିଣ୍ଟ କରିଥିବା ସୂଚନା ମିଳିଛି। ଏହା ସହ କାରଖାନା ଥିବା ୧୨୬ ଏକର ଜମିକୁ ଚିହ୍ନଟ କରି ପାଚେରି ଦେବା, କାରଖାନାରୁ ଚିନି ଓ ଇଥାନାଲ ବାହାର କରିବାର ଯୋଜନା କରିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/37-7.jpg)