ବିଜୟଶ୍ରୀଙ୍କ ପରଲୋକ

ଅଧ୍ୟାପନାରୁ ରାଜନୀତିକୁ ଯାଇ ସଫଳ ହୋଇଥିଲେ, ବାସୁଦେବପୁରରୁ ଲଗାତାର ୬ ଥର ବିଜୟୀ ହୋଇଥିଲେ

ଭୁବନେଶ୍ବର : ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ବୁଧବାର ଦିନ ପରଲୋକ ହୋଇଯାଇଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ସେ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି।

ମେ’ ପ୍ରଥମ ସପ୍ତାହରେ ଶ୍ରୀ ରାଉତରାୟ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ। ‌ଚିକିତ୍ସା ପରେ ସେ କରୋନାରୁ ମୁକ୍ତ ହୋଇଥିଲେ। କିନ୍ତୁ କରୋନା ପରବର୍ତ୍ତୀ ଜଟିଳତା ଯୋଗୁ ଏକ ଡାକ୍ତରୀ ଦଳ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ବୁଧବାର ସକାଳୁ ଦେହ ଅଧିକ ଖରାପ ହୋଇଯାଇଥିଲା। ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କ ରକ୍ତଚାପ ନିୟନ୍ତ୍ରଣକୁ ଆସିପାରି ନ ଥିଲା ବୋଲି ସାନ ପୁଅ ତଥା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅପରାହ୍ନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁଶଯ୍ୟା ନିକ‌ଟରେ ତାଙ୍କ ପତ୍ନୀ ଡାକ୍ତର ଜ୍ୟୋତି ରାଉତରାୟ ଓ ବଡ଼ ପୁଅ ଦୁର୍ଗାଦତ୍ତ ରାଉତରାୟ ଉପସ୍ଥିତ ଥିଲେ। ଆଜି ପରଲୋକ ଖବର ଜଣାପଡ଼ିବା ପରେ ବହୁ ବରିଷ୍ଠ ନେତା ହସ୍ପିଟାଲ୍‌ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ବୁଧବାର ରାତିରେ ତାଙ୍କ ମରଶରୀରକୁ ଭୁବନେଶ୍ବରର ଖାରବେଳ ନଗରସ୍ଥିତ ବାସଭବନକୁ ଅଣାଯାଇଛି। ଗୁରୁବାର ସକାଳେ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ମରଶରୀରକୁ ଅଣାଯିବ ଓ ସେଠାରେ ଦଳୀୟ ନେତାମାନେ ଶେଷ ଦର୍ଶନ କରିବେ। ଏହାପରେ ବିଧାନସଭା ପରିସରରେ ‌ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ନିଜ ନିର୍ବାଚନମଣ୍ଡଳୀ ବାସୁଦେବପୁରକୁ ନିଆଯିବ। ସେଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟ ଜଣେ ସଫଳ ତଥା ସ୍ପଷ୍ଟବାଦୀ ରାଜନେତା ଭାବେ ବେଶ୍‌ ପରିଚିତ। ଛାତ୍ର ଜୀବନରେ ଜଣେ ମେଧାବୀ ଛାତ୍ର ଥିବା ଶ୍ରୀ ରାଉତରାୟ ଭୂଗୋଳରେ ସ୍ନାତ‌କୋତ୍ତରରେ ଗୋଲ୍‌ଡ୍‌ ମେଡାଲ୍‌ ପାଇଥିଲେ। ଏହା ପରେ ରେଭେନ୍ସା କଲେଜରେ ଅଧ୍ୟାପନାରୁ ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରେ ସେ ଅଧ୍ୟାପକ ଚାକିରି ଛାଡ଼ି ସକ୍ରିୟ ରାଜନୀତିରେ ଭାଗ ନେଇଥିଲେ। ନିର୍ବାଚନୀ ରାଜନୀତିରେ ବେଶ୍‌ ସଫଳ ହୋଇଥିଲେ ଶ୍ରୀ ରାଉତରାୟ। ୧୯୯୦ ମସିହାରୁ ଲଗାତର ଭାବେ ୬ ଥର ବାସୁଦେବପୁରରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ। ପ୍ରଥମ ଦୁଇ ଥର ଜନତା ଦଳ ଓ ପରେ ଚାରି ଥର ବିଜେଡି ଟିକେଟ୍‌ରେ ବିଜୟୀ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ଚାରି ପାଳିର ୧୯ ବର୍ଷର ଶାସନ ମଧ୍ୟରେ ଶ୍ରୀ ରାଉତରାୟ ୧୩ ବର୍ଷ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ପର୍ଯ୍ୟଟନ, ସଂସ୍କୃତି, ଜଙ୍ଗଲ ଓ ପରିବେଶ, ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗ ପରି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ବିଭିନ୍ନ ସମୟରେ ସଫଳତାର ସହ ତୁଲାଇଥିଲେ।

୨୦୧୯ ମସିହାରେ ଶ୍ରୀ ରାଉତରାୟ ନିର୍ବାଚନ ଲଢ଼ି ନ ଥିଲେ। ତାଙ୍କର ନିଜ ନିର୍ବାଚନମଣ୍ଡଳୀ ବାସୁଦେବପୁରରେ ପୁଅ ବିଷ୍ଣୁବ୍ରତ ରାଉତରାୟ ବିଜେଡି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ। ସେ ବିଜୟ ଲାଭ କରି ବାପାଙ୍କ ଗଡ଼ ରକ୍ଷା କରିବାରେ ସମର୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର