ଭୁବନେଶ୍ବର : ଏକ ମହିମାମଣ୍ଡିତ ପରମ୍ପରା ଓ ଐତିହ୍ୟର ଦାୟାଦ ଥିଲେ ବିଜୟଶ୍ରୀ ରାଉତରାୟ। ଜଣେ ଦରଦୀ ମଣିଷ ଭାବେ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ସେ ପ୍ରବୀଣ ରାଜନେତା, ଦକ୍ଷ ବିଧାୟକ ଓ କ୍ରିୟାଶୀଳ ମନ୍ତ୍ରୀ ଭାବେ ନୂତନ ମାନକ ନିର୍ମାଣ କରିଥିଲେ। ଓଡ଼ିଶା ନବନିର୍ମାଣରେ ତାଙ୍କ ପରିବାରର ବିଶେଷ ଭୂମିକା ଥିଲା ଏବଂ ସେହି ପରମ୍ପରାକୁ ସେ ନିଜ କର୍ମ ମାଧ୍ୟମରେ ଆଗେଇ ନେଇଛନ୍ତି। ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବାରେ ନିଜକୁ ଉତ୍ସର୍ଗ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ବିଜୟଶ୍ରୀ ରାଉତରାୟ ସ୍ମୃତି ପରିଷଦ ପକ୍ଷରୁ ବିଜୟଶ୍ରୀ ରାଉତରାୟଙ୍କ ରାଜ୍ୟସ୍ତରୀୟ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଏହା କହିଛନ୍ତି।
/sambad/media/post_attachments/wp-content/uploads/2022/06/m20-300x180.jpg)
ଇଡିକଲ୍ ଅଡିଟୋରିୟମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରାଜନେତା ପ୍ରଭାତ ତ୍ରିପାଠୀ ସଭାପତିତ୍ବ କରିଥିଲେ। ମୁଖ୍ୟବକ୍ତା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ବିଜୟଶ୍ରୀ ଓଡ଼ିଶାର ଅନ୍ୟତମ ସଫଳ କାହାଣୀର ନାୟକ ଥିଲେ। ପ୍ରାୟତଃ ଓଡ଼ିଶାର ସଫଳ ଲୋକଙ୍କ ଜୀବନ, ଏକ ଗରିବ ପରିବାରରୁ ଆରମ୍ଭ ହୋଇଥିବା ଦେଖାଯାଏ। କିନ୍ତୁ ବିଜଶ୍ରୀଙ୍କ କ୍ଷେତ୍ରରେ ତାହା ଭିନ୍ନ। ଭଗବାନ ତାଙ୍କୁ ଯେଉଁ ପରିବାରରେ ଜନ୍ମ ଦେଲେ, ରାଜନୀତିରେ ପ୍ରବେଶ କରିବା ତାଙ୍କ ପାଇଁ ଏକ ସ୍ବାଭାବିକ ପ୍ରକ୍ରିୟା ଥିଲା। ସେ ଭୂଗୋଳର ଛାତ୍ର ଓ ଅଧ୍ୟାପକ ଥିଲେ। କିନ୍ତୁ ଓଡ଼ିଶା ଇତିହାସରେ ନିଜ ଜୀବନକୁ ରାଜନୀତିର ଅନ୍ୟତମ ଉଲ୍ଲେଖନୀୟ ଚରିତ୍ର ଭାବେ ଉପସ୍ଥାପିତ କରିଛନ୍ତି। ୧୯୯୦ ମସିହାରୁ ୬ଥର ନିର୍ବାଚିତ ହୋଇଥିଲେ। କ୍ଷମତା ବା ଅର୍ଥର ଅହଂକାର ତାଙ୍କୁ ସ୍ପର୍ଶ କରିନଥିଲା। କାରଣ ସେ ବିନ୍ଦାସ୍ ଲୋକ ଥିଲେ। ସେ ଛାତ୍ର ଜୀବନରୁ ରାଜନୀତିକୁ ପ୍ରବେଶ କରିଥିଲେ। ଏବେ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାଦ୍ବାରା ଛାତ୍ର ରାଜନୀତିର ପୂର୍ଣ୍ଣେଚ୍ଛେଦ ପଡ଼ିଛି। ସମୟ ଆସିଛି, ସରକାର ଗଣତନ୍ତ୍ରକୁ ସମୃଦ୍ଧ କରିବା ପାଇଁ, ପ୍ରତ୍ୟେକ ଛାତ୍ରକୁ ସୁଯୋଗ ଦେବା ପାଇଁ ଛାତ୍ର ରାଜନୀତିକୁ ପୁଣିଥରେ ଆରମ୍ଭ କରିବା ଦରକାର। ଗଣତନ୍ତ୍ରର ଅନ୍ତୁଡ଼ିଶାଳ କଲେଜ ରାଜନୀତି। ଯଦି ଛାତ୍ରମାନେ ତାଙ୍କ ଛାତ୍ରାବସ୍ଥାରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଭ୍ୟସ୍ତ ନ ହେବେ, ପରବର୍ତ୍ତୀ ସମୟରେ ସେମାନେ ନେତୃତ୍ବ ନେବା ବେଳେ ସମସ୍ୟା ଦେଖାଦେବ। ବର୍ତ୍ତମାନର ପିଢ଼ିଙ୍କୁ ସେଭଳି ଅନୁଭବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବାଟ ଖୋଲିବାକୁ ଉଦ୍ୟମ କରନ୍ତୁ।
ସମ୍ମାନିତ ଅତିଥି ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡ଼େଇ କହିଲେ, ବିଜୟଶ୍ରୀ ଥିଲେ ଅଜାତଶତ୍ରୁ। ଆଗାମୀ ପିଢ଼ି ତାଙ୍କଠାରୁ ନିର୍ଭୀକତା ଶିଖିବାର ଆବଶ୍ୟକତା ରହିଛି। ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ ରାଜନେତା ଦାମୋଦର ରାଉତ କହିଲେ, ବିଜୟଶ୍ରୀଙ୍କ ସହ ମୋର ବଡ଼ ଭାଇ-ସାନ ଭାଇ ଭଳି ସମ୍ପର୍କ ଥିଲା। ଛଅ ଥର ବିଧାୟକ, ଅଧିକାଂଶ ବିଭାଗର ମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ବୋଲି ତାଙ୍କ ଭିତରେ ସାମାନ୍ୟତମ ଅହଂକାର ନଥିଲା। ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ‘ବିଜୟୀ ବିଜୟଶ୍ରୀ’ ସ୍ମୃତି ପୁସ୍ତକକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ଅନୀଲ ଧୀର ପୁସ୍ତକ ସମୀକ୍ଷା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/m23.jpg)