ବିଜେପୁର ସହ ନବୀନଙ୍କ ନିବିଡ଼ତା

ବରଗଡ଼ : ଗତବର୍ଷ ଫେବ୍ରୁଆରି ୨୪ ତାରିଖ ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍‌ ପଡ଼ିଲା। ୨୮ ତାରିଖ ଫଳାଫଳ ଘୋଷଣା ହେଲା। ରେକର୍ଡ ସଂଖ୍ୟକ ଭୋଟ୍‌ରେ ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ବିଜେଡି ଟିକେଟ୍‌ ପାଇ ବାଜିମାତ୍‌ କଲେ। ଉପନିର୍ବାଚନକୁ ବର୍ଷେ ବିତି ଗଲାଣି। ବିଜେପୁର ଉପନିର୍ବାଚନର ଉଷ୍ଣତା ଏବଂ ଚର୍ଚ୍ଚା ଉଭେଇ ଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନ ବେଳେ ବିଜେପୁରରେ ସ୍ବାଭାବିକ ନିର୍ବାଚନ ହେବ ବୋଲି ହିସାବକିତାବ କହୁଥିଲା। କିନ୍ତୁ ପୁଣି ବିଜେପୁର ରାଜ୍ୟ କାହିଁକି ଜାତୀୟ ରାଜନୀତିର ଚର୍ଚ୍ଚା ପରିଧିକୁ ଆସିଛି। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ନିର୍ବାଚନ ଲଢ଼ିବାକୁ ମନ ବଳାଉଥିବା ଚର୍ଚ୍ଚା ଚାଲିଛି।

ମୁଖ୍ୟମନ୍ତ୍ରୀ ଏଠାରୁ ଲଢ଼ିବେ ଅଥବା ନଲଢ଼ିବେ ଅଲଗା କଥା। କିନ୍ତୁ ବିଜେପୁର ସହ ତାଙ୍କ ନିବିଡ଼ତା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଉପନିର୍ବାଚନ ବେଳେ ଗତବର୍ଷ ଫେବ୍ରୁଆରି ୧୯ ତାରିଖ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରପାଲି ଠାରେ ପ୍ରଚାର ସଭାରେ ଯୋଗ ଦେଇଥିଲେ। ସେତିକି ବେଳେ ନିଜେ ମୁଖ୍ୟମନ୍ତ୍ରୀ ବିଜେପୁର ବିକାଶର ଦାୟିତ୍ବ ନିଜ କାନ୍ଧକୁ ନେଇଥିଲେ। କହିଥିଲେ, ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ଭୋଟ ଦିଅ, ବିଜେପୁର ବିକାଶ କଥା ମୁଁ ନିଜେ ବୁଝିବି। ବଡ଼ଗାଁ ପଡିଆରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରପାଲି ମାଟିକୁ ପ୍ରଶ˚ସାରେ ପୋତି ପକାଇଥିଲେ। ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ ସ୍ମରଣ କରିବା ସହିତ ବରପାଲିକୁ ସ୍ବାଧୀନତା ସ˚ଗ୍ରାମୀର ପୀଠ ବୋଲି ବର୍ଣ୍ଣନା କରି ଭାଗୀରଥି ପଟ୍ଟନାୟକଙ୍କୁ ମନେ ପକାଇଥିଲେ। ଏପରିକି ସୁବଳ ସାହୁଙ୍କ ବିୟୋଗ ଘଟଣାରେ ଗଭୀର ଶୋକବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଚିରାଚରିତ ଭାଷଣ ଠାରୁ ଏଠାରେ ଅଲଗା ସ୍ବର ଶୁଣିବାକୁ ମିଳିଥିଲା। ଏଥିରୁ ବିଜେପୁର ଆସନ ପ୍ରତି ତାଙ୍କ ପ୍ରୀତି ବାରି ହେଉଥିଲା।

କେବଳ ସେତିକି ନୁହେଁ ବିଜେପୁର ବିଜୟ ପରେ ମୁଖ୍ୟମନ୍ତ୍ରୀ ଭୋଟର୍‌ଙ୍କୁ କୃତଜ୍ଞତା ଜ୍ଞାପନ କରିବା (ଜୁହାର୍‌ ଭେଟ୍‌) ପାଇଁ ଗତବର୍ଷ ମାର୍ଚ୍ଚ ୧୨ ତାରିଖ ବରପାଲି ମିନି ଷ୍ଟାଡିୟମକୁ ଆସିଥିଲେ। ଏଠାରେ ପାରମ୍ପାରିକ ଢାଞ୍ଚା ଠାରୁ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଅଲଗା ଥିଲା। ଭାଷଣରେ କୃତଜ୍ଞତା, ସମବେଦନା ଏବ˚ ଶକ୍ତିର ଫେଣ୍ଟାଫେଣ୍ଟି ଝଲକ ଦେଖିବାକୁ ମିଳିଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୟ ପାଇଁ ସମଗ୍ର ନିର୍ବାଚନମଣ୍ତଳୀର ଭୋଟର‌୍‌ଙ୍କୁ କୃତଜ୍ଞତା ଜଣାଇଥିଲେ। ସେ ବରଗଡ଼ ଜିଲ୍ଲାର ଆତିଥ୍ୟକୁ ମନେ ପକାଇଥିଲେ। କହିଥିଲେ, ବିଜେପୁର ନିର୍ବାଚନ ବେଳେ ଆସିଥିଲି। ଏଠାରେ ଦୁଇ ଦିନ ରହିଲି। ଜିଲ୍ଲାବାସୀଙ୍କ ଶୁଭେଚ୍ଛା ଓ ସମର୍ଥନ ମତେ ଗଦଗଦ କରି ଦେଇଛି। ଏହି ଦୁଇଟି ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁର ନିର୍ବାଚନମଣ୍ଡଳୀ ତଥା ଏଠାକାର ଲୋକଙ୍କୁ ଭଲ ପାଉଥିବା ଚିତ୍ର ଦେଖାଇଥିଲେ। ଯଦି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁରରୁ ଲଢ଼ନ୍ତି, ତେବେ ସେ ଦେଖାଇଥିବା ଚିତ୍ର ବାସ୍ତବ ରୂପ ନେବ।

ସମ୍ବନ୍ଧିତ ଖବର