ମାଟ୍ରିକ୍‌ ପରୀକ୍ଷା କାର୍ଯ୍ୟସୂଚୀ ବଦଳିବ ନାହିଁ: ବୋର୍ଡ ସଭାପତି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମାଟ୍ରିକ ଚଳିତ ବର୍ଷ ପରୀକ୍ଷା (ରେଗୁଲାର ଓ ଏକ୍ସରେଗୁଲାର) ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଫେବ୍ରୁଆରି ୨୩ତାରିଖରୁ ଆରମ୍ଭ ହୋଇ ମାର୍ଚ ୮ରେ ଶେଷ ହେବ। ପରୀକ୍ଷା କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ୍‌ ଆରା ବେଗମ୍‌ ସୂଚନା ଦେଇଛନ୍ତି। ପ୍ରଫେସର ବେଗମ୍‌ କହିବା ଅନୁସାରେ ବିଜେପୁର ନିର୍ବାଚନ ପାଇଁ ମାଟ୍ରିକ୍‌ ପରୀକ୍ଷା ଘୁଞ୍ଚିବା ସଂକ୍ରାନ୍ତରେ ଆଜି ଗଣଶିକ୍ଷା ବିଭାଗରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଫେବ୍ରୁଆରି ୨୩ରୁ ମାଟ୍ରିକ୍‌ ପରୀକ୍ଷା କରାଯିବାକୁ ବୈଠକରେ ସ୍ଥିର ହୋଇଛି ବୋଲି ଡକ୍ଟର ବେଗମ୍‌ ସୂଚନା ଦେଇଛନ୍ତି।

ଫେବ୍ରୁଆରି ୨୪ରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ଯେଉଁ ସବୁ ଭେଟ୍‌ଗ୍ରହଣ କେନ୍ଦ୍ର ସ୍ଥିର କରାଯାଇଛି, ସେଠାରେ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ନାହିଁ। ପୁଣି ୨୪ତାରିଖରେ ସେଠାରେ ପରୀକ୍ଷା ନଥିବାରୁ ମାଟି୍ରକ୍‌ ପରୀକ୍ଷା ପ୍ରଭାବିତ ହେବାର ସମ୍ଭାବନା ନାହିଁ ବୋଲି ଡକ୍ଟର ବେଗମ୍‌ କହିଛନ୍ତି। ମାଟ୍ରିକ୍‌ ପରୀକ୍ଷା ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ବ୍ରହ୍ମପୁର ଜୋନ୍‌ ବ୍ୟତୀତ ଅନ୍ୟ ସମସ୍ତ ଜୋନ୍‌ରେ ଚେକ୍‌ର-ମେକର, କେନ୍ଦ୍ର ଅଧୀକ୍ଷକମାନଙ୍କ ପ୍ରଶିକ୍ଷଣ ସମାପ୍ତ ହୋଇଛି। ଗତକାଲି ଓଡ଼ିଶା ବନ୍ଦ ପାଇଁ ବ୍ରହ୍ମପୁର ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ ବାତିଲ କରାଯାଇଥିବା ଡକ୍ଟର ବେଗମ୍‌ ସୂଚନା ଦେଇଛନ୍ତି। ବ୍ରହ୍ମପୁର ଜୋନ୍‌ ପ୍ରଶିକ୍ଷଣ ଖୁବ୍‌ ଶୀଘ୍ର କରାଯିବ। ବିଜେପୁର ନିର୍ବାଚନ ପାଇଁ ମାଟ୍ରିକ ପରୀକ୍ଷା ଆଦୌ ପ୍ରଭାବିତ ହେଉନଥିବାରୁ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କରାଯିବ ବୋଲି ସଭାପତି ଡକ୍ଟର ବେଗମ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର