ବିଜେପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ: କାଲି ସକାଳ ୭ଟାରୁ ମତଦାନ

ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ହେବ ମୁକାବିଲା

ବିଜେପୁର/ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି। ମତଦାନ ସମୟରେ କଡ଼ାସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ସମ୍ବେଦନଶୀଳ ମତଦାନ କେନ୍ଦ୍ର ଗୁଡ଼ିକରେ ପୁଲିସ ମୁତୟନ କରାଯାଇଛି। ପ୍ରସ୍ତୁତି ନେଇ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି। ବରଗଡ଼ ଜିଲ୍ଲାର ପଦ୍ମପୁର ଆର୍‌ଏମ୍‌ସି ଠାରୁ ପୁଲିଂ ଦଳଗୁଡ଼ିକ ଇଭିଏମ୍‌ ଏବଂ ଅନ୍ୟ ସାମଗ୍ରୀ ନେଇ କଡ଼ା ସୁରକ୍ଷା ଭିତରେ ନିଜନିଜ ବୁଥ୍‌ରେ ଶନିବାର ସୁଦ୍ଧା ପହଞ୍ଚି ସାରିଛନ୍ତି।

ରାତି ପାହିଲେ ଅର୍ଥାତ ସୋମବାର ସକାଳ ୭ଟାରୁ ୨୮୫ଟି ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହେବ। ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ଶେଷ ହୋଇଯିବ। ମତଦାନ ଶେଷ ହେବା ପରେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ରାତି ସୁଦ୍ଧା ପଦ୍ମପୁରରେ ପ୍ରସ୍ତୁତ କରାଯାଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍‌ ଓ ଅନ୍ୟ ସାମଗ୍ରୀ ଦାଖଲ କରିବେ। ନିର୍ବାଚନ ଫଳାଫଳ ଅକ୍ଟୋବର ୨୪ ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ। ଭୋଟ ଗଣତି ଅକ୍ଟୋବର ୨୪ରେ ପଦ୍ମପୁରସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ଠାରେ ପୂର୍ବାହ୍ଣ ୮ଟାରୁ ଆରମ୍ଭ ହେବ।

ନିର୍ବାଚନ ମଇଦାନରେ ବିଜୁ ଜନତା ଦଳ (ବିଜେଡି ପ୍ରାର୍ଥୀ) ପ୍ରାର୍ଥୀ ରିତା ସାହୁ, ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ସନତ ଗଡ଼ତିଆ, କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା, ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରାର୍ଥୀ ଅଶୋକ ମିତ୍ତଲ ଓ ସ୍ୱାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ଅବତୀର୍ଣ୍ଣ ହୋଇଛନ୍ତି। ଆଶା କରାଯାଉଛି ଯେ, ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବ କିନ୍ତୁ ଶାସକ ଦଳ ବିଜୁ ଜନତା ଦଳର ପ୍ରଭାବ ଅଧିକ ଦେଖାଯାଉଛି।

ବିଜେପୁର ଉପନିର୍ବାଚନ ମଣ୍ଡଳୀରେ ମୋଟ୍‌ ୨୮୫ଟି ବୁଥରେ ମତଦାନ ହେବ। ମୋଟ୍‌ ୨୦୫ଟି ସ୍ଥାନରେ ଗୋଟିଏ ଏବଂ ୩୮ଟି ସ୍ଥାନରେ ଏକାଧିକ ମତଦାନ କେନ୍ଦ୍ର ବ୍ୟବସ୍ଥା ରହିଛି। ଏଥିରୁ ୬ଟି ବୁଥ୍‌ ଅତି ସମ୍ବେଦନଶୀଳ ଏବଂ ୧୨୯ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ଉପନିର୍ବାଚନରେ ମୋଟ୍‌ ୨,୩୨,୦୫୫ ଭୋଟ୍‌ର ମତଦାନରେ ଭାଗ ନେବେ। ଏଥିରୁ ୧,୧୯,୯୩୯ ପୁରୁଷ, ୧,୧୨,୧୦୧ ମହିଳା ଏବଂ ୧୫ଜଣ ତୃତୀୟ ଲିଂଗୀ ଭୋଟର୍‌ ଅଛନ୍ତି। ଚିହ୍ନଟ ହୋଇଥିବା ୨୭୫୦ଜଣ ଦିବ୍ୟାଂଗ ଭୋଟର୍‌ ପାଇଁ ୨୮୫ଟି ହ୍ଵିଲ୍‌ ଚେୟାର ରହିବ। ପ୍ରତି ଦିବ୍ୟାଂଗଙ୍କୁ ୨ଜଣ ଲେଖାଏଁ ସ୍ୱେଚ୍ଛାସେବୀ ମତଦାନ ବେଳେ ସହଯୋଗ କରିବେ। ଘରୁ ଦିବ୍ୟାଂଗମାନଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ମୋଟ୍‌ ୨୩୨୧ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ୧୪୮ଟି ଡମି ବ୍ରେଲି ବାଲାଟ୍‌ ପେପର୍‌ ରହିବ।

୨୮ଟି ବୁଥ୍ରେ ୱେବ୍‌କାଷ୍ଟିଂ, ୧୪ଟିରେ ସିସିଟିଭି, ୧୬ଟିରେ ଭିଡିଓଗ୍ରାଫି କରାଯିବ। ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର୍‌, ୪ଜଣ ପୁଲିଂ ଅଧିକାରୀ ଏବଂ ଜଣେ ଲେଖାଏଁ ସୁରକ୍ଷାକର୍ମୀ ରହିବେ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର