ବିଜେପୁର ବାଛିଲା ବିଧାୟକ

ଇଭିଏମ୍‌ରେ ଭାଗ୍ୟ ସିଲ୍‌, ୨୮ରେ ଗଣତି

ଭୋଟ୍‌ ଗ୍ରହଣ ଶାନ୍ତିପୂର୍ଣ୍ଣ
୮୧ ପ୍ରତିଶତ ମତଦାନ
ସମସ୍ତେ କହିଲେ, ‘ଆମେ ଜିତିବୁ’

ବରଗଡ଼/ଭୁବନେଶ୍ୱର : ମାତ୍ର ୧୪ମାସ ପାଇଁ ବିଜେପୁର ନିର୍ବାଚନମଣ୍ଡଳୀର ଭୋଟର ଆଜି ନିଜର ବିଧାୟକଙ୍କୁ ବାଛିଛନ୍ତି। ଇଭିଏମ୍‌ ମଧ୍ୟରେ ନବନିର୍ବାଚିତ ବିଧାୟକଙ୍କ ଭାଗ୍ୟ ସିଲ୍‌ ହୋଇ ରହିଛି। ଆସନ୍ତା ୨୮ ତାରିଖ ଦିନ ଗଣତି ପରେ ଭୋଟରଙ୍କ ରାୟ ସାର୍ବଜନୀନ ହେବ।

ପ୍ରାକ୍‌ ନିର୍ବାଚନୀ ରାଜନୈତିକ ହିଂସାକାଣ୍ଡ ଓ ଛକାପଞ୍ଝାକୁ ନେଇ ବିଜେପୁର ଚର୍ଚାରେ ଥିଲେ ମଧ୍ୟ ଆଜି ଏହି ଉପନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହିତ ଭୋଟ୍‌ ଗ୍ରହଣ ହୋଇଥିଲା। ରାତି ସାଢ଼େ ୭ଟା ସୁଦ୍ଧା ମିଳିଥିବା ତଥ୍ୟାନୁସାରେ ୮୦.୯୨% ମତଦାନ ହୋଇଛି। ତେବେ ଏହା ଚୂଡ଼ାନ୍ତ ନୁହେଁ, ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତପିରାମ ମାଝୀ କହିଛନ୍ତି, ଆସନ୍ତାକାଲି ସବୁ ଭିଭିପାଟ୍‌ ମେସିନ୍‌ରୁ ତଥ୍ୟ ଯୋଗାଡ଼ ପରେ ପ୍ରକୃତ ଭୋଟ୍‌ ହାର ଜଣାପଡ଼ିବ। ଭୋଟ୍‌ ଗ୍ରହଣ ସମୟରେ କୌଣସି ସ୍ଥାନରେ କିଛି ବି ଅଘଟଣର ହୋଇ ନାହିଁ। ୨୦୧୪ ମସିହା ସାଧାରଣ ନିର୍ବାଚନରେ ଏଠାରେ ୮୧.୮୬% ମତଦାନ ହୋଇଥିଲା।

ଆଜି ଭୋଟ୍‌ ଗ୍ରହଣ ସରିବା ପରେ ପୁଲିଂ ପାର୍ଟି ଏବଂ ଇଭିଏମ୍‌କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପଦ୍ମପୁର ଅଞ୍ଚଳ କଲେଜ ଷ୍ଟ୍ରଙ୍ଗ୍‌ ରୁମ୍‌କୁ ନିଆଯାଇଥିଲା। ସେଠାରେ ଗୋଟିଏ କମ୍ପାନି ସଶସ୍ତ୍ର ପୁଲିସ୍‌ ମୁତୟନ ଅଛନ୍ତି। ଆସନ୍ତା ୨୮ ତାରିଖ ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ଓ ସେହିଦିନ ଫଳାଫଳ ଘୋଷଣା କରାଯିବ।

ଅନ୍ୟପକ୍ଷରେ ଉପନିର୍ବାଚନର ଫଳାଫଳକୁ ନେଇ ସମଗ୍ର ରାଜ୍ୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଯଦିଓ ନିର୍ବାଚନରେ ପାଖାପାଖି ୧୩ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ, ତେବେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେଉଥିଲା। ଏଥିରେ କାହା ସପକ୍ଷରେ ଭୋଟର ଅଧିକ ମତ ଦେଲେ ସେ ନେଇ ବିଭିନ୍ନ ମହଲ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

କଂଗ୍ରେସ ନେତାମାନଙ୍କର କହିବା କଥା ହେଉଛି, ତ୍ରିମୁଖୀ ଲଢ଼େଇ ହୋଇଛି। କଂଗ୍ରେସର ପ୍ରାର୍ଥୀ ସମସ୍ତଙ୍କଠାରୁ ଅଧିକ ଗ୍ରହଣୀୟ, ଏକଥା ଭୋଟର ଅନୁଭବ କରିଛନ୍ତି। ସ୍ୱାଭାବିକ ଭାବେ ଏହା ଭୋଟରେ ରୂପାନ୍ତରିତ ହୋଇଥିବ ବୋଲି କଂଗ୍ରେସ ଆଶା କରୁଛି। ଭାରତୀୟ ଜନତା ପାର୍ଟି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ କହିଛନ୍ତି, ବିଜେପୁର ମଇଦାନ ବିଜେପିର। ଏଠାରେ ପଞ୍ଚାୟତ ବେଳରୁ ହିଁ ଜନମତ ବିଜେପି ସହିତ ରହିଛି। ଅଧିକ ବ୍ୟବଧାନ ନ ହେଲେ ବି ଅନ୍ତଃସ୍ୱର ଦଳ ସପକ୍ଷରେ ରହିଥିବା କାରଣରୁ ବିଜେପି ସପକ୍ଷରେ ହିଁ ଫଳାଫଳ ଯିବ। ବିଜେପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡିକୁ ଭଲ ଭୋଟ ମିଳିବ ଓ ବଡ଼ ଭୋଟ ବ୍ୟବଧାନରେ ଦଳୀୟ ପ୍ରାର୍ଥୀ ଜିତିବେ, ଏଥିରେ ସନ୍ଦେହ ନାହିଁ। ବିଜେପିର ଗୁଣ୍ଡାରାଜ ଓ ଦାଦାଗିରି ବିରୋଧରେ ଏହି ଭୋଟ ହୋଇଛି ଓ ସ୍ଥାନୀୟ ଲୋକେ ବିକାଶ ସପକ୍ଷରେ ରହିବାକୁ ସ୍ଥିର କରିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଏହି ଉପନିର୍ବାଚନ ଫଳାଫଳକୁ ନେଇ ବେଶ୍‌ କିଛି ଭବିଷ୍ୟବାଣୀ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ଏହି ମହଲର କହିବା କଥା ହେଉଛି, ପଞ୍ଚାୟତ ନିର୍ବାଚନରେ ବିଜେପି ସପକ୍ଷରେ ରାୟ ଥିଲେ ହେଁ, ପ୍ରାର୍ଥୀ ଚୟନକୁ ନେଇ ବିଜେପିରେ ଯେଉଁ ବିଦ୍ରୋହ ସୃଷ୍ଟି ହେଲା, ତାହା ଦଳ ପାଇଁ ବୁମେରାଂ ହୋଇଛି। ସ୍ଥାନୀୟ ବିଜେପି ନେତାଙ୍କୁ ଅଣଦେଖା କାରଣରୁ ବିଜେପି ଆରମ୍ଭରୁ କଡ଼ା ମୁକାବିଲା ଭିତରକୁ ଚାଲିଆସିଥିଲା। ପରବର୍ତୀ ସମୟରେ ଟଙ୍କା ଜବତ ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗାଯିବା ଓ ପରବର୍ତ୍ତୀ ସମୟରେ ଗୁଳିକାଣ୍ଡ ଘଟଣା ବିଜେପିକୁ ଲାଭ ଦେଇନି।

ସେପଟେ କଂଗ୍ରେସରୁ ରୀତା ସାହୁଙ୍କୁ ଆଣି ବିଜେଡି ପ୍ରାର୍ଥୀ କରିଥିଲେ ହେଁ, ପରବର୍ତୀ ସମୟରେ ଦଳ ସମ୍ମିଳିତ ଭାବେ ବିଜେପୁରରେ ଡେରା ପକାଇ ଲଢ଼ିଥିଲା। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜେପୁର ପାଇଁ ବଡ଼ ପ୍ୟାକେଜ୍‌ ଘୋଷଣା କରିଥିଲେ ଓ ମୁଖ୍ୟମନ୍ତ୍ରୀ ନିଜେ ଶେଷ ମୁହୂର୍ତରେ ଯାଇ ପ୍ରଚାରର ମଙ୍ଗ ଧରିଥିଲେ। ପ୍ରାର୍ଥୀ ଦୃଷ୍ଟିରୁ କଂଗ୍ରେସ ଆଗରେ ଥିବାବେଳେ କୁଲତା ସମାଜକୁ ପ୍ରତିିନିଧିତ୍ୱ କରୁଥିବା ପରିପ୍ରେକ୍ଷୀରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ତେବେ ବଡ଼ ଧରଣର ମତଦାନ ସୂଚାଇ ଦେଇଛି ଯେ ପରିବର୍ତନ ଆଡ଼କୁ ସ୍ଥାନୀୟ ଲୋକେ ମନ ବଦଳାଇଛନ୍ତି, ଯେଉଁଥିରେ ଗତ ତିନି ଥର ଭଳି ଏଥର କଂଗ୍ରେସ ସପକ୍ଷରେ ଜନମତ ସମ୍ଭାବନା କ୍ଷୀଣ।

ଉଲ୍ଲେଖଯୋଗ୍ୟ, ଆଜି (ଶନିବାର) ସକାଳୁ ମତଦାନ ହାର ମାନ୍ଦା ରହିଥିଲା। ଦିନ ୧୧ଟା ବେଳକୁ ମାତ୍ର ୧୭ ପ୍ରତିଶତ ଭୋଟ ପଡିଥିବା ରେକର୍ଡ କରାଯାଇଥିଲା। ଯାହା ଅପରାହ୍ନ ୨ଟାରେ ବୃଦ୍ଧି ପାଇ ୩୦ ପ୍ରତିଶତ ଡେଇଁଥିଲା। ସଂଧ୍ୟା ୫ଟା ପର୍ଯ୍ୟନ୍ତ ୭୨ ପ୍ରତିଶତ ମତଦାନ ହୋଇଥିଲା। କାଁ ଭାଁ ସାମାନ୍ୟ ପାଟିତୁଣ୍ଡକୁ ଛାଡ଼ି ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହିତ ଭୋଟ ଗ୍ରହଣ ହୋଇଥିଲା। ବିଜେଡି ପ୍ରାର୍ଥିନୀ ରୀତା ସାହୁ ବରପାଲି ଏନ୍‌ଏସି ବୁଥ ନମ୍ବର ୧୯ରେ ପହଂଚି ମତଦାନ କରିଥିଲେ। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଧୀରପୁର ବୁଥ ନମ୍ବର ୨୬ରେ ଭୋଟ୍‌ ଦେଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଗାଇସିଲାଟ୍‌ ବୁରୋମୁଣ୍ଡା ବୁଥ ନମ୍ବର ୨୦୭ ଠାରେ ମତ ସାବ୍ୟସ୍ତ କରିଥିଲେ।

କିଛି ସ୍ଥାନରେ ଭିଭିପାଟ୍‌ ମେସିନ୍‌ ଅଚଳ ହୋଇପଡ଼ିବାରୁ ସେହି ବୁଥ୍‌ଗୁଡ଼ିକରେ ଅତିରିକ୍ତ ଘଣ୍ଟାଏ ସମୟ ଭୋଟ୍‌ ଗ୍ରହଣ ହୋଇଥିଲା। ୧୪୧ ନମ୍ବର ବରମୁଣ୍ଡା, ୨୦ ନମ୍ବର ବରପାଲି ବାଳିକା ସ୍କୁଲ, ଗାଇସିଲାଟ୍‌ର ଚଂଗରିଆ, କେନ୍ଦୁଭଟା, ତାଲପାଲି, ବୁଥ ନମ୍ବର ୪୨ ତୁଲୁଣ୍ଡି, ବନ୍ଧପାଲିର ୧,୨ ଓ ୩, ୫୭ ନମ୍ବର ବରପାଲି କର୍ଲାବାହାଲ, ୧୭ ନମ୍ବର ବରପାଲି ବାଳକ ଉପ୍ରା ବିଦ୍ୟାଳୟ, ୫୫ ନମ୍ବର ବାରପୁଡ଼ା ଏବଂ ୩୫ ନମ୍ବର ବୁଥ ପାଟକୁଲୁଣ୍ଡାରେ ଭିଭିପାଟ୍‌ ଅଚଳ ହୋଇ ପଡ଼ିଥିଲା। ନୂଆ ମେସିନ୍‌ ଆସିବା ପର୍ଯ୍ୟନ୍ତ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ଏସବୁ ବୁଥରେ ନିର୍ଦ୍ଧାରିତ ସଂଧ୍ୟା ୫ଟା ବଦଳରେ ଘଣ୍ଟାଏ ଅତିରିକ୍ତ ମତଦାନ ହୋଇଥିଲା।

ବିଜେପୁର ଅନ୍ତର୍ଗତ ୯୨ ନମ୍ବର ବୁଥରେ ସାମାନ୍ୟ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ତେବେ ଠିକଣା ସମୟରେ ପୁଲିସ୍‌ ପହଂଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା।

ସମ୍ବନ୍ଧିତ ଖବର