ବିଜେପୁର ଉପନିର୍ବାଚନ : ମଇଦାନରେ ୭ ପ୍ରାର୍ଥୀ

ବରଗଡ଼/ପଦ୍ମପୁର : ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ହିଁ ବି‌ଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ମୋଟ ୭ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୧ ତାରିଖରେ ପ୍ରାର୍ଥିପତ୍ରଗୁଡ଼ିକର ଯାଞ୍ଚ ଓ ୩ ତାରିଖରେ ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ଗତ ୨୩ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଗତକାଲି ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ନାମାଙ୍କନ ପାଇଁ ଆସି ନ ଥିଲେ। ତେବେ ୯ ଜଣ ନାମାଙ୍କନପତ୍ର କ୍ରୟ କରିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ, କଂଗ୍ରେସର ଦିଲୀପ ପଣ୍ଡା, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଶୋକ ମିତ୍ତଲ, ସମାଜବାଦୀ ପାର୍ଟିର ଗଂଗାଧର ପୁରୋହିତ ଏବଂ ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ଓ ଡୋଳାମଣି ବେହେରା।

ଆଜି ପଦ୍ମପୁରଠାରେ ବିଜେଡି ପ୍ରାର୍ଥୀ ରୀତା ସାହୁ ନାମାଙ୍କନ ଦାଖଲ ପାଇଁ ଆସିବା ବେଳେ ବିଜେଡି ନିଜ ଶକ୍ତି ଦେଖାଇଛି। ପାରମ୍ପରିକ ବାଦ୍ୟର ତାଳେ ତାଳେ ବାହାରିଥିବା ଏକ ବିଶାଳ ଶୋଭାଯାତ୍ରାରେ ରାଜ୍ୟର ତୁଙ୍ଗ ନେତାମ‌ାନେ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ ବେଳେ ରୀତାଙ୍କ ସହିତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ନବକିଶୋର ଦାସ, ମନ୍ତ୍ରୀ ଟୁକୁନି ସାହୁ, ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ, ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା, ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ଓ ରାସେଶ୍ବରୀ ପାଣିଗ୍ରାହୀ, ପ୍ରଣୟ ସାହୁ, ସାଧୁ ନେପାକ, ଗୌରହରି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡ଼ା ଶୋଭାଯାତ୍ରା ବେଳେ ମନ୍ତ୍ରୀ ଅରୁଣ ସାହୁ, ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ କିଶୋର ମହାନ୍ତି, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ସାଂସଦ ପ୍ରଭାସ ସିଂ ଏବଂ ଅନ୍ୟ ନେତାଙ୍କୁ ବିଦେଖିବାକୁ ମିଳିଥିଲା। ରୀତା ସାହୁ ୪ସେଟ୍‌ ନାମାଙ୍କନ ଦାଖଲ କରିଥିଲେ। ମଧୁ ପ୍ରଧାନ, ଜନାର୍ଦ୍ଦନ ପାଣିଗ୍ରାହୀ, ନିମାଇଁ ଚରଣ ସାହୁ, କିଶୋରଚନ୍ଦ୍ର ଦେବତା ତାଙ୍କ ପ୍ରସ୍ତାବକ ଥିଲେ।

ଉପନିର୍ବାଚନ ପୂର୍ବରୁ ବିଜେପି ନିଜ ଦମ୍‌ ଦେଖାଇବାରେ ପଛରେ ପଡ଼ିନାହିଁ। ଦଳର ତୁଙ୍ଗ ନେତା ଏବଂ ବହୁ ସମର୍ଥକଙ୍କ ଗହଣରେ ‌ଏକ ଶୋଭାଯାତ୍ରାରେ ଆସି ପ୍ରାର୍ଥୀ ସନତ ଗଡ଼ତିଆ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଉପସଭାପତି ଅଶ୍ବିନୀ ଷଡ଼ଂଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଧାୟକ ମୁକେଶ ମହାଲିଂଗ, ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଦୀପ ପୁରୋହିତ, ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ସଭାପତି ଡା. ଅରୂପା ସାହୁ, ସୁଶାନ୍ତ ମିଶ୍ର, ସୁରେଶ୍ବର ଶତପଥୀଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ। ଶ୍ରୀ ଗଡ଼ତିଆଙ୍କ ପାଇଁ ଧୀରୋଜ ପ୍ରଧାନ, ଘନଶ୍ୟାମ ସାହୁ, ଶିବ ମେହେର ଏବଂ ଜୟନ୍ତ ଗଡ଼ତିଆ ପ୍ରସ୍ତାବକ ରହିଥିଲେ।

ପୂର୍ବ ଘୋଷଣା ଅନୁସାରେ କଂଗ୍ରେସ ସଂପୂର୍ଣ୍ଣ ନିରାଡ଼ମ୍ବର ଭାବେ ନାମାଙ୍କନ ପ୍ରକ୍ରିୟା ସାରିଛି। ଦଳ ପକ୍ଷରୁ କୌଣସି ଶୋଭାଯାତ୍ରା କିମ୍ବା ତାମ୍‌ଝାମ୍‌ ହୋଇନଥିଲା। ଦଳୀୟ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କ ସହ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ଗୌନ୍ତିଆ ସାହୁ, ପ୍ରଦୀପ ଦେବତା, ନିପନ ଦାଶ, ସମରେନ୍ଦ୍ର ମିଶ୍ର, ଜ୍ଞାନ ରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଦଳୀୟ ପ୍ରାର୍ଥୀ ଶ୍ରୀ ପଣ୍ଡା ୩ ସେଟ୍‌ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ନାରାୟଣ ଭୋଇ, ବିଘ୍ନରାଜ ମେହେର, ହାରାଧନ ମେହେର ତାଙ୍କ ପ୍ରସ୍ତାବକ ଥିଲେ।

ସମ୍ବନ୍ଧିତ ଖବର