ପୂଜା ପରେ ବିଜେପୁରରେ ହେବ ଜୋରଦାର ପ୍ରଚାର, ଯୋଗଦେବେ ହେବିୱେଟ ନେତା

ପ୍ରଚାରରେ ଆସିବେ ନଡ୍ଡା, ସ୍ମୃତି, ଧର୍ମେନ୍ଦ୍ର, ପ୍ରତାପ: ବିଜେପି
୧୦ ତାରିଖ ପରେ ଏଆଇସିସି ନେତା ଆସିବା ନେଇ ଜଣାପଡ଼ିବ
ଆଶାତୀତ ଭୋଟରେ ଜିତିବେ ବିଜେଡି ପ୍ରାର୍ଥୀ ରୀତା ସାହୁ: ମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ୧୦ ତାରିଖ ପରେ ଅର୍ଥାତ୍ ଦୁର୍ଗା ପୂଜା ଶେଷ ପରେ ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ। ଏ ନେଇ ରାଜନୈତିକ ଦଳମାନେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ତେବେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ କିନ୍ତୁ ବିଜେପୁର ନ ଛାଡିବା ପାଇଁ ନିର୍ବାଚନ ଦାୟିତ୍ବରେ ଥିବା ନେତା, ଦଳର ବିଧାୟକ ଓ ସାଂସଦଙ୍କୁ ନିର୍ଦେଶ ଦେଇଛନ୍ତି। ବରଂ ସ୍ଥାନୀୟ ଲୋକଙ୍କ ସହିତ ଦୁର୍ଗାପୂଜା ପାଳିବାକୁ କୁହାଯାଇଛି। ଏପଟେ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କର କହିବା କଥା ହେଉଛି, ଦଶହରା କାରଣରୁ ଜାତୀୟ ସ୍ତରର ନେତାମାନେ ଅନ୍ୟତ୍ର ବ୍ୟସ୍ତ ରହିଛନ୍ତି। ହେଲେ ଉପନିର୍ବାଚନ ପ୍ରଚାର ପାଇଁ ବିଜେପିର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ସ୍ମୃତି ଇରାନି ଆସିବା ଚୂଡ଼ାନ୍ତ ହୋଇଛି। ପୂଜାଛୁଟି ସରିବା ମାତ୍ରେ ପ୍ରଚାର କାର୍ଯ୍ୟକୁ ବିଜେପୁରରେ ବିଜେପି ଜୋରଦାର କରିବ। ଆଉ କେଉଁ ନେତା ବିଜେପୁର ଆସିବେ, ତାହା ବି ସ୍ଥିର କରାଯିବ।

ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେପୁରକୁ ପ୍ରଚାର କାର୍ଯ୍ୟରେ ଏଆଇସିସିରୁ କେଉଁ ନେତା ଆସିବେ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଆସନ୍ତା ୧୦ ତାରିଖ ପରେ ଏ ନେଇ ଆଲୋଚନା କରାଯିବ। ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ସାଧାରଣ ସଭା ପାଇଁ କେଉଁ ନେତାମାନେ ଯୋଗଦେବା ଆବଶ୍ୟକ ଅଛି ସେ ବାବଦରେ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ନିଷ୍ପତ୍ତି ନେଇ ଜଣାଇବେ। ସେହି ଅନୁଯାୟୀ, ରାଜ୍ୟସ୍ତରୀୟ ନେତାମାନେ ବିଜେପୁରରେ ପହଞ୍ଚି ପ୍ରଚାର କାର୍ଯ୍ୟ ଓ ସଭାରେ ଯୋଗଦେବେ।

ତେବେ ମନ୍ତ୍ରୀ ପଦ୍ମନାଭ ବେହେରା ଜୋର ଦେଇଛନ୍ତି, ବିରୋଧୀ ଯେତେ ଯାହାକୁ ଆଣି ପ୍ରଚାର କଲେ ବି କିଛି ବି ପ୍ରଭାବ ପଡିବାର ନାହିଁ। ବିଜେଡି ପ୍ରାର୍ଥୀ ରୀତା ସାହୁ ଆଶାତୀତ ଭୋଟରେ ଏହି ଉପନିର୍ବାଚନରେ ଜିତିବେ। କାରଣ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର କରିଛି। ଉପନିର୍ବାଚନରେ ଯେଉଁ ଦଳର ସରକାର ଥାଏ ସେହି ଦଳର ପ୍ରାର୍ଥୀ ହିଁ ବିଜୟୀ ହୋଇଥାନ୍ତି। ଏହାଦ୍ବାରା ସେଠାକାର ଲୋକଙ୍କ ବିକାଶ ଅଧିକ ତ୍ବାରାନ୍ବିତ ହୋଇପାରିବ। ଗତଥର ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଯେତିକି ଭୋଟରେ ବିଜେପୁରବାସୀ ଜିତାଇଥିଲେ ତାଠାରୁ ଯଥେଷ୍ଟ ଅଧିକ ଭୋଟରେ ଏଥରକ ବିଜେଡି ପ୍ରାର୍ଥୀ ରୀତାସାହୁଙ୍କୁ ଜିତାଇବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର