ବିଜେପୁରରେ ମୁହାଁମୁହିଁ ହେବେ ନବୀନ-ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବିଜେପୁରରେ ପ୍ରଚାରକୁ ଓହ୍ଲାଇବେ। ଦୁଇ ଦିନ ସେଠାରେ ରହି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସେ ମାରାଥନ୍ ପ୍ରଚାର କରିବେ। ବିଜେପୁର ଉପନିର୍ବାଚନର ପ୍ରଚାର ୧୯ ତାରିଖରେ ଶେଷ ହେଉଥିବା ବେଳେ ନବୀନଙ୍କ ଏହି ପ୍ରଚାର ବେଶ୍‌ ଗୁରୁତ୍ବ ବହନ କରୁଛି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ବଳ ଦେବା ପାଇଁ ୧୮ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ପ୍ରଚାରରେ ସାମିଲ ହେବେ। ୧୮ ତାରିଖ‌େର ବିଜେପୁରରେ ଉଭୟ ବିଜେଡି ଓ ବିଜେପିର ଦୁଇ ହେଭିୱେଟ୍‌ ନେତା ପ୍ରଚାର କରିବାର ଥିବାରୁ ରାଜନୈତିକ ପରିବେଶ ବେଶ୍‌ ସରଗରମ ହେବାର ସମ୍ଭାବନା ରହିଛି।

୧୭ ତାରିଖ ସକାଳ ୧୦ଟା ୩୦ରେ ବରଗଡ଼ ଜିଲ୍ଲାର ଲାଉମୁଣ୍ଡା ଷ୍ଟାଡିୟମ୍‌ରେ ହୋଇଥିବା ହେଲିପ୍ୟାଡ୍‌ରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବେ। ସେଠାରୁ କାର୍‌ଯୋଗେ କୁରକୁଟ୍ଟା ଯାଇ ପ୍ରଚାର ଆରମ୍ଭ କରିବେ। ଏହା ପରେ ଦିନତମାମ ସେ ରୋଡ୍‌ ସୋ’ କରିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉଦ୍‌ବୋଧନ ଦେବେ। ୧୭ ତାରିଖ ରାତିରେ ବରଗଡ଼ର ପୂର୍ତ୍ତ ବିଭାଗ ଆଇବିରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ। ୧୮ ତାରିଖ ସକାଳ ସାଢ଼େ ୯ଟାରେ ସେ ବରଗଡ଼ରୁ ହେଲିକପ୍ଟର୍‌ ଯୋଗେ ଯାଇ ଗାଇସିଲଟ୍‌ ବ୍ଲକ୍‌ର ତଳପାଲି ଯାତ୍ରା ପଡ଼ିଆରେ ଓହ୍ଲାଇବେ। ସେଠାରୁ ରୋଡ୍‌ ସୋ’ ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ନିବେଦନ କରିବେ। ଅପରାହ୍ନ ୨ଟା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ପ୍ରଧାନ ଗତ ସପ୍ତାହରେ ବିଜେପୁର ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ୧୮ ତାରିଖରେ ପୁଣି ଦିନତମାମ ରୋଡ୍‌ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ସକାଳ ୧୦ଟାରେ ବିଜେପୁର ଏନ୍‌ଏସିରୁ ଶ୍ରୀ ପ୍ରଧାନ ରୋଡ୍‌ ସୋ’ ଆରମ୍ଭ କରିବେ।

ସମ୍ବନ୍ଧିତ ଖବର