ଆଜି ସରିବ ପ୍ରଚାର : କମ୍ପିଲା ବିଜେପୁର ନିର୍ବାଚନମଣ୍ଡଳୀ

ବରଗଡ଼ : ବିଜେପୁର ନିର୍ବାଚନମଣ୍ଡଳୀ ଶୁକ୍ରବାର ଦିନତମାମ ତିନି ପ୍ରମୁଖ ଦଳର ପ୍ରଚାରରେ କଂପିଛି। ପ୍ରଚାର ଅଭିଯାନ ଶେଷ ହେବାକୁ ମାତ୍ର ୨୪ ଘଣ୍ଟା ସମୟ ଥିବା ବେଳେ ତିନି ଦଳ ନିଜ ମୁଣ୍ଡିଆଳମାନଙ୍କୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଗୁରୁବାର ବିଜେପୁର ଏବଂ ବରପାଲି ବ୍ଲକ୍‌ରେ ରୋଡ୍‌ ସୋ ତଥା ପ୍ରଚାର ସାରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଗାଇସିଲାଟ୍‌ ବ୍ଲକ୍‌କୁ ଫୋକସ୍‌ କରିଥିଲେ। ୧୬ଟି ପଞ୍ଚାୟତକୁ ରୋଡ୍‌ ସୋ ମାଧ୍ୟମରେ ଛୁଇଁଥିଲେ। ସେହିପରି ବିଜେପିର କେନ୍ଦ୍ରୀୟ ସ୍ତରର ଷ୍ଟାର୍‌ ପ୍ରଚାରକ ଉପଲବ୍ଧ ହୋଇନଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ବିତୀୟ ଦଫା ପ୍ରଚାର ଦାୟିତ୍ବ ମୁଣ୍ଡାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପୁର ଏବଂ ବରପାଲି ଉପରେ ଧ୍ୟାନ ଦେଇଥିଲେ। ସେ ବିଜେପୁର ଏନ୍‌ଏସି, ବରପାଲି ବ୍ଲକ୍‌ ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍‌ଏସି ଅଂଚଳରେ ରୋଡ୍‌ ସୋ କରିଛନ୍ତି। ପିସିସିର ତୁଙ୍ଗ ନେତାମାନେ ସଭାପତି ନିରଂଜନ ପଟ୍ଟନାୟକଙ୍କ ତତ୍ବାବଧାନରେ ବିଜେପୁର ଏବଂ ବରପାଲି ଅଂଚଳରେ ଜୋର୍‌ଦାର୍‌ ପ୍ରଚାର କରିଛନ୍ତି। ସଂଧ୍ୟାରେ ଦଳ ଗାଇସିଲାଟ୍‌ରେ ପ୍ରଚାର କରିଛି।

ତେବେ ପ୍ରଚାର ଯୁଦ୍ଧରେ ମୁଖ୍ୟମନ୍ତ୍ରୀ ଓ ଧର୍ମେନ୍ଦ୍ର ମୁହାଁମୁହିଁ ହେବେ ବୋଲି ଯେଉଁ ଆକଳନ କରାଯାଉଥିଲା ସେଭଳି କିଛି ଦେଖିବାକୁ ମିଳିନାହିଁ। କାରଣ ମୁଖ୍ୟମନ୍ତ୍ରୀ ଗାଇସିଲାଟ୍‌ରେ ଓ ଧର୍ମେନ୍ଦ୍ର ବିଜେପୁର ଓ ବରପାଲିରେ ପ୍ରଚାର କରିଥିଲେ। ଧର୍ମେନ୍ଦ୍ର ଗତ ଥର ଭଳି ପୁଣି ସରକାରଙ୍କ ଉପରେ ବର୍ଷିଥିଲେ। ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ଠକିଥିବା ଦୋହରାଇଥିଲେ। ଏଥିସହ ଗାଇସିଲାଟ ହତ୍ୟାକାଣ୍ଡ ଓ ଧର୍ମଶାଳା ଘଟଣାକୁ ନେଇ ସରକାରଙ୍କୁ ‌ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ଚିରାଚରିତ ଭାବେ ମୁଖ୍ୟମନ୍ତ୍ରୀ ଏସବୁ ପ୍ରଶ୍ନର ଉତ୍ତର ଦେବା ଯେମିତି ଆବଶ୍ୟକ ମଣିନଥିଲେ। ସେ ତାଙ୍କ ୫ ଧାଡ଼ିଆ ପ୍ରଚାର ବାର୍ତ୍ତା ମଧ୍ୟରେ ହିଁ ନିଜକୁ ସୀମିତ ରଖିଥିଲେ। ତଥାପି ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋରେ ବହୁ ସଂଖ୍ୟାରେ ଲୋକଙ୍କୁ ଦେଖିବାକୁ ମିଳିଥିଲା। ଅବଶ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ସମୀର ଦାସ ପ୍ରମୁଖ ବିଜେଡି ତରଫରୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତର ରଖିବା ଉଦ୍ୟମ କରିଥିଲେ। ମିସନ୍‌ ୧୨୦ ପ୍ରସଙ୍ଗ ଉଠାଇ ବିଜେପିକୁ ସମାଲୋଚନା କରିଥିଲେ।

ପ୍ରଥମେ ମାନ୍ଦା ଥିଲେ ବି ବିଜେପୁର ନିର୍ବାଚନମଣ୍ଡଳୀ ଆଜି ଗତଥର ଭଳି ପ୍ରଚାର ଉଷ୍ଣତା ଫେରିପାଇଛି। ତିନିଦଳ ପରସ୍ପରକୁ ଟକ୍କର ଦେବା ପାଇଁ ରଣକୌଶଳ ସହ ପ୍ରଚାର କରିଛନ୍ତି। କାଗଜକଲମରେ ସବୁ ପ୍ରାର୍ଥୀ ନିଜ ବିଜୟର ଆଶା ବାନ୍ଧିଛନ୍ତି। ୨୦୧୮ ଉପନିର୍ବାଚନ, ଗତ ସାଧାରଣ ନିର୍ବାଚନରେ ବିଜେପୁରରୁ କଂଗ୍ରେସକୁ ଗାଦିଚ୍ୟୁତ କରିଥିବା ବିଜେଡି ହାଟ୍ରିକ୍‌ ବିଜୟ ପାଇଁ କସରତ ଚଳାଇଛି। ମୁଖ୍ୟମନ୍ତ୍ରୀ ଏଠାରୁ ଉପନିର୍ବାଚନ ଲଢ଼ିଥିବାରୁ ଦଳ ନିଜ ସମ୍ମାନ ରକ୍ଷା କରିବା ପାଇଁ ନିଶ୍ଚିତ ବିଜୟ ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ବି‌ଜେପି ଆଜି ପର୍ଯ୍ୟନ୍ତ ବିଜେପୁର ନିର୍ବାଚନମଣ୍ଡଳୀରୁ ବିଜୟ ସ୍ବାଦ ପାଇନାହିଁ। ତେଣୁ ଏଠାରୁ ଆସନ ଜିଣି ଦଳ ପୂର୍ବ ଅଲୋଡ଼ା ରେକର୍ଡକୁ ଲିଭାଇବାକୁ ଚେଷ୍ଟା କରୁଛି। ଏକଦା ବିଜେପୁର କଂଗ୍ରେସର ଗଡ଼ ରହିଥିଲା। ଦିବଂଗତ ନେତା ସୁବଳ ସାହୁ ଏଠାରୁ ହାଟ୍ରିକ୍‌ ବିଜୟ ପାଇଥିଲେ। କିନ୍ତୁ ତାଙ୍କ ବିୟୋଗ ପରେ ଦଳର ସ୍ଥିତି ବିଗିଡ଼ି ଯାଇଛି। ଦଳ ଗତ ନିର୍ବାଚନ ଏବଂ ଉପନିର୍ବାଚନ ବେଳେ ତୃତୀୟ ସ୍ଥାନକୁ ଖସିଛି। ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ମଧ୍ୟ ଦଳ ଶୋଚନୀୟ ପ୍ରଦର୍ଶନ କରିଛି। ତେଣୁ ବିଜେପୁର ପୁନର୍ବାର ଦଖଲ କରି ନିଜ ଦୁଃଖ ଲାଘବ କରିବାକୁ କଂଗ୍ରେସ ମଧ୍ୟ ପ୍ରାଣପଣେ ଉଦ୍ୟମ କରୁଛି। ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଠାରେ ପ୍ରଚାରର ମଙ୍ଗ ସମ୍ଭାଳିବା ପରେ ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

ସମ୍ବନ୍ଧିତ ଖବର