ପ୍ରଚାରକୁ ଶେଷ ସ୍ପର୍ଶ ଦେବା ପାଇଁ ତିନି ଦଳର ପ୍ରସ୍ତୁତି

ବିଜେଡି ୨୦ବର୍ଷର ପ୍ରତାରକ: କଂଗ୍ରେସ

ବିଜେପୁର : ମଝିରେ ଆଉ ମାତ୍ର ଗୋଟିଏ ଦିନ। ୧୯ ତାରିଖ ସଂଧ୍ୟାରୁ ନିର୍ବାଚନ ପ୍ରଚାର ବନ୍ଦ ହୋଇଯିବ। ତେଣୁ ପ୍ରଚାରର ଅନ୍ତିମ ପର୍ଯ୍ୟାୟକୁ ପ୍ରଭାବଶାଳୀ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି। ବିଜେଡିର ଷ୍ଟାର୍ ପ୍ରଚାରଚକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ରୋଡ୍‌ ସୋ’ ସହିତ ବଡ଼ ନିବାର୍ଚନୀ ସଭା, ମହିଳା ସମାବେଶ ଆଦି ଆୟୋଜନ ଜାରି ରଖିଥିବାବେଳେ ବିଜେପି କିନ୍ତୁ ଏହାର ରଣନୀତିରେ ପରିବର୍ତନ କରିଛି। ଗତ ନିର୍ବାଚନଗୁଡ଼ିକ ଭଳି ବିଜେପିର ହାଇପ୍ରୋଫାଇଲ ସଭା ଏଥର ଦେଖିବାକୁ ମିଳିନାହିଁ। କଂଗ୍ରେସ ଦଳର ପ୍ରଚାର ଶୈଳୀ ବି ଭିନ୍ନ ରହିଛି। ଦଳ ରୋଡ୍‌ ସୋ’ରେ ଓହ୍ଲାଇ ନାହିଁ। ବରଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ନେତା ତୁହାକୁ ତୁହା ନିର୍ବାଚନୀ ସଭା ଆୟୋଜନ କରି ପ୍ରଚାର ଚଲାଇଛନ୍ତି।

ଅନ୍ୟପକ୍ଷରେ ତିନି ବ୍ଳକ୍‌ର ୬୫ ପଂଚାୟତ ଓ ୨ ଏନ୍ଏସିରେ ବିଜେଡି ଦାୟିତ୍ବରେ ଥିବା ବିଧାୟକ ତଥା ନେତାମାନେ ଗଡ଼ ଜଗିଛନ୍ତି। ପ୍ରତିଦିନର ଟିକିନିଖି ଖବର ବ୍ଲକ୍‌ ଦାୟିତ୍ବରେ ଥିବା ମନ୍ତ୍ରୀ, ନେତାଙ୍କୁ ଜଣାଉଛନ୍ତି। ବରିଷ୍ଠ ନେତାମାନେ ସ୍ଥିତିର ସମୀକ୍ଷା କରୁଛନ୍ତି। ଦିବଂଗତ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଗତ ଉପନିବାର୍ଚନରେ ରୀତା ସାହୁଙ୍କୁ ଅନୁକମ୍ପା ଆଧାରରେ ଭୋଟ୍‌ ମିଳିଥିବା ଚର୍ଚ୍ଚା ହେଉଥିଲା। ଏଥର ଦଳ ‘ବିକାଶ’କୁ ପ୍ରସଂଗ କରି ପ୍ରଚାର ଚଳାଇଛି। ଗଙ୍ଗାଧର ମେହେର ବୃହତ୍‌ ଜଳସେଚନ ପ୍ରକଳ୍ପ ଓ ପାର୍ବତୀ ଗିରି ପ୍ରକଳ୍ପ ଭଳି ଦୁଇ ମେଗା ଯୋଜନା, ବିଭିନ୍ନ ରାସ୍ତା ଓ ସେତୁ ପ୍ରକଳ୍ପ , ସ୍ବାସ୍ଥ୍ୟକେନ୍ଦ୍ର, ଆଇଟିଆଇ, ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ସମେତ ଅନ୍ୟ ଛୋଟବଡ଼ ପ୍ରକଳ୍ପ ଦଳର ଇସ୍ତାହାରରେ ରହିଛି। କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ତା ତୃଣମୂଳ ସ୍ତରରେ କାମ କରିଥିଲେ ମଧ୍ୟ ବିଧାୟକ ଲଢ଼େଇ ପାଇଁ ପ୍ରଥମ ଥର ସୁଯୋଗ ପାଇଛନ୍ତି। ନୂଆ ଚେହେରା ନେଇ କଂଗ୍ରେସ ପ୍ରଚାର ଅଭିଯାନକୁ ତ୍ବରାନ୍ବିତ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ଥର ଯୋଜନାକୁ କଂଗ୍ରେସ ପ୍ରସଙ୍ଗ କରିଛି। ସେହିପରି ବିଜେପି ବିଭିନ୍ନ ସରକାରୀ ଯୋଜନା ଏବଂ ପ୍ରକଳ୍ପର ତ୍ରୁଟି ବିଚ୍ୟୁତି ଖୋଜି ବିଜେଡିକୁ ଘେରିଛି। ତେବେ ଭୋଟରଙ୍କ ମନୋଭାବ ଏବେ ବି ସମସ୍ତଙ୍କୁ ଅଜଣା ହୋଇ ରହିଛି।

ବିଜେଡି ୨୦ବର୍ଷର ପ୍ରତାରକ: କଂଗ୍ରେସ

ଗାଇସିଲାଟ୍‌ : ଗାଇସିଲାଟ୍‌ ବସ୍‌ଷ୍ଟାଣ୍ଡ ପରିସରରେ କଂଗ୍ରେସର ନିର୍ବାଚନୀ ସଭା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏହି ନେତାମାନେ ବିଜେଡିକୁ ୨୦ବର୍ଷର ପ୍ରତାରକ ବୋଲି କହିଛନ୍ତି। ସ୍କୁଲରେ ମାଷ୍ଟର ଏବଂ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ମାତ୍ର ଗାଁ ଗାଁରେ ଆକ୍ଟର (ଅଭିନେତା) ବୁଲୁଛନ୍ତି ବୋଲି କଂଗ୍ରେସ କଟାକ୍ଷ କରିଛି। ପଦ୍ମପୁର-ଗାଇସିଲାଟ୍‌ ରାସ୍ତା ଦେଖିଲେ ବିକାଶ କେତେ ବାଟ ଯାଇଛି, ତାହା ଜଣାପଡ଼ୁଛି। ବିକାଶ କେବଳ କଂଗ୍ରେସ ଦେଇପାରିବ ବୋଲି ଦଳର ନେତୃବୃନ୍ଦ କହିଛନ୍ତି। ସଭାରେ ପୂର୍ବତନ ବିଧାୟକ ଯ‌ଜ୍ଞ‌େଶ୍ବର ବାବୁ, ବିଜୟଲକ୍ଷ୍ମୀ ସାହୁ, ପ୍ରଦୀପ ଦେବତା, ଘନଶ୍ୟାମ ପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର