ଆଜି ବିଜେପୁରରେ ଭୋଟ୍‌ : କଡ଼ା ସୁରକ୍ଷା, ମୋର୍ଚ୍ଚା ସମ୍ଭାଳିଲା ସିଆର୍‌ପିଏଫ୍‌

ବରଗଡ଼/ବିଜେପୁର : ବେଶ୍ କିଛି ଦିନ ହେଲା ନିର୍ବାଚନୀ ଉଷ୍ଣତାରେ ବିଜେପୁର ନିର୍ବାଚନମଣ୍ଡଳୀ ସରଗରମ ରହିଥିଲା। ଏବେ ଆଉ ମାତ୍ର ଅଳ୍ପ କେତେଘଣ୍ଟାର ଅପେକ୍ଷା। ସୋମବାର ୨୮୫ ବୁଥ୍‌ରେ ସକାଳ ୭ରୁ ସଂଧ୍ୟା ୫ଟା ଯାଏ ମତଦାନ ହେବ। ବିଜେପୁର ଆସନ କାହାର, ଭୋଟର୍‌ ତାର ଫଇସଲା କରିବେ।

ଏଥର ମୋଟ୍‌ ୨,୩୨,୦୫୫ ଭୋଟର୍‌ ‌୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିରୁ ଗାଇସିଲାଟ୍‌ରେ ୩୬,୬୮୬ ଏବଂ ୩୪,୭୮୧ଜଣ, ବିଜେପୁରରେ ୪୨,୯୩୧ ଏବଂ ୪୦,୦୬୯, ବରପାଲିରେ ୪୦,୩୨୨ ଏବଂ ୩୭,୨୫୧ ଜଣ ଯଥାକ୍ରମେ ପୁରୁଷ ଓ ମହିଳା ଭୋଟର୍‌ ଅଛନ୍ତି। ମତଦାନ ପାଇଁ ଏଥର ଇଭିଏମ୍ ସହିତ ଭିଭିପାଟ୍‌ ମେସିନକୁ ସଂଯୋଗ କରାଯାଇଛି। ଯାହାକି ସ୍ଳିପ ପ୍ରିଣ୍ଟର ମେସିନ ଅଟେ। ଏହା ଦ୍ବାରା ମତଦାତା କେଉଁ ପ୍ରାର୍ଥୀଙ୍କୁ ଭୋଟ୍‌ ଦେ‌ଇଛନ୍ତି, ତାହା ସଫଳ ହେଲା କି ନାହିଁ ଜାଣିପାରିବେ। ମତଦାତା ତାଙ୍କ ମତଦାନର କ୍ରମିକ ନମ୍ବର, ନାମ, ସଙ୍କେତ ଆଦି ୭ ସେକେଣ୍ଡ ମଧ୍ୟରେ ଜାଣିପାରିବେ। ତେଣୁ ଯନ୍ତ୍ରପାତିରେ ତ୍ରୁଟି ରହିବ ନାହିଁ। ଯଦି କିଛି ସମସ୍ୟା ଉପୁଜେ, ତେବେ ପ୍ରତି ବ୍ଲକ୍‌ ମୁଖ୍ୟାଳୟରେ ନିୟୋଜିତ ଥିବା ଅଭିଜ୍ଞ ଇଂଜିନିୟର ତୁରନ୍ତ ବୁଥ୍‌କୁ ପହଂଚିବେ।

ଏହି ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ନିର୍ବାଚନମଣ୍ଡଳୀର ୬ଟି ବୁଥ୍‌ ଅତି ସମ୍ବେଦନଶୀଳ ଏବଂ ୧୨୯ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ଗାଇସିଲାଟ୍‌ ବ୍ଲକ୍‌ର ଜୁବାଖୋଲ, ପରମାନନ୍ଦପୁର, ଚିନ୍ଦ୍ରାପାଲି, ସାଇ ଡୁଂଗୁରିପାଲି, ସାଲେପାଲି, କଣ୍ଟାପଡ଼ା ବୁଥ୍‌ ମାଓପ୍ରବଣ ଇଲାକାରେ ଥିବାରୁ ସେଠାରେ ସିଆର୍‌ପିଏଫ୍‌ ମୋର୍ଚ୍ଚା ସମ୍ଭାଳିଛନ୍ତି। ଏସ୍‌ଓଜି ଯବାନମାନେ ମଧ୍ୟ ମାଓ ଗତିବିଧି ଉପରେ ନଜର ରଖିଛନ୍ତି। ମୋଟ୍‌ ୩୩ ପ୍ଲାଟୁନ ଫୋର୍ସ ଏବଂ ୩ କମ୍ପାନି ଯବାନ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ଏହାବାଦ ଜିଲ୍ଲା ପୁଲିସ୍‌ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୪୦ଟି ମୋବାଇଲ୍‌ ଟିମ୍‌, ୬ଟି ଲେଖାଏଁ ଷ୍ଟାଟିକ୍‌ ଏବଂ ସର୍ଭିଲିଏନ୍‌ସ ଟିମ୍‌ ମୁତୟନ ଅଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.