ଭୁବନେଶ୍ୱର : ବରଗଡ଼ ଜିଲ୍ଲାର ବିଜେପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏ ନେଇ ନିଜେ ଘୋଷଣା କରିନାହାନ୍ତି। ବରଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆପତ୍ତି ଓ ପ୍ରସ୍ତାବ ଆହ୍ଵାନ କରାଯାଇଥିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଗେଜେଟ୍ରେ ଏହି ଅଧିସୂଚନା ପ୍ରକାଶ ପାଇବା ଦିନଠାରୁ ୩୦ ଦିନ ମଧ୍ୟରେ ଏହି ଅଧିସୂଚନା ସଂକ୍ରାନ୍ତରେ କୌଣସି ଆପତ୍ତି ଓ ପ୍ରସ୍ତାବ ଥିଲେ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଉପସ୍ଥାପନ କରାଯାଇପାରିବ ବୋଲି ଏଥିରେ କୁହାଯାଇଛି। ମିଳିଥିବା ସମସ୍ତ ଆପତ୍ତି ଓ ପ୍ରସ୍ତାବକୁ ସରକାର ଯଥାବିଧି ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜେପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ । ସେହିଭଳି ଆଜି ସରକାର ବିଜେପୁରରେ ସବ୍ ରେଜିଷ୍ଟ୍ରାର ଅଫିସ ଖୋଲିବା ଲାଗି ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ୧୧୦ ଗାଁ ଲୋକେ ଉପକୃତ ହେବେ। ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ବିଜେପୁରର ବାଉଁଶପୋଲ, ବିଜେପୁର, କନ୍ଧରା, କେଉଁଟିପାଲି, ଏମ୍ଗଣ୍ଡପାଲି, ମଝିପାଲି, ନୂଆପାଲି ପଞ୍ଚାୟତକୁ ନେଇ ଏହି ଏନ୍ଏସି ଗଠନ କରାଯିବ। ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରପାଲି ଆଖପାଖି ଅଞ୍ଚଳକୁ ନେଇ ପୂର୍ବରୁ ଏନ୍ଏସି ଗଠନ ହୋଇସାରିଛି।
ଉଲ୍ଲେଖଯୋଗ୍ୟ, ବିଜେପୁର ବିଧାନସଭା ଆସନ ଉପନିର୍ବାଚନ ବିଗୁଲ ଏ ପର୍ଯ୍ୟନ୍ତ ବାଜି ନାହିଁ। କିନ୍ତୁ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ବିଜେଡି କୌଣସି ସୁଯୋଗ ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହେଁ। ସୋମବାର ୧୨୪୬ କୋଟି ଟଙ୍କାର ଗଙ୍ଗାଧର ମେହେର ଭୂତଳ ଜଳସେଚନ ଯୋଜନା ଘୋଷଣା କରାଯାଇଥିଲା। ଏହାବ୍ୟତୀତ ସ୍ଥାନୀୟ ଅଞ୍ଚଳରେ ଏକାଧିକ ଛୋଟ ମୋଟ ପ୍ରକଳ୍ପର ବି ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଛି। ଏପରିସ୍ଥଳେ ଆଜିର ଦୁଇଟି ଘୋଷଣା ସ୍ୱାଭାବିକ ଭାବେ ସ୍ଥାନୀୟ ଅଞ୍ଚଳରେ ବ଼ଡ଼ ଧରଣର ପ୍ରଭାବ ରଖିପାରେ। ପୂର୍ବରୁ କଂଗ୍ରେସର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ନିଜ ଦଳରେ ମିଶାଇ ବିଜେଡି ଅନୁକମ୍ପା ଭୋଟକୁ ବି ନିଜ ପକେଟ୍କୁ ଆଣିବା ସୁଯୋଗକୁ ବି ହାତଛ଼ଡା କରିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/bijepur-3.jpg)