ଭୁବନେଶ୍ବର : ବିଜେପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପରେ ଉପନିର୍ବାଚନ ପାଇଁ କେଉଁ ଦଳରୁ କିଏ ହେବ ପ୍ରାର୍ଥୀ ତାକୁ ନେଇ ରାଜନୀତି ପାଣିପାଗ ଗରମ ହେବାରେ ଲାଗିଛି। ବିରୋଧୀ ବିଜେପି ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ବେଳେ କଂଗ୍ରେସ ବି ବିଜେଡିକୁ ଟାର୍ଗେଟ୍ କରିଛି। ଅନ୍ୟପଟେ ବିଜେଡି ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ବିକାଶ ଫର୍ମୁଲାକୁ ଗୁରୁତ୍ବ ଦେଇଛନ୍ତି। ବିଜେଡିରୁ କିଏ ପ୍ରାର୍ଥୀ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବୋଲି କହିଛନ୍ତି ସ୍ଥାନୀୟ ନେତା।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ବିଜେପୁର ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ପଶ୍ଚିମ ଓଡ଼ିଶାବାସୀଙ୍କ ଅନୁରୋଧ ଓ ନିଜର ପଶ୍ଚିମ ଓଡ଼ିଶା ପାଇଁ ଆନ୍ତରିକତା ଥିବାରୁ ବିଜେପୁରରୁ ଲଢ଼ିଲେ ବୋଲି ମୁଖ୍ୟମନ୍ତ୍ରୀ କହୁଥିଲେ। ସେଠାରୁ ସେ ନିର୍ବାଚନ ଜିତିଲେ। ମାତ୍ର ବର୍ତ୍ତମାନ ସେହି ନବୀନ ବାବୁ କାହିଁକି ବିଜେପୁରବାସୀଙ୍କୁ ପ୍ରତ୍ୟାଖ୍ୟାନ କଲେ ତାହା ଆଶ୍ଚର୍ଯ୍ୟର ବିଷୟ। ୨୦୧୮ ମସିହା ବିଜେପୁର ଉପନିର୍ବାଚନ, ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ଓ ଆସନ୍ନ ଉପ ନିର୍ବାଚନ ପାଇଁ ପ୍ୟାକେଜ୍ ଘୋଷଣା ନାଁରେ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି। ଗୋଟିଏ ମଧ୍ୟ ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ। ଗୋଟିଏ ବି ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ। କେବଳ ଗୋଟିଏ ଘୋଷଣାକୁ ବାରମ୍ବାର କହି ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କ ସମେତ ସମଗ୍ର ପଶ୍ଚିମାଞ୍ଚଳବାସୀଙ୍କ ଭାବନା ସହ ଖେଳିବା ଦୁର୍ଭାଗ୍ୟଜନକ। ପଶ୍ଚିମ ଓଡ଼ିଶାରେ ତୈଳ ବିଶୋଧନାଗାର, ଆଇଆଇଏମ୍ ଶିକ୍ଷାନୁଷ୍ଠାନ, ବୁର୍ଲାରେ ସୁପର୍ ସ୍ପେସିଆଲିଷ୍ଟ ହସ୍ପିଟାଲ ଓ ଝାରସୁଗୁଡ଼ାରେ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। କିନ୍ତୁ ପଶ୍ଚିମ ଓଡ଼ିଶାରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଜନହିତକର ପଦକ୍ଷେପ ନେଇ ନାହାନ୍ତି। କେବଳ ପ୍ୟାକେଜ୍ ଘୋଷଣା କରି ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ପ୍ରତାରଣା କରିବେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।
ଅପର ପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ବିଜେପୁରବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୮ରୁ ବିକାଶ ଯୋଜନା ଦେଇଛନ୍ତି। ୨୦୧୯ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ବିଜେପୁରର ପାନୀୟ ଜଳ ସମସ୍ୟା ଦୂର ପାଇଁ ପାନୀୟ ଜଳ ପ୍ରକଳ୍ପ ଠାରୁ ଆରମ୍ଭ କରି ଚାଷଜମିକୁ ଜଳସେଚନ, ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ନିଜେ ମୁଖ୍ୟମନ୍ତ୍ରୀ ନିୟମିତ ବ୍ୟବଧାନରେ ବିକାଶ କାର୍ଯ୍ୟର ତଦାରଖ କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ବିଜେପୁରବାସୀ ବିକାଶ ଚାହାନ୍ତି। ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ କିଏ ହେବେ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ। ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ, ସେ ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ଜିତିବେ। କିଏ କାହାକୁ ପ୍ରତାରଣା କରିଛି, ତାହା ୨୦୧୯ ନିର୍ବାଚନରେ ମିଳିଥିବା ଜନାଦେଶରେ ସ୍ପଷ୍ଟ ହୋଇସାରିଛି। ବିଜେପିର ମିସନ୍ ୧୨୦ ବିରୋଧରେ ଜନାଦେଶ ମିଳିସାରିଛି। ବିଜେପୁରର ଭବିଷ୍ୟତ ଉଜ୍ଜ୍ବଳ ବୋଲି ଶ୍ରୀ ଦାସ କହିଛନ୍ତି।
ଅନ୍ୟପଟେ ବିଜେଡିର ସାଧାରଣ ସମ୍ପାଦକ ତଥା ବରଗଡ଼ର ସ୍ଥାନୀୟ ନେତା ସୁବାସ ଚୌହାନ କହିଛନ୍ତି ସେ ଜଣେ ଦଳର ସଚ୍ଚା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ବିଜେଡି ସୁପ୍ରିମୋ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ବ ଦେବେ ସେ ତାକୁ ନିର୍ବାହ କରିବେ। ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବ ସେ ନିଷ୍ପତ୍ତି ମୁଖିଆ ନେବେ। ସେ ନିଜେ ପ୍ରାର୍ଥୀ ହେବା ନେଇ ପ୍ରଶ୍ନର ଉତ୍ତରରେ କହିଥିଲେ ଯଦି ସଭାପତି ତାଙ୍କୁ ଯୋଗ୍ୟ ମନେକରିବେ ତା’ହେଲେ ଯାହା ଆଦେଶ ହେବ ତାକୁ ପାଳନ କରିବେ।
ଏହି ପ୍ରସଙ୍ଗରେ କଂଗ୍ରେସ କହିଛି, ଏଥରକ ଉପନିର୍ବାଚନରେ ବିଜେପୁରବାସୀ ବିଜେଡିକୁ ଉଚିତ ଜବାବ ଦେବେ ଓ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିବ। ଦଳର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ନବୀନ ବାବୁ ବାରମ୍ବାର ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି। ଏଥରକ ବିଜେଡିକୁ ବିଜେପୁରବାସୀ ଉଚିତ ଜବାବ ଦେବେ। ଗଲା ଉପନିର୍ବାଚନବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି। ବିଜେପୁର ହେଉଛି କଂଗ୍ରେସର ଗଡ଼। ଗତ ଉପନିର୍ବାଚରେ କଂଗ୍ରେସର ଋଣନୀତିରେ କିଛିଟା ତ୍ରୁଟି କରିଥିଲା। ଏଥରକ କିନ୍ତୁ ପୂରା ଦମ ଲଗାଇବ। ଆଗକୁ ହେବାକୁ ଥିବା ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ ନେଇ ଗୋଟିଏ ପର୍ଯ୍ୟାୟ ଆଲୋଚନା ସରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/bijepur-ff.jpg)