ଭୁବନେଶ୍ୱର: ବିଜେପୁର ଉପ-ନିର୍ବାଚନବେଳେ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ୫୩.୭ ଲକ୍ଷ ଟଙ୍କା ଘଟଣାର ଖୋଳତାଡ଼ କରିବ ପ୍ରବର୍ତନ ନିର୍ଦେଶାଳୟ(ଇଡି) ଓ ଆୟକର ବିଭାଗ। ଏ ନେଇ ପୁଲିସ ପକ୍ଷରୁ ଏକ ଚିିଠି ଲେଖା ଯାଇଛି ସଂପୃକ୍ତ ଦୁଇଟି ବିଭାଗକୁ। ଯେଉଁ ସବୁ ସ୍ଥାନରୁ ୧୦ ଲକ୍ଷ ଟଙ୍କାରୁ କମ୍ ଟଙ୍କା ଜବତ ହୋଇଛି ତାର ତଦନ୍ତ ପୁଲିସ କରିବ। ଏଭଳି ସୂଚନା ଦେଇଛନ୍ତି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ବିଜେପୁର ଉପ ନିର୍ବାଚନ ପାଇଁ ପ୍ରଚାରବେଳେ ଗତ ଫେବ୍ରୁଆରି ମାସ ୧୭ ତାରିଖରେ ମହୁଲପାଲି ପୁଲିସ ଏକ ଚେକ୍ପୋଷ୍ଟରେ ଯାଞ୍ଚବେଳେ ୪୦.୫ ଲକ୍ଷ ଟଙ୍କା ଜବତ କରିଥିଲା। ଓମ୍ ପ୍ରକାଶ ଅଗ୍ରଓ୍ଵାଲ ଓ ତାଙ୍କ ପୁଅ ଆଶିଷ ଅଗ୍ରଓ୍ଵାଲକୁ ପୁଲିସ ଥାନାରେ ଅଟକ ରଖିଥିଲା। ଜବତ ଟଙ୍କାକୁ ନେଇ ରାଜନୈତିକ ମହଲରେ ତୁମ୍ବି ତୁଫାନ ହୋଇଥିଲା। ଟଙ୍କା ବିଜେଡିର ବୋଲି ବିଜେପି ଅଭିଯୋଗ କରିଥିବାବେଳେ ବିଜେଡି ମଧ୍ୟ ପାଲଟା ଅଭିଯୋଗ କରି ବିଜେପିର ଟଙ୍କା ବୋଲି କହିଥିଲା। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାର ଇଡି କିମ୍ବା ଆୟକର ବିଭାଗ ତଦନ୍ତ ଦାବି କରିଥିଲେ। ମିଳିଥିବା ସୂଚନା ମୁତାବକ, ବିଜେପୁର ଉପ ନିର୍ବାଚନବେଳେ ସମୁଦାୟ ୭୨.୮ ଲକ୍ଷ ଟଙ୍କା ଜବତ ହୋଇଥିଲା। ଯେଉଁଥିରେ ପୁଲିସ ୫୩.୭ ଲକ୍ଷ ଟଙ୍କା ଜବତ କରିଥିବାବେଳେ ନିର୍ବାଚନ କମିସନ ୧୯.୧ ଲକ୍ଷ ଟଙ୍କା ଜବତ କରିଥିଲେ। ୫୩.୭ ଲକ୍ଷ ଟଙ୍କା ଜବତ ମଧ୍ୟରୁ ଅଗଲପୁର ନିକଟରୁ ଜଣେ ବାଇକ୍ ଆରୋହୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ତେଣୁ ଓମ୍ ପ୍ରକାଶ ଅଗ୍ରଓ୍ଵାଲ ମାମଲା ଓ ବାଇକ୍ ଆରୋହୀଙ୍କଠାରୁ ଜବତ ହୋଇଥିବା ମାମଲାର ଇଡି ଓ ଆୟକର ବିଭାଗ ତଦନ୍ତ କରିବାକୁ ପୁଲିସ ପକ୍ଷରୁ ଚିଠି ଲେଖା ଯାଇଛି।
ବିଜେପୁର ଉପନିର୍ବାଚନ ବେଳେ ଟଙ୍କା ଜବତ ଘଟଣା: ଇଡି ଓ ଆୟକର ବିଭାଗ କରିବ ଖୋଳତାଡ଼
/sambad/media/post_attachments/wp-content/uploads/2018/02/the-enforcement-directorate-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)