ଭୁବନେଶ୍ୱର:ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଆଜି ପୁଣି ଭାରତୀୟ ଜନତା ପାର୍ଟିକୁ ଫେରି ଆସିଛନ୍ତି। ଏବେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଜୟ ମହାପାତ୍ରଙ୍କ ମିଶ୍ରଣ ପର୍ବ ଚାଲିଛି। ‘‘ମୁଁ ବିଜେପିକୁ ଫେରିଲି’’ ବୋଲି ଶ୍ରୀ ମହାପାତ୍ର ତାଙ୍କ ବାସଭବନରେ ସାମ୍ବାଦିକମାନଙ୍କୁ କହିଛନ୍ତି।
ଶ୍ରୀ ମହାପାତ୍ରଙ୍କ ପ୍ରତ୍ୟାବର୍ତ୍ତନ ନେଇ ଦଳର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମିଳିତ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ଶ୍ରୀ ମହାପାତ୍ରଙ୍କ ସହ ଏହି ଦୁଇ ନେତାଙ୍କର ଦୀର୍ଘ ଅଢେଇ ଘଣ୍ଟା କାଳ ଆଲୋଚନା ପରେ କରାଯାଇଛି। ଶ୍ରୀ ମହାପାତ୍ରଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଫୋନ୍ ଯୋଗେ ମଧ୍ୟ କଥାବାର୍ତ୍ତା କରିଛନ୍ତି।
ଶ୍ରୀ ମହାପାତ୍ର ଦଳର ଜଣେ ବରିଷ୍ଠ ନେତା ବୋଲି କହିଛନ୍ତି ଓଡ଼ିଶା ପ୍ରଭାରୀ ଶ୍ରୀ ସିଂହ। ‘‘ବିଜୟ ମହାପାତ୍ର କୁଆଡେ ଯାଇ ନଥିଲେ,ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରାଯାଇନଥିଲା’’ବୋଲି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ତଥା ଭାଜପାର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ପଣ୍ଡା କହିଛନ୍ତି । ‘ପୁରୁଣା କଥା ଭୁଲି ନୂଆ ରାସ୍ତାରେ ଯିବା’’ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। ତେବେ ଦଳରେ ତାଙ୍କୁ କେଉଁ ପଦ ଦିଆଯିବ ଏବଂ କେଉଁଠାରୁ ଦଳୀୟ ପ୍ରାର୍ଥୀ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁର ଆସୁଛନ୍ତି। ସେହି ସଭାରେ ଶ୍ରୀ ମହାପାତ୍ର ରହିବେ ବୋଲି ଜଣାଯାଇଛି।
ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବହୁବାର ନିର୍ବାଚିତ ହୋଇଥିବା ଶ୍ରୀ ମହାପାତ୍ର ଉତ୍କଳ କଂଗ୍ରେସ , ଜନତା ପାର୍ଟି ଓ ଜନତା ଦଳରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ। ପରେ ବିଜୁ ଜନତା ଦଳ ଗଠନରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ଥିଲା। ତେବେ,୨୦୦୦ ମସିହାରେ ସେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହେବା ପରେ ଓଡ଼ିଶା ଗଣ ପରିଷଦ ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ। ପରେ ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି ଟିକେଟରେ ମହାକାଳପଡ଼ା ଆସନରୁ ଲଢିଥିଲେ। ତେବେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୁ ଜନତା ଦଳ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କଠାରୁ ଅଳ୍ପ ଭୋଟ ବ୍ୟବଧାନରେ ହାରି ଯାଇଥିଲେ।
ପରେ ତାଙ୍କୁ କନ୍ଧମାଳ ଲୋକସଭା ଉପନିର୍ବାଚନ ପାଇଁ ଦଳର ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିଲା। ତେବେ ଧୀରେ ଧୀରେ ତାଙ୍କର ଦଳର ରାଜ୍ୟ ନେତୃତ୍ୱ ସହିତ ବ୍ୟବଧାନ ବୃଦ୍ଧି ପାଇଥିଲା। ୨୦୧୭ ଡିସେମ୍ବର ମାସରେ ତାଙ୍କୁ କେନ୍ଦ୍ରପଡ଼ା ଜିଲ୍ଲା କମିଟିରୁ ବହିଷ୍କୃତ କରାଯାଇଥିଲା। ଗତ ବର୍ଷ ନଭେମ୍ବର ୩୦ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ସହିତ ସେ ଦଳରୁ ଇସ୍ତଫା ଦେଇଥିଲେ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜୟ ମହାପାତ୍ର , ଦଳୀୟ ନେତାଙ୍କ ସହ ଆଲୋଚନା ଜାରି
/sambad/media/post_attachments/wp-content/uploads/2019/03/Bijay-in-BJP-Office_Thumbnail.jpg)