‘ଭାଗ୍ୟରେ ଥିଲେ ବିଜୟଙ୍କ ପରି ସହଯୋଗୀ ମିଳନ୍ତି’: ସୌମ୍ୟରଂଜନ

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶୁଭାରମ୍ଭ ହେଲା ବିଜୟ କୁମାର ମେମୋରିଆଲ ଟ୍ରଷ୍ଟ

ଭୁବନେଶ୍ବର: ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମେଫେୟାର୍ କନଭେନସନରେ ଅନୁଷ୍ଠିତ ହୋଇଯାଇଛି । ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ଜଗତସିଂହପୁର ବିଧାୟକ  ପ୍ରଶାନ୍ତ କୁମାର ମୁଦୁଲୀ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନା ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଅତିଥି ରୂପେ ଯୋଗ ଦେଇଥିଲେ।

ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟକ୍ଷତା କରି ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ, ବିଜୟ ବାବୁ ଆମ ‘ସମ୍ବାଦ’ ପରିବାରର ପ୍ରଥମ ସହଯୋଗୀ ସଦସ୍ୟ ଥିଲେ। ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ସେ ‘ସମ୍ବାଦ’ର ସେବାରେ ନିଜକୁ ସମର୍ପିତ କରିଥିଲେ । ଭାଗ୍ୟରେ ଥିଲେ ଏପରି ସହଯୋଗୀ ମିଳନ୍ତି । ‘ସମ୍ବାଦ’ର ସଫଳତା ପଛରେ ଥିବା ତାଙ୍କର ଅବଦାନ ମୋ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ। ସେ ହନୁମାନଜୀଙ୍କର ଜଣେ ପ୍ରଧାନ ଭକ୍ତ ଥିଲେ। ତାଙ୍କ ପରି ଜଣେ ସହଯୋଗୀ ପାଇଥିବାରୁ ମୁଁ ଇଶ୍ଵରଙ୍କ ନିକଟରେ କୃତଜ୍ଞତା ଜଣାଉଛି । ଜଗତସିଂହପୁର ବିଧାୟକ ତଥା ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ମୁଦୁଲୀ କହିଥିଲେ ଜଗତସିଂହପୁର ଜିଲ୍ଲା ପାଇଁ ବିଜୟ ବାବୁ ଗର୍ବ ଓ ଗୌରବ। ସେ ଜଣେ ପରୋପକାରୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ। ଏପରି ଜଣେ ବ୍ୟକ୍ତିଙ୍କୁ ହରାଇବା ଜିଲ୍ଲା ତଥା ସାରା ରାଜ୍ୟର ଅପୂରଣୀୟ କ୍ଷତି ହୋଇଛି । ଆଜି ତାଙ୍କର ଶ୍ରାଦ୍ଧଦିବସ ଉପଲକ୍ଷେ ମୁଁ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଏଭଳି ଯୋଗଜନ୍ମା ପୁରୁଷ ବାରମ୍ବାର ଜନ୍ମ ନେବା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଅନ୍ୟତମ ସମ୍ମାନିତ ଅତିଥି ବିଧାୟକ ଅନନ୍ତ ନାରାୟଣ ଜେନା କହିଥିଲେ, ମୁଁ ବିଶ୍ବାସ କରିପାରୁନି ବିଜୟ ଭାଇ ଆମ ଗହଣରେ ନାହାନ୍ତି। ‘ସମ୍ବାଦ’ର ପ୍ରକାଶକ ପରି ବଡ଼ ପଦବୀରେ ଥିଲେ ମଧ୍ୟ ସେ ବେଶ ସରଳ ଓ ଆମାୟିକ ବ୍ୟକ୍ତି ଥିଲେ । ତାଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା। ତାଙ୍କର ବିୟୋଗ ମୋ ପାଇଁ ଅପୂରଣୀୟ କ୍ଷତି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ କାନୁନଗୋ କହିଲେ, ସବୁ ହୃଦୟକୁ ଜୟ କରିବାର ସୁଗୁଣ ସ୍ୱର୍ଗତ ବିଜୟ କୁମାର ପଟ୍ଟନାୟକଙ୍କ ପାଖରେ ଥିଲା । ତାଙ୍କ ସାଂଗଠନିକ ଦକ୍ଷତା ଅନନ୍ୟ। ରାଜ୍ୟର ଏକ ପ୍ରମୁଖ ସମ୍ବାଦପତ୍ର ‘ସମ୍ବାଦ’,ତାଙ୍କ ସ୍ପର୍ଶ ଓ ସମ୍ପର୍କର ଅଭୁଲା ସ୍ମୃତିକୁ ସାଇତି ରଖିଛି । ସେ ହିଁ ଥିଲେ ଏହି ବିଶାଳ ସାମ୍ରାଜ୍ୟ ଗଠନର ପ୍ରଚ୍ଛଦପଟ ନାୟକ ।

ରାଜ୍ୟର ସ୍ବନାମଧନ୍ୟ ସାହିତ୍ୟିକ ଗୌରହରି ଦାସ, ଦାଶ ବେନହୁର, ‘ପ୍ରମେୟ’ର ସଂପାଦକ ଗୋପାଳ କୃଷ୍ଣ ମହାପାତ୍ର, ପୂର୍ବତନ ବିଧାୟକ ଦୀଲ୍ଲିପ ଶ୍ରୀଚନ୍ଦନ, ବରିଷ୍ଠ ସାହିତ୍ୟିକ ଅସିତ୍ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର, ବିଶିଷ୍ଟ ସାହିତ୍ୟିକା ସୁଷମା ମିଶ୍ର, ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଜୟ ପଟ୍ଟନାୟକଙ୍କ ସହିତ ବିତି ଥିବା ଦିନର ବିଭିନ୍ନ ସ୍ମୃତିକୁ ମନେପକାଇ ସମସ୍ତେ ତାଙ୍କ ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ବିଜୟ ପଟ୍ଟନାୟକଙ୍କ ସାନଭାଇ ଅଜୟ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଆଜିର ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ଭୁବନେଶ୍ବର ସିଆରପି ଛକସ୍ଥିତ ଶ୍ରୀସଂକଟମୋହନ ହନୁମାନ ମନ୍ଦିରରେ ଅଖଣ୍ଡ ଗୀତାପାଠ ସହ ୧୦୮ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ସିଆରପିସ୍ଥିତ ହନୁମାନ ମନ୍ଦିର ପରିସର ମଧ୍ୟରେ ବିଜୟ ବାବୁଙ୍କର ଏକ ପ୍ରତିମାକୁ ‘ସମ୍ବାଦ’ର ସଂପାଦକ ସୋମ୍ୟରଂଜନ ପଟ୍ଟନାୟକ ସକାଳେ ଉନ୍ମୋଚନ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ‘ସ୍ମୃତିରେ ବିଜୟ’ ନାମକ ଏକ ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ସୌମ୍ୟରଞ୍ଜନ ପଟ୍ଟନାୟକ ବିଜୟ ପଟ୍ଟନାୟକଙ୍କ ସ୍ମୃତିରେ ବିଜୟ କୁମାର ମେମୋରିଆଲ ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟର ଶୁଭାରମ୍ଭ କରିଥିଲେ। ଆଗାମୀ୨୦୨୨ରୁ ଏହି ଟ୍ରଷ୍ଟ କାର୍ଯ୍ୟ କରିବ । ଏଥିରେ ପ୍ରତିବର୍ଷ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ସେବା, ସମ୍ବାଦପତ୍ର ବିକ୍ରେତାଙ୍କ ପିଲାଙ୍କୁ, ଶିଶୁ ଶ୍ରମରୁ ମୁକ୍ତ ହୋଇ ଉଚ୍ଚଶିକ୍ଷା ଲାଭକରିଥିବା ଶିକ୍ଷାର୍ଥୀ ଏବଂ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଓ ଦ୍ଵିତୀୟ ହୋଇଥିବା ଦୁଇଜଣ ପିଲାଙ୍କୁ ପୁରସ୍କାର ସହିତ ସମ୍ବର୍ଦ୍ଧିତ କରାଯିବ ବୋଲି ଘୋଷଣା କରିଥିଲେ । ଏହି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା, ଓଡ଼ିଶା ପ୍ରଦେଶ କଂଗ୍ରେସ ନିରଞ୍ଜନ ପଟ୍ଟନାୟକ, ଆଡଭୋକେଟ ଜେନେରାଲ ଅଶୋକ ପରିଜା, ପ୍ରଖ୍ୟାତ ଡାକ୍ତର ଅଭୟ ସାହୁ, ମନୋଜ ସାହୁ ପ୍ରମୁଖ  ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର