ଓଡ଼ିଶାରେ ବିଜୁ ବାବୁଙ୍କ ଲୋକପ୍ରିୟତା ଶିଖର ଛୁଆଁ। ତାଙ୍କ ଅାବର୍ତ୍ତମାନରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ସକାଶେ ସାଧାରଣ ଓଡ଼ିଆର ଭଲ ପାଇବା ଟିକିଏ ବି ମଳିନ ପଡିନାହିଁ। ବିଜୁ ବାବୁଙ୍କ କଥା କହିଲା ବେଳେ ସାଧାରଣରେ ଲୋକେ ଧାରଣା କରି ବସନ୍ତି ଯେ ରାଜନୀତିରେ ହିଁ କେବଳ ସେ ବିଶେଷ ସକ୍ରିୟ ଥିଲେ ଓ ଜଣେ ରାଜନେତା ଭାବରେ ତାଙ୍କର ରହିଛି ସବୁତକ ସଫଳତା। ହେଲେ ବିଜୁ ପଟ୍ଟନାୟକ ଥିଲେ ଜଣେ ବ୍ୟାପ୍ତ ପ୍ରତିଭାର ମଣିଷ। କେତେ କେତେ ଦିଗକୁ ତାଙ୍କର ଜୀବନ ଛୁଇଁଥିଲା ତାହା କହିବସିଲେ ଏକାଧିକ ପୁସ୍ତକ ହେବ। ଖେଳ ଦୁନିଆ ସହିତ ବିଜୁ ବାବୁଙ୍କର ଯେଉଁ ସମ୍ପର୍କ ଥିଲା ତଥା ଖେଳାଳି ଓ ଖେଳ ପ୍ରଶାସକ ଭାବରେ ତାଙ୍କର ଯେଉଁ ଅବଦାନ ରହିଥିଲା ତାହାକୁ ଦେଖି ଯୁଗ ପ୍ରବର୍ତ୍ତକ ଭାବେ କହିଲେ କୌଣସି ପ୍ରକାରରେ ଭୁଲ୍ ହେବ ନାହିଁ। ଜଣେ ଉଚ୍ଚକୋଟୀର ଖେଳାଳି, ଅତ୍ୟନ୍ତ ସଫଳ କ୍ରୀଡ଼ା ପ୍ରଶାସକ ସହ ସେ ଥିଲେ ଆମ ଓଡ଼ିଶା ପାଇଁ ଦୁଃସାହସିକ କ୍ରୀଡ଼ାର ପଥ ପ୍ରଦର୍ଶକ।
ଖେଳାଳି ଭାବରେ ବିଜୁ ବାବୁ ଜଣେ ଭଲ ଆଥଲେଟ୍ ଏବଂ ଫୁଟ୍ବଲର ଥିଲେ। ତା’ସହ ଭଲିବଲ୍, ହକି ଓ କ୍ରିକେଟରେ ମଧ୍ୟ ତାଙ୍କର ରହିଥିଲା ବିଶେଷ ଦକ୍ଷତା। ସେ ବିଶ୍ୱବିଦ୍ୟାଳୟ ଦଳରୁ ୫ଟି କ୍ରୀଡ଼ାରେ ପ୍ରତିନିଧିତ୍ୱ କରିବାର ପାଇଥିଲେ ସୁଯୋଗ। ଦୁଇଭାଇ ଜର୍ଜ ପଟ୍ଟନାୟକ ଏବଂ ସିଜୁ ପଟ୍ଟନାୟକଙ୍କ ସହ ପିଲାଟୁ ବେଳୁ ଖେଳାଳି ଭାବେ ଚମକି ଆସିଥିଲେ ବିଜୁ ପଟ୍ଟନାୟକ। ତାଙ୍କ ଭାଇ ଜର୍ଜ ପଟ୍ଟନାୟକ ଏକ ଲେଖାରେ ଉଲ୍ଲେଖ କରିଛନ୍ତି ପୋଲ ଭଲ୍ଟରେ ବିଜୁଙ୍କର ବିଶେଷ କୃତିତ୍ୱ ବାବଦରେ। ଓଡ଼ିଶା କ୍ରୀଡ଼ାର ଆଉ ଜଣେ ମହାନତମ ଖେଳାଳି ତଥା ଜାତୀୟସ୍ତରରେ ସ୍ୱର୍ଣ୍ଣ ପଦକ ଜିତିଥିବା ନନ୍ଦକୃଷ୍ଣ ଦାସ ଓ ବିଜୁ ବାବୁଙ୍କ ମଧ୍ୟର ଏକ ଚର୍ଚ୍ଚିତ ଘଟଣା ଆଜି ମଧ୍ୟ ମନେପକାନ୍ତି ଲୋକେ। ନିଜ ଦ୍ୱାରା ସ୍ଥାପିତ ପୋଲ ଭଲ୍ଟର ରେକର୍ଡକୁ ଯିଏ ଭାଙ୍ଗିବ ମୁଁ ତାକୁ ୧୦୦ ଟଙ୍କା ପୁରସ୍କାର ଦେବି ବୋଲି ଘୋଷଣା କରିଥିଲେ ବିଜୁ ବାବୁ। କଟକ ପୁଲିସ୍ ପଡିଆରେ ନନ୍ଦକୃଷ୍ଣ ଦାସ ତାକୁ ଭାଙ୍ଗିବାରେ ତୁରନ୍ତ ସେଇଠି ଉପହାର ଦେଇଥିଲେ ୧୦୦ ଟଙ୍କା। ରେଭେନ୍ସା କଲେଜରେ ଶ୍ରେଷ୍ଠ ଖେଳାଳିଙ୍କ ଲାଗି ପ୍ରଦାନ ହେଉଥିବା ରେଭେନ୍ସା ବ୍ଲୁ ପୁରସ୍କାର ଦୁଇଥର ପାଇ ନିଜର ଅଲରାଉଣ୍ଡ ସାଫଲ୍ୟକୁ ବିଜୁ ବାବୁ ପ୍ରମାଣିତ କରିଥିଲେ। ତାଙ୍କ ସମସାମୟିକ ଖେଳାଳିମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ମନିନ୍ଦ୍ରନାଥ ଗୁହ, ଫେଲୁ ମହାପାତ୍ର ଏବଂ ବସନ୍ତ ସାଠିଆ ପ୍ରମୁଖ।
ଓଡ଼ିଶାରେ ଦୁଃସାହସିକ କ୍ରୀଡ଼ାର ପଥ ପ୍ରଦର୍ଶକ ବିଜୁ ବାବୁ ହିଁ ଥିଲେ। ୧୯୩୨ ମସିହାରେ ନିଜ ଦୁଇ ସାଙ୍ଗଙ୍କ ସହ ସାଇକେଲରେ କଟକରୁ ପେଶୱାର ଯିବା ସେହି ସାହସିକ ଧାରାର ଥିଲା ପ୍ରମାଣ। ତା’ସହ ପାଇଲଟ୍ ଭାବେ ଏକାଧିକ ଦୁଃସାହସଭରା ମିଶନରେ ସାମିଲ ହୋଇଥିବା ବିଜୁ ବାବୁ ଆକାଶରେ ମଧ୍ୟ ଦୁଃସାହସିକତାର ପ୍ରଦର୍ଶନ କରିଥିଲେ।
ଓଡ଼ିଶାର ପ୍ରମୁଖ ରାଜନେତାମାନଙ୍କର ଖେଳ ଦୁନିଆ ସହିତ ସିଧାସଳଖ ସମ୍ପର୍କ ଯେଉଁ ସମୟରେ ଆଦୌ ନଥିଲା ସେ ସମୟରେ ବିଜୁ ବାବୁ ଭାରତୀୟ କ୍ରୀଡ଼ା ଦୁନିଆରେ ଜଣେ ସଫଳ କ୍ରୀଡ଼ା ପ୍ରଶାସକ ଭାବେ ପ୍ରଭାବବିସ୍ତାର କରିଥିଲେ। ସେ ଓଡ଼ିଶାର ପ୍ରଥମ ସଫଳ ରାଜନେତା ଯିଏ ପେସାଦାର ଖେଳ ଟିମ୍ ଗଠନ କରି ରଖିଥିଲେ ଅନେକ ବର୍ଷ। ନିଜ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଟ୍ୟୁବସ୍ରେ ସେ ଓଡ଼ିଶା ଓ ଓଡ଼ିଶା ବାହାରର ବହୁ ନାମଜାଦା ଖେଳାଳିଙ୍କୁ ଦେଇଥିଲେ ଚାକିରି। ୬୦ ଦଶକରେ କଳିଙ୍ଗ ଟ୍ୟୁବସ୍ର ଫୁଟ୍ବଲ ଦଳ ଦେଶରେ ଏକ ଆଗୁଆ ଦଳ ଥିଲା। ଥମାସ ବ୍ରଦର୍ସ, ମାଧବନ ଏବଂ ସେକ୍ ବାବୁଙ୍କ ପରି ସେ ସମୟର ଚମକପ୍ରଦ ଫୁଟବଲରମାନେ ସାମିଲ ଥିଲେ ତାଙ୍କ ଦଳରେ। ଚୌଦ୍ୱାରା ଓଟିଏମ୍ରେ ମଧ୍ୟ ଏକ ଭଲମାନର ଫୁଟବଲ ଟିମ୍ ବିଜୁ ବାବୁଙ୍କ ଦିଗଦର୍ଶନରେ ଗଠିତ ହୋଇଥିଲା। ଖାଲି ଖେଳାଳି କିମ୍ବା ଖେଳାଳିଙ୍କୁ ଚାକିରି ଦେବାରେ ବିଜୁ ବାବୁଙ୍କ ଯୋଗଦାନ ସୀମିତ ନଥିଲା। କିପରି ଭଲମାନର ପ୍ରତିଯୋଗିତା ଓଡ଼ିଶାରେ ହୋଇପାରିବ ସେଥିପାଇଁ ସେ ଆଗଭର ହୋଇଥିଲେ। ଉତ୍କଳ ଗୌରବ ମଧୁବାବୁଙ୍କ ପରି ବିଜୁ ବାବୁ ମଧ୍ୟ ନିଜ ଉଦ୍ୟମରେ ଆରମ୍ଭ କରିଥିଲେ ଓଡ଼ିଶାରେ ଏକ ଜାତୀୟସ୍ତରୀୟ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟ। ୧୯୬୧-୬୨ ସିଜିନ୍ରୁ କଳିଙ୍ଗ କପ୍ ଫୁଟବଲ ପ୍ରତିଯୋଗିତା ଆରମ୍ଭ ସେ କରିଥିଲା ବେଳେ ଏହାର ଟ୍ରଫି ସେ ଲଣ୍ଡନର ପ୍ରସିଦ୍ଧ ହାମିଲଟନ୍ କମ୍ପାନୀରୁ ବନାଇ ଆଣିଥିଲେ। ୬୦ ଓ ୭୦ ଦଶକରେ କଳିଙ୍ଗ କପ୍ ଫୁଟବଲ ଖେଳିବାକୁ ଦେଶର ପ୍ରାୟ ସବୁ ବଡ଼ ତାରକା ଆସୁଥିଲେ ଓଡ଼ିଶା।
ଓଡ଼ିଶା କ୍ରୀଡ଼ାର ଯୁଗ ପ୍ରବର୍ତ୍ତକ ବିଜୁ ପଟ୍ଟନାୟକ ପ୍ରଥମ ଓଡ଼ିଆ ଭାବରେ ଜାତୀୟ କ୍ରୀଡ଼ା ଫେଡେରେସନ୍ର ବନିଥିଲେ ସଭାପତି। ୧୯୬୪ରୁ ୧୯୬୬ ପର୍ଯ୍ୟନ୍ତ ସେ ଭାରତୀୟ ବାସ୍କେଟବଲ୍ ସଂଘର ସଭାପତି ଦାୟିତ୍ୱ ତୁଲାଇଥିଲେ। ତାଙ୍କରି ସଭାପତିତ୍ୱ କାଳରେ ଏକାଧିକ ବଡ଼ ପ୍ରତିଯୋଗିତା ଓ ସ୍ୱଚ୍ଛଚୟନ ଧାରା ଆରମ୍ଭ କରାଯାଇଥିଲା। ତାଙ୍କ ପୂର୍ବ ପର୍ଯ୍ୟନ୍ତ ସେମିରେ ସାମିଲ ହେଉଥିବା ଦଳମାନଙ୍କରୁ କେବଳ ବଛା ଯାଉଥିଲେ ଖେଳାଳି। ହେଲେ ବିଜୁ ବାବୁ ସଭାପତି ଥିଲା ବେଳେ ପୁରା ଜାତୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ଖେଳାଳିମାନଙ୍କୁ ବାଛିବା ପାଇଁ ଚୟନକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କରି ପ୍ରୟାସ କାରଣରୁ ସେମିଫାଇନାଲକୁ ଆସିପାରୁନଥିବା ଦଳମାନଙ୍କରୁ ମଧ୍ୟ ପ୍ରତିଭାଧାରୀମାନେ ବଛା ହୋଇ ଭାରତୀୟ ଶିବିରକୁ ଆସିପାରିଥିଲେ। ଭାରତୀୟ ବାସ୍କେଟବଲ ଦୁନିଆରେ କଳିଙ୍ଗ କପ୍ ପ୍ରଦାନର ଧାରା ମଧ୍ୟ ଆରମ୍ଭ କରାଇଥିଲେ ବିଜୁ ବାବୁ।
ଏହି ଲେଖକ ଅନେକବାର ଖେଳ ପଡିଆରେ ବିଜୁ ବାବୁଙ୍କୁ ଦେଖିଛି ତଥା କ୍ରୀଡ଼ା ପ୍ରତିଯୋଗିତା ଗୁଡିକରେ ଆଗ୍ରହ ସହ ସାମିଲ ହେଉଥିବାକୁ ମଧ୍ୟ ପ୍ରତ୍ୟକ୍ଷ କରିଛି। ତାଙ୍କ ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀତ୍ୱ କାଳରେ ବନ୍ଦ ହୋଇଯାଇଥିବା କଳିଙ୍ଗ କପ୍ ଫୁଟବଲ ପ୍ରତିଯୋଗିତାକୁ ସେ ପୁଣି ଆରମ୍ଭ କରାଇଥିଲେ। ଦୁଃସାହସିକ ସମୁଦ୍ର ଯାତ୍ରା ଏବଂ ବେଳାଭୂମି ପଦଯାତ୍ରା ଭଳି କାର୍ଯ୍ୟକ୍ରମ ମଧ୍ୟ ସେହି ସମୟରେ ହୋଇଥିଲା ଆରମ୍ଭ। ରାଜନୀତିରେ ବୁଡି ରହିଥିଲେ ବି ଖେଳ ଦୁନିଆରୁ କିନ୍ତୁ ଦୂରରେ ନଥିଲେ ବିଜୁ ବାବୁ। ଭାରତୀୟ ୧୭ ବର୍ଷରୁ କମ୍ ଦଳର ଅଧିନାୟକ ଭାବେ ଶିବ ସୁନ୍ଦର ଦାସ ଦାୟିତ୍ୱ ପାଇବା ପରେ କୋଚ୍ କିଶୋର ମାଣିଆଙ୍କ ସହ ବିଜୁ ବାବୁଙ୍କୁ ଭେଟିବାକୁ ଯାଇଥିଲେ। ଶିବ ସୁନ୍ଦର କିଛି କହିବା ଆଗରୁ ବିଜୁ ବାବୁ ତାଙ୍କ ଦଳରେ କେତେ ବାମହାତୀ ସ୍ପିନର, କେତେ ବାମହାତୀ ବ୍ୟାଟ୍ସମ୍ୟାନ୍ ତଥା କେତେ ପେସ୍ ବୋଲର ରହିଛନ୍ତି ସବୁକିଛି ଟିକିନିଖି ପଚାରିଥିଲେ। ଥରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ହଠାତ୍ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶାଳୟର ଅର୍ଚେରୀ ଶିବିରରେ ପହଞ୍ଚି ଖେଳାଳି ମାନଙ୍କ ପ୍ରଦର୍ଶନ କଥା ପଚାରିଥିଲେ ଅଫିସିଆଲମାନଙ୍କୁ। ଭଲମାନର ଧନୁତୀର ଆମ ଖେଳାଳି ପାଉନଥିବାରୁ ପ୍ରଦର୍ଶନ କମୁଥିବା କଥା ବିଜୁ ବାବୁଙ୍କୁ ସେତେବେଳର ବରିଷ୍ଠ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି କହିବାରେ ତୁରନ୍ତ ୧୨ଟି ଭଲମାନର ଧନୁ ଓ ତୀର ସେଟ୍ କିଣିବାକୁ ସେଇ ପଡିଆରେ ହିଁ ସେ ଦେଇଥିଲେ ନିର୍ଦ୍ଦେଶ। ଅନେକ ହୁଏତ ଜାଣିନଥିବେ କଟକ ଜଗତପୁରରେ ଥିବା ସାଇର ଜଳକ୍ରୀଡ଼ା ପ୍ରକଳ୍ପ ସ୍ଥାପନରେ ମଧ୍ୟ ବିଜୁ ବାବୁଙ୍କର ରହିଥିଲା ବିଶେଷ ଭୂମିକା। ସେହିପରି ଓଡ଼ିଶାରେ ମହିଳା ଫୁଟବଲ୍ ଆଜି ଏକ ସଫଳ ସ୍ୱରୂପ ପାଇଛି। ହେଲେ ଏହାର ଆରମ୍ଭ କରାଇଥିଲେ ବିଜୁ ବାବୁ। ସେ ଯଦି ବାଧ୍ୟ କରି ଆସାମରେ ଅନୁଷ୍ଠିତ ହେଉଥିବା ଜାତୀୟ ପ୍ରତିଯୋଗିତାକୁ ଓଡ଼ିଶାର ମହିଳା ଫୁଟବଲ ଦଳ ପଠାଇ ନଥାନ୍ତେ ତା’ହେଲେ ଏବେ ବି ଓଡ଼ିଶା ପାଇଁ ମହିଳା ଫୁଟବଲର ଧାରା ଅପହଞ୍ଚ ହୋଇଥା’ନ୍ତା ।
-ସମ୍ବିତ୍ ମହାପାତ୍ର