ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ମୃତ୍ୟୁର ୨୮ ବର୍ଷ ପରେ ତାଙ୍କର ଅସ୍ଥି ବିସର୍ଜନ ପ୍ରସଙ୍ଗ ଆଲୋଚନା ପରିସରକୁ ଆସିଛି। ବିଜୁଙ୍କ ନାଁ ହଜାଇଦେବାକୁ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେଡି ଆକ୍ଷେପ କଲା ପରେ ଏହି ପ୍ରସଙ୍ଗଟିକୁ ଉଖାରିଛନ୍ତି ବିଜେପି ବିଧାୟକ ବାବୁ ସିଂହ। ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ପୁଅ ନବୀନ ପଟ୍ଟନାୟକ ଧ୍ୟାନ ଦେଇ ନଥିଲେ ବୋଲି ଶ୍ରୀ ସିଂହ ଆରୋପ ଲଗାଇଛନ୍ତି। ଆଉ ଏଥିରେ ମନ୍ତବ୍ୟ ଦେଇ ପ୍ରସଙ୍ଗଟିକୁ ଆହୁରି ଚର୍ଚ୍ଚାର ଖୋରାକ ଯୋଗାଇଛନ୍ତି ବିଜୟ ମହାପାତ୍ର।
ଆଜି ଗଣମାଧ୍ୟମକୁ ବିଧାୟକ ଶ୍ରୀ ସିଂହ କହିଲେ, ବିଜୁ ବାବୁଙ୍କୁ ତାଙ୍କ ଜୀବଦଶାରେ ନବୀନ ବାବୁ ଘୃଣା କରୁଥିଲେ। ଏପରିକି ତାଙ୍କର ପରଲୋକ ପରେ ତାଙ୍କ ଅସ୍ଥିକୁ ନବୀନ ବାବୁ ରଖି ନ ଥିଲେ। ବରଂ ତାଙ୍କର ଘନିଷ୍ଠ ସହଯୋଗୀ ବିଜୟ ମହାପାତ୍ର ଅସ୍ଥି ରଖିଥିଲେ। ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ନବୀନ ବାବୁ କେବେ ଧ୍ୟାନ କି ସମୟ ଦେଇ ନ ଥିଲେ । ବିଜୟ ବାବୁ ତାଙ୍କ ଘରେ ତିନି ବର୍ଷ କାଳ ଅସ୍ଥି ରଖି ନବୀନ ବାବୁଙ୍କ ଅପେକ୍ଷା କରିବା ପରେ ଶେଷରେ ପ୍ରୟାଗରାଜ ନେଇ ବିସର୍ଜନ କରିଥିଲେ। ବିଜୁ ବାବୁଙ୍କୁ ତାଙ୍କ ପୁଅ ନବୀନ ବାବୁ କେମିତି ଭଲ ପାଉଥିଲେ ତାହା ଏଥିରୁ ଜଣାପଡ଼ିଯାଉଛି। ସେମିତି ବିଜୁ ବାବୁ ଅସୁସ୍ଥ ହୋଇ ଏସକର୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ନବୀନ ବାବୁ ତାଙ୍କୁ ଦେଖିବାକୁ ମଧ୍ୟ ଯାଇ ନଥିଲେ। ତାଙ୍କର ଚିକିତ୍ସା ବାବଦରେ ୨୨ ଲକ୍ଷ ଟଙ୍କା ନଦେବା ପାଇଁ ନବୀନ ବାବୁ ଘରେ ଲୁଚିଥିଲେ। ଏହି ବିଲ୍ ଦିଲ୍ଲୀପ ରାୟ ଦେଇଥିଲେ। ବିଜୁ ବାବୁଙ୍କ ଦଶାହରେ ବି ନବୀନ ବାବୁ ନଣ୍ଡା ହେବାକୁ ରାଜି ନଥିଲେ। ତାଙ୍କ ଭଉଣୀ ଓ କିଛି ନେତା ଅନୁରୋଧ କଲା ପରେ ସେ ନଣ୍ଡା ହୋଇଥିଲେ।
ବିଜୟଙ୍କ ଘରେ ୩/୪ ବର୍ଷ ଥିଲା ଅସ୍ଥି: ବାବୁ ସିଂହ
ସତ ବୋଲି କହିଲେ ବିଜୟ
ମନଗଢ଼ା କାହାଣୀ କହୁଛନ୍ତି ବିଧାୟକ: ବିଜେଡି
ଶ୍ରୀ ସିଂହଙ୍କ ମନ୍ତବ୍ୟ ସତ ବୋଲି କହିଛନ୍ତି ବିଜୟ ମହାପାତ୍ର। ଗଣମାଧ୍ୟମକୁ ସେ କହିଛନ୍ତି, ବିଜୁ ବାବୁଙ୍କ ଅସ୍ଥି ଆମ ଘରେ ତିନି ଚାରି ବର୍ଷ ରହିଥିଲା। ଏକଥା ସମସ୍ତେ ଜାଣିଥିଲେ। ଅସ୍ଥିକୁ ବିଧିବ୍ୟବସ୍ଥା ଅନୁଯାୟୀ ପୂଜା କରାଯାଉଥିଲା। ନବୀନ ବାବୁ ଥରେ ଦେଖିବାକୁ ଆସିଥିଲେ। ଅସ୍ଥି ଗୋଟିଏ ଦିନ ଆମ ଘରେ ଉତ୍ପାତ କଲା। ଖାଲିଟାରେ କବାଟ ସବୁ ବାଡ଼େଇ ହୋଇ ଦୁଆରେ ପବନ ବହିଲା। ଏହା ପରେ ପଣ୍ଡିତଙ୍କ ସହ ଆଲୋଚନା କରି ବିସର୍ଜନ ପାଇଁ ନିଷ୍ପତ୍ତି ନେଲି। ନିଜେ ପ୍ରୟାଗରାଜକୁ ଯାଇ ବିସର୍ଜନ ପାଇଁ ଗଲି। ମାତ୍ର ନବୀନ ବାବୁ ଯାଇ ନଥିଲେ। ସେଠାରେ ବିସର୍ଜନ ବେଳେ ବହୁତ ସମୟ ଲାଗିଥିଲା। ଅସ୍ଥି ଥିବା ତମ୍ବା ପାତ୍ର ବୁଡ଼ିବା ପାଇଁ ଅଧଘଣ୍ଟା ସମୟ ଲାଗିଥିଲା।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାର ଅଡୁଆରେ ପଡ଼ିଯାଇଛନ୍ତି। ଏଥି ପାଇଁ ଦଳର ବିଧାୟକ ଓ ନେତାମାନେ ଅପ୍ରସଙ୍ଗ ଉଠାଇ ମୁଖ୍ୟ ପ୍ରସଙ୍ଗକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି। ଏକାମ୍ର ବିଧାୟକ ଆଜି ଦେଇଥିବା ମନ୍ତବ୍ୟ କେବଳ ମନଗଢ଼ା କାହାଣୀ ଓ ବିଭ୍ରାନ୍ତି ପାଇଁ ଉଦ୍ଦିଷ୍ଟ। ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇଥିବା ଶ୍ରୀ ସିଂହ କେଉଁ ପରିସ୍ଥିତିରେ ବିଜେଡିରେ ୨୦୧୮ ମସିହା ପର୍ଯ୍ୟନ୍ତ ରହି ଗୁଣଗାନ କରୁଥିଲେ ? ସୁବିଧାବାଦୀ ରାଜନୀତିର ଉଦାହରଣ ସାଜିଥିବା ଶ୍ରୀ ସିଂହଙ୍କ ମନ୍ତବ୍ୟକୁ ରାଜ୍ୟବାସୀ ଗ୍ରହଣ କରିବେନି।