ଖୁବଶୀଘ୍ର ଫେରିବ ବିଜୁବାବୁଙ୍କ ଡାକୋଟା ବିମାନ, ବିମାନ ଆଣିବାକୁ ନୀତିଗତ ନିଷ୍ପତ୍ତି ନେଲେ ସରକାର

ସହଯୋଗ କରିବ ଭାରତୀୟ ବାୟୁସେନା ସଂଘ

ଭୁବନେଶ୍ବର : ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରୀୟ ‘ଡାକୋଟା’ ବିମାନକୁ କୋଲକାତାରୁ ଓଡ଼ିଶା ଫେରେଇ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନୀତିଗତ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଆଇଟି ଶାସନ ସଚିବ ମନୋଜ କୁମାର ମିଶ୍ର କହିଥିଲେ, ଡାକୋଟା ବିମାନକୁ ଭୁବନେଶ୍ବର ଫେରାଇ ଆଣିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅବଗତ କରାଯିବ। ବିମାନଟି ଭୁବନେଶ୍ବର ଆସିବା ପରେ କେଉଁଠି ରଖାଯିବ, ଏ ଯାଏ ‌ ସ୍ଥାନ ନିରୂପଣ କରାଯାଇନି। ତେବେ ବିମାନର ଗରିମା ଦୃଷ୍ଟିରୁ ତାର ଶୋଭା ଯେପରି ଅଧିକ ବୃଦ୍ଧି ପାଇବ, ତାକୁ ବିଚାରକୁ ନେଇ ପରବର୍ତ୍ତୀ ସମୟରେ ଜାଗା ଚୟନ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ସହଯୋଗ କରିବ ଭାରତୀୟ ବାୟୁସେନା ସଂଘ
ଭୁବନେଶ୍ବର : ଭାରତୀୟ ବା‌ୟୁସେନା ସଂଘ ଓଡ଼ିଶା ଶାଖାର ଏକ ଜରୁରୀ ବୈଠକ ସଂଘର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗ୍ରୁପ୍ କ୍ୟାପ୍‌ଟେନ୍ ଜଗଦାନନ୍ଦ ବ୍ରହ୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଜୁ ବାବୁଙ୍କ ଡାକୋଟା ବିମାନ ଉପରେ ଆଲୋଚନା କରାଯାଇଥିଲା। ସମ୍ପାଦକ ଅରୁଣ ମହାନ୍ତି ପ୍ରସ୍ତାବ ଦେଇଥିଲେ, ଉଡ଼ାଜାହାଜ ଉପରେ କାର୍ଯ୍ୟ କରିଥିବା ବହୁ ଅବସରପ୍ରାପ୍ତ ବାୟୁ ସୈନିକ ସଂଘର ସଦସ୍ୟ ଅଛନ୍ତି। ଯଦି ସେମାନଙ୍କ ସହଯୋଗ ନିଆଯାଆନ୍ତା, ତେବେ ସେମାନେ ଡାକୋଟାକୁ ସମ୍ପୂର୍ଣ୍ଣ ଭାବେ ଖୋଲି ଆଣି ଭୁବନେଶ୍ବରରେ ଖଞ୍ଜିପାରନ୍ତେ। ସରକାର ଏ ଦିଗରେ ଆଗ୍ରହ ପ୍ରକାଶ କଲେ ସଂଘ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଉପସଭାପତି ୱିଙ୍ଗ୍ କମାଣ୍ଡର୍‌ ପି ସି ପଟ୍ଟନାୟକ, ସହ ସମ୍ପାଦକ ଜେ ପି ଦାସ, ପ୍ରଦୀପ ନାୟକ, ଦିଲ୍ଲୀପ ବେହେରା, ରଙ୍ଗନିଧି ସାହୁ, ପବିତ୍ର ମୋହନ ସାମଲ ଓ ଉମାକାନ୍ତ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର