ବିଜୁ ବାବୁଙ୍କ ଡାକୋଟା ବିମାନ ପୈତୃକ ଗ୍ରାମରେ ରଖି ସ୍ମୃତି ସଂଗ୍ରହାଳୟ କରିବାକୁ ଦାବି

ଭଞ୍ଜନଗର : ନବ କଳିଙ୍ଗର ଐରଖାରବେଳ,କଳିଙ୍ଗବୀର,ଝଡର ଇଗଲ,ଉତ୍କଳ ମାଟିର ବୀରପୁତ୍ର ଏଭଳି ଅନେକ ପରିଚୟ ଥିଲେ ମଧ୍ୟ ଓଡ଼ିଶାର ପ୍ରତିଟି ଜନ ମାନସରେ ସେ ବିଜୁ ବାବୁ ଭାବେ ଆଜି ମଧ୍ୟ ଜୀବନ୍ତ ହୋଇ ରହିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜାତି ଆଉ ମାଟି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା କରିବା ସହ ଜାତୀୟ ରାଜନୀତିର ଅପ୍ରତିଦ୍ବନ୍ଦି ଜନପ୍ରତିନିଧି ନିଜକୁ ପ୍ରତିଷ୍ଡିତ କରିଥିଲେ। ଏଥିସହ ତାଙ୍କ ଜୀବନରେ ବିଜୁବାବୁ ଜଣେ ଦକ୍ଷ ପାଇଲଟ ଭାବେ ନିଜକୁ ପ୍ରମାଣିତ କରିପାରିଥିଲେ। ଆଉ ଏଥିରେ ତାଙ୍କ ବୀରତ୍ବର ପ୍ରତିଟି ଗାଥାର ମୁକ ସାକ୍ଷୀ ହୋଇଥିଲା ତାଙ୍କ ଡିସି-୩ ଡାକୋଟା ବିମାନ। ବିଜୁ ପଟ୍ଟନାୟକଙ୍କ ଜୀବନର ଅନେକ ଐତିହାସିକ କାର୍ଯ୍ୟ ସହ ଏହି ବିମାନର ସଂର୍ପକ ରହିଥିବାରୁ ତାକୁ ଓଡ଼ିଶା ଫେରାଇଆଣିବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା। କଲିକତାର ସୁଭାଷ ଚନ୍ଦ୍ର ବୋଷ ଆର୍ନ୍ତଜାତୀୟ ଏୟାରପୋର୍ଟରେ ପରିତ୍ୟକ୍ତ ଭାବେ ପଡି ରହିଥିବା ଏହି ବିମାନକୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ଜାନୁୟାରୀ ମାସରେ ବିଧିବଦ୍ଧ ଘୋଷଣା କରିଥିଲେ। ବର୍ତ୍ତମାନ ଡାକୋଟା ଫେରାଇ ଆଣିବା ନେଇ ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଡାକୋଟା ବିମାନକୁ ଓଡ଼ିଶା ଫେରାଇ ଆଣିବା ପରେ କେଉଁଠି ରଖାଯିବ ସେ ସଂର୍ପକରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନଥିବା ବେଳେ ବିଜୁ ବାବୁଙ୍କ ପୌତୃକ ଗ୍ରାମ ଘୁମୁସର ନୂଆଗାଁରେ ଏହି ବିମାନକୁ ରଖିବା ପାଇଁ ଦାବି ଜୋର୍ ଧରିଛି।

ଘୁମୁସର ନୂଆଗାଁରେ ରହିଛି ଓଡିଶାର ଦୁଇ ମୁଖ୍ୟମନ୍ତ୍ରୀଙ୍କ ପୈତୃକଙ୍କ ଘର। ସେହି ଘର ଭିତରେ ଆଜି ବି ରହିଛି ବିଜୁ ବାବୁଙ୍କ ଅନେକ ସ୍ମୃତି। ସ୍ବର୍ଗତ ବିଜୁବାବୁ ନିଜ ପୌତୃକ ଗାଁକୁ ବହୁତ ଭଲ ପାଇବା ସହ ବହୁବାର ଆସୁଥିଲେ। ନିଜ ବଡବାପା ପୁଅଙ୍କୁ ମିଶିବା ସହ ଗାଁରେ ବୁଲାବୁଲି କରି ସମସ୍ତଙ୍କ ଭଲମନ୍ଦ ବୁଝୁଥିଲେ। ଏଥିସହ ବହୁତ ଲୋକେ ସେଠାକୁ ଆସି ବିଜୁ ବାବୁଙ୍କୁ ନିଜ ଗୁହାରୀ ଜଣାଉଥିଲେ। ସେହି ସମୟରେ ସମସ୍ତଙ୍କର ଘର ଚାଳଘର ରହିଥିଲା। ସେଥିପାଇଁ ସେଠାରେ ରହିବା ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ କରିବାକୁ ସାନ ବାପାପୁଅ ଭାଇ ବିନାୟକ ଓ ଭଗବାନଙ୍କୁ କହିଥିଲେ। ଏହାପରେ ସେଠାରେ ବିନା ପିଲରରେ କେବଳ ଲୁହା ପାଇପ ସାହାଯ୍ୟରେ ଇଟା କାନ୍ଥରେ ଘର ନିର୍ମାଣ କରାଯାଇଥିଲା। ଉପରେ ଛାତ ବଦଳରେ ପଡିଥିଲା ଆଜବେଷ୍ଟ। ସେଠାରେ ଆଧୁନିକ ଶୌଳୀରେ ଘରଟିକୁ ନିର୍ମାଣ କରାଯାଇଥିଲା। ବିଜୁବାବୁଙ୍କ ଯିବା ଆସିବା ସହଜ ପାଇଁ ଘରର ଦ୍ବାରବନ୍ଧ ଗୁଡିକ ବହୁତ ଉଚ୍ଚ ମଧ୍ୟ ରହିଥିଲା। କାଠର ତିଆରି ଖଟ ଓ ବିଭିନ୍ନ ଆସବାପତ୍ର ଏବେବି ରହିଛି। ଏହି ମାଟିକୁ ସେ ବହୁତ ଭଲ ପାଉଥିବାରୁ ସେହି ବିମାନକୁ ଏଠାରେ ରଖାଯାଇ ସ୍ମତି ସଂଗ୍ରହାଳୟ କରିବା ପାଇଁ ଦାବି ଉଠିଛି।

ଏହି ଡାକୋଟା ବିମାନ ସାହାର୍ଯ୍ୟରେ ଅନେକ ସମର କୌଶଳର ସଫଳତାର ପ୍ରଚ୍ଛଦ ପଟରେ ରହିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟାନୟକଙ୍କ ଅଦମ୍ୟ ସାହାସ ଓ ଦେଶ ଭକ୍ତିର ଗାଥା। ୧୯୪୭ ମସିହାରେ କାଶ୍ମିର ଉପରେ ପାକ୍ସେନାର ଆକ୍ରମଣ ସମୟରେ ସେନାର ପ୍ରଥମ ଶୀଖ୍ ରେଜିମେଣ୍ଟ୍କୁ ଦିଲ୍ଲୀ ପାଲମ ଏୟାରପୋର୍ଟରୁ ଡାକୋଟା ବିମାନ ସାହାର୍ଯ୍ୟରେ ଏୟାର ଲିଫ୍ଟ କରି ପ୍ରତିପକ୍ଷର ରାଡାର୍କୁ ଚକମା ଦେଇ ଓ ଗୁଳିଗୋଳାକୁ ଖାତିର ନକରି ସଫଳତାର ସହ ଜାମ୍ମୁ କାଶ୍ମିର ଶ୍ରୀନଗରରେ ପହଞ୍ଚାଇବାର ଗୁରୁ ଦାୟିତ୍ବ ବହନ କରିଥିଲେ ଏହି ଦୁର୍ଦ୍ଦଶ ପାଇଲଟ ବିଜୁବାବୁ। ଯାହାକି ଜମ୍ମୁ କାଶ୍ମିରକୁ ଭାରତରେ ମିଶାଇବା ପାଇଁ ବାଟ କଢାଇ ନେଇଥିଲା। ଏଥିସହ ୧୯୪୮ ମସିହାରେ ଏହି ଡାକୋଟା ବିମାନ ଦ୍ବାରା ଡଚ୍ ମାନଙ୍କ କବଳରୁ ଇଣ୍ଡୋନେସିଆର ପ୍ରଧାନ ମନ୍ତ୍ରୀ ଓ ଉପ ରାଷ୍ଟ୍ରପତିଙ୍କୁ ଦିଲ୍ଲୀ ଉଡାଇ ଆଣିବାରେ ଦୁଃସାହିସିକ କାର୍ଯ୍ୟର ଆଉ ଏକ ଐତିହାସିକ ନମୁନା। ବିଜୁ ପଟ୍ଟନାୟକ ବ୍ୟବହାର କରୁଥିବା ଡାକୋଟା ବିମାନକୁ ଓଡ଼ିଶା ଅଣାଯିବ। ଏହି ଖବର ହିଁ ସମସ୍ତଙ୍କ ମନରେ ସୃଷ୍ଟି କରିଛି ଅନେକ ଉତ୍ସାହ ଓ ଉଦ୍ଦିପନା। ଡାକୋଟା ସାହର୍ଯ୍ୟରେ ଅନେକ ଅସାଧ୍ୟ କାର୍ଯ୍ୟକୁ ସେ ସାଧନ କରିଥିଲେ। ବିଜୁ ବାବୁଙ୍କ ଜୀବନର ଏକ ଅଭୁଲା ଅଂଶ ଥିଲା ଏହି ଡାକୋଟା ବିମାନ। କାଳକ୍ରମେ ଏହା ଅକାମୀ ହୋଇଯିବା ପରେ କଲିକତା ବିମାନ ବନ୍ଦରରେ ଏବେ ପଡି ରହିଛି।

ଏହି ବିମାନର ଅନେକ ଯନ୍ତ୍ରାଂଶ ବର୍ତ୍ତମାନ ଭଗ୍ନାବସ୍ଥାରେ ପଡି ରହିଥିବା ବେଳେ ପ୍ରଥମେ ତାକୁ ଭୂବନେଶ୍ବର ବିମାନ ବନ୍ଦର ଅଣାଯାଇ ସେସବୁ ଯନ୍ତ୍ରାଂଶକୁ ପୁର୍ନବାର ଉକ୍ତ ବିମାନରେ ଖଞ୍ଜାଯାଇ ତାହାର ପୁନରୁଦ୍ଧାର ଏବଂ ନବୀକରଣ କରାଯିବ ବୋଲି ସରକାର ନିଷ୍ପତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୧୧ ଜଣିଆ ଟେକ୍ନୋ କର୍ମସିଆଲ୍ ପରଚେଜ୍ କମିଟି ଗଠନ କରିଛନ୍ତି ଏହି କମିଟି ଯନ୍ତ୍ରାଂଶ ଗୁଡିକ ଓଡ଼ିଶା ପରିବହନ କରିବା ଦିଗରେ କାର୍ଯ୍ୟ କରିବ ବୋଲି ଜଣାପଡିଛି। ଏହି ଖବର ଜଣାପଡିବା ପରେ ଘୁମୁସର ଅଞ୍ଚଳରେ ଖୁସି ଜାହିର କରିବା ସହ ଏହି ଐତିହ୍ୟ ସମ୍ପନ୍ନ ସ୍ମୃତିଟିକୁ ବିଜୁ ବାବୁଙ୍କ ପୌତୃକ ଗ୍ରାମରେ ରଖି ବିଜୁ ବାବୁଙ୍କ ପୈତୃକ ବାସଗୃହକୁ ସ୍ମୃତି ସଂଗ୍ରାହାଳୟରେ ପରିଣତ କରିଲେ। ବିଶ୍ବ ମାନଚିତ୍ରରେ ଏହି ଅଞ୍ଚଳ ଗୌରବ ବହୁ ଗୁଣିତ ହେବା ସହ ବିଜୁ ବାବୁଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହୋଇପାରିବ ବୋଲି ବୁଦ୍ଧି ଜୀବୀ ମାନେ ପ୍ରକାଶ କରିଛନ୍ତି।

ପ୍ରମୋଦ ପଟ୍ଟନାୟକ,ବିଜୁବାବୁଙ୍କ ସଂର୍ପକୀୟ ପୁତୁରା
ଗାଁକୁ କେବେବି ଭୂଲି ନପାରିବା ନେଇ ବିଜୁ ବାବୁ ସର୍ବଦା କହୁଥିଲେ। କର୍ମମୟ ଜୀବନରୁ ଟିକେ ସମୟ ପାଇଲେ ଏଠାରେ ସମୟ ବିତାଇବାକୁ ଆସୁଥିଲେ। ବର୍ତ୍ତମାନ ମଧ୍ୟ ବହୁ ଲୋକ ତାଙ୍କ ପୈତୃକ ଗାଁକୁ ବୁଲିବାକୁ ଆସୁଛନ୍ତି। କିନ୍ତୁ ତାଙ୍କ ସ୍ମୃତି ପାଇଁ ଏଠାକୁ ଡାକୋଟା ବିମାନ ଅଣାଗଲେ ଭଲ ହୁଅନ୍ତା। ସେ ରହିବା ପାଇଁ ତିଆରି ହୋଇଥିବା ଘର ଏବେ ବି ରହିଛି। ତାଙ୍କ ସ୍ମୃତି ପାଇଁ ଏହି ସ୍ଥାନରେ କିଛି କରାଯାଇ ପାରିଲେ ତାଙ୍କୁ ଉଚିତ ସମ୍ମାନ ଦିଆଯାଇ ପାରନ୍ତା।

ସମ୍ବନ୍ଧିତ ଖବର