ଓଡ଼ିଶା ଫେରିବ ବିଜୁବାବୁଙ୍କ ଡାକୋଟା ବିମାନ ! ଶ୍ରୀଜଗନ୍ନାଥ ସେନାକୁ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଚିଠି

ପୁରୀ: ପ୍ରବାଦ ପୁରୁଷ ବିଜୁବାବୁଙ୍କ ବୀରତ୍ବର ଗାଥା ବହନ କରୁଥିବା ଡ‌ାକୋଟା ବିମାନ ଓଡ଼ିଶା ଫେରିବାର ବାଟ ଫିଟିଛି। ଏ ସଂପର୍କରେ ଭାରତୀୟ ବେସାମରିକ ବିମାନ ଚଳାଚଳ କର୍ତୃପକ୍ଷଙ୍କ ପକ୍ଷରୁ ଚିଠି ପାଇବା ପରେ ଶ୍ରୀଜଗନ୍ନାଥ ସେନା ଏହାକୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି। ଏ ଦିଗରେ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ୧୫ ଦିନ ଭିତରେ ଯଦି ରାଜ୍ୟ ସରକାର ଡାକୋଟା ବିମାନ ଫେରାଇ ଆଣିବା ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଶ୍ରୀଜଗନ୍ନାଥ ସେନା ନିଜସ୍ବ ଉଦ୍ୟମ ଓ ଖର୍ଚ୍ଚରେ ଏହାକୁ ପୁରୀ ଆଣିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ଡାକୋଟା ବିମାନକୁ ପୁରୀସ୍ଥିତ ଅର୍ବାନ ହାଟରେ ସମ୍ମାନପୂର୍ବକ ସ୍ଥାପନ ପାଇଁ ନିବେଦନ କରିଛନ୍ତି। ଯାହା ବିଜୁବାବୁଙ୍କ ପ୍ରତି ଉପଯୁକ୍ତ ସମ୍ମାନ ହେବ ବୋଲି ସେ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ଅଧିକ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ନିକଟରେ ସେ ଓ ତାଙ୍କ ସଙ୍ଗଠନର କର୍ମକର୍ତ୍ତା ପଶ୍ଚିମବଙ୍ଗ ଯାଇ ସେଠାରେ ଅସମ୍ମାନଜନକ ଭାବେ ପଡ଼ି ନଷ୍ଟ ହେଉଥିବା ବିଜୁବାବୁଙ୍କ ଡକୋଟା ବିମାନର ସ୍ଥିତି ଅନୁଧ୍ୟାନ କରିଥିଲେ। ଡକୋଟା ବିମାନର ସୁରକ୍ଷା ସହ ଓଡ଼ିଶା ଫେରାଇ ନେବାର ଅନୁମତି ଦେବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ସଙ୍ଗଠନ ପକ୍ଷରୁ ଅନୁରୋଧ କରାଯାଇ ଚିଠି ଲେଖାଯାଇଥିଲା। ଏହି ଚିଠି ପାଇବା ପରେ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶ୍ରୀଜଗନ୍ନାଥ ସେନାକୁ ପ୍ରତିଉତ୍ତର(ଚିଠି ନଂ-ଓପିଏସ/କୋଲକାତା/୨୦୧୭/୨୧୯୦, ୨.୧୨.୨୦୧୯) ଦିଆଯାଇଛି। ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୀଲ କୁମାର ଗର୍ଗ ଏକ ଚିଠି ଲେଖି ଡକୋଟା ବିମାନ ଫେରାଇ ନେବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗରେ ଏହି ବିମାନ ଫେରାଇ ନେବା ସହ ପ୍ରବାଦପୁରୁଷଙ୍କ ସ୍ମୃତିକୁ ସମ୍ମାନଜନକ ଭାବେ ଭୁବନେଶ୍ବର ବିମାନ ବନ୍ଦରରେ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି।

Pragativadi

ଏହି ଚିଠିରେ ଅନୀଲ ଗର୍ଗ କହିଛନ୍ତି କି ୨୦୧୭ ମସିହା ଡିସେମ୍ବରରେ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଥିଲେ। ଡାକୋଟା ବିମାନ ଫେରାଇ ନେବାକୁ ଚିଠିରେ କୁହାଯାଇଥିଲା। ଏ ଦିଗରେ ଯାହାକିଛି ସାହାଯ୍ୟ ସହଯୋଗ ଆବଶ୍ୟକ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଯୋଗାଇ ଦେବେ ବୋଲି କୁହାଯାଇଥିଲା। ଯେହେତୁ ଏହି ବିମାନ ପ୍ରବାଦ ପୁରୁଷ ବିଜୁବାବୁଙ୍କ ବୀରତ୍ବର ସ୍ମୃତି ବହନ କରୁଛି, ସେହି ଦୃଷ୍ଟିରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ଅବା କୌଣସି ମ୍ୟୁଜିୟମରେ ଏହାକୁ ସଂରକ୍ଷିତ କରି ରଖିବାକୁ କୁହାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ ରାଜ୍ୟ ସରକାର କୌଣସି ପଦ‌କ୍ଷେପ ନେଇନାହାନ୍ତି। ଏଣୁ ରାଜ୍ୟ ସରକାରଙ୍କ ସହ ମିଶି ଏହି ବିମାନ ଅଣାଯାଇ କିପରି ସମ୍ମାନଜନକ ସ୍ଥାନରେ ରହିପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଚିଠିରେ କୁହାଯାଇଛି। ରାଜ୍ୟ ସରକାର ଏହି ଚିଠିକୁ ଗୁରୁତ୍ବର ସହ ନେଇ ବିବୁ ବାବୁଙ୍କ ଡକୋଟା ବିମାନ କିପରି ଓଡ଼ିଶା ଫେରିବ, ସେ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର