ଆଜି ବିଜୁ ବାବୁଙ୍କ ଜୟନ୍ତୀ: ଏବେ ବି ବିଜୁ ବାବୁଙ୍କୁ ଝୁରୁଛନ୍ତି ପ୍ରମୋଦିନୀ

ପୁରୀ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କର ସାହସିକତା, ଉଦାରତା ଓ ଗମ୍ଭୀର ଠାଣିରେ ଆକଟ କରିବାର ଭଙ୍ଗୀ ଆଜି ବି ଅନେକଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିଛି। ଖାକିମଠ ନୂଆସାହିର ବାସିନ୍ଦା ପ୍ରମୋଦିନୀ ଏକ ଘଟଣାକ୍ରମରେ ବିଜୁ ପଟ୍ଟନାୟକଙ୍କ ସହ ଯୋଡ଼ି ହୋଇଥିଲେ। ପ୍ରମୋଦିନୀଙ୍କୁ ୭ବର୍ଷ ହୋଇଥିବା ବ‌େଳେ ଦୁର୍ଘଟଣା ଯୋଗୁ ତାଙ୍କ ଆଖି ଖରାପ ହୋଇଗଲା। ତେଣୁ ବାପା ଯତୀନ୍ଦ୍ର ନାଥ ମହାପାତ୍ର ପ୍ରମୋଦିନୀଙ୍କ ଚିକିତ୍ସା ନିମନ୍ତେ ସହାୟତା ପାଇଁ ବିଜୁ ବାବୁଙ୍କ ପାଖକୁ ଯାଇଥିଲେ। ବିଜୁ ବାବୁ ପ୍ରତିଶ୍ରୁତି ଦେଇ କହିଥିଲେ, ନିର୍ବାଚନ ଜିତିଗଲେ ତୋର ଅପରେସନ କରିଦେବି। କିନ୍ତୁ ଯୋଗସୂତ୍ର ହୋଇପାରିନଥିଲା। ଘଟଣାଚକ୍ରରେ ପ୍ରମୋଦିନୀ ହୋମଗାର୍ଡ ଚାକିରି କଲେ। ହେଲେ ପ୍ରାପ୍ୟକୁ ନେଇ ସନ୍ତୁଷ୍ଟ ନଥିଲେ। ଦିନକୁ ୧୫ ଟଙ୍କା ମଜୁରିରେ ଚାକିରି କରିବା ନେଇ ଆପତ୍ତି ଉଠାଇବା ସହ ବହୁ ହୋମଗାର୍ଡଙ୍କୁ ନେଇ ୧୯୮୯ ମସିହାରେ ବିଜୁ ପଟ୍ଟନାୟକଙ୍କ ନିବାସ ସମ୍ମୁଖରେ ହରତାଳ କରିଥିଲେ।

ବିଜୁ ବାବୁ ନିଜେ ବାହାରକୁ ଆସି ପ୍ରମୋଦିନୀଙ୍କୁ ଡାକିଥିଲେ। ପ୍ରମୋଦିନୀ ‌ବିଜୁ ବାବୁଙ୍କୁ ପିଲାବେଳର ଆଖି ଅପରେସନ ପାଇଁ ଦେଇଥିବା ପ୍ରତିଶ୍ରୁତି କଥା ମନେ ପକାଇ ଦେଇଥିଲେ। କହିଥିଲେ, ଆପଣ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ଏବେ ଆପଣ ମୋତେ ଦେଇଥିବା କଥା ରଖନ୍ତୁ। ମୋ ଆଖି ଅପରେସନ ନହେଲା ନାହିଁ, କିନ୍ତୁ ଦୁର୍ଦ୍ଦିନରେ ଦିନ କାଟୁଥିବା ୧୫ ହଜାର ହୋମଗାର୍ଡଙ୍କୁ ଦୁଃଖ ବୁଝନ୍ତୁ। ସେଦିନ ପ୍ରମୋଦିନୀଙ୍କ କଥା ଶୁଣି ବିଜୁ ବାବୁ ଆଶ୍ଚର୍ଯ୍ୟ ହୋଇଥିଲେ। ସଙ୍ଗେସଙ୍ଗେ ତତ୍କାଳୀନ ପୁଲିସ ଅଧିକାରୀଙ୍କୁ ଡାକି ଆଲୋଚନା ପରେ ଦୈନିକ ମଜୁରି ବଢ଼ିଥିଲା। ପ୍ରମୋଦିନୀ ସିନିୟର ସେକ୍ସନ ଲିଡର ଭାବେ ଦାୟିତ୍ବ ନିର୍ବାହ କରିବା ସହ ପୁରୀ ଜିଲ୍ଲା ଗୃହରକ୍ଷୀ ସଂଘର ସମ୍ପାଦକ ଭାବେ ଗୃହରକ୍ଷୀମାନଙ୍କର ଯେତିକି ବିଶ୍ବାସ ଭାଜନ ଥିଲେ ଜଣେ ଦକ୍ଷ ନେତୃତ୍ବ ହିସାବରେ ବିଜୁ ବାବୁଙ୍କର ସେତିକି ପ୍ରିୟ ଥିଲେ।

ଦିନେ ଚନ୍ଦନପୁରରେ ଜଣେ ହୋମଗାର୍ଡଙ୍କ ହତ୍ୟା ପରେ ପ୍ରମୋଦିନୀ ସିଧା ଯାଇ ପହଞ୍ଚିଥିଲେ ବିଜୁ ବାବୁଙ୍କ ବାସଭବନରେ। ଅଭିଯୋଗ ଶୁଣିବା ମାତ୍ରେ ବିଜୁ ବାବୁ ନଳିନୀ ମହାନ୍ତି, ପ୍ରଦୀପ ମହାରଥୀ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପଠାଇ ଆର୍ଥିକ ସହାୟତା ସହ ମୃତ ହୋମଗାର୍ଡଙ୍କ ଭାଇ ଓ ପତ୍ନୀଙ୍କୁ ହୋମଗାର୍ଡରେ ଚାକିରି କରାଇ ଦେଇଥିଲେ। ପ୍ରମୋଦିନୀ ଅନେକଥର ମଞ୍ଚ ଉପରେ ବିଜୁ ବାବୁଙ୍କ ସହ ବସି ଭାଷଣ ଦେବାର ସୁଯୋଗ ପାଇଛନ୍ତି। କିନ୍ତୁ ପ୍ରମୋଦିନୀ କେବେ ବି ନିଜ ପାଇଁ କିଛି ମାଗି ପାରିନାହାନ୍ତି। ଆଜି ପର୍ଯ୍ୟନ୍ତ ନିଜେ ଭଲ ଘର ଖଣ୍ଡିଏ ବି କରିପାରିନାହାନ୍ତି। ଯେଉଁଦିନ ବିଜୁ ବାବୁଙ୍କର ଦେହାନ୍ତ ହେଲା, ସେଦିନ ଯେମିତି ନିଜ ବାପାଙ୍କୁ ହରାଇବାର ଦୁଃଖରେ ସେ ମ୍ରିୟମାଣ ହୋଇ ପଡ଼ିଥିଲେ। ସବୁ କର୍ଡନ ଭାଙ୍ଗି ସ୍ବର୍ଗଦ୍ବାରରେ ବିଜୁ ବାବୁଙ୍କ ଜଳନ୍ତା ଜୁଇରେ ତୁଳସୀ କାଠ ଦେଇଥିଲେ। ଜନ୍ମ ଦିବସର ଅବ୍ୟବହିତ ପୂର୍ବରୁ ଆ‌ମେ ଭେଟିଥିଲୁ ପ୍ରମୋଦିନୀଙ୍କୁ। ବିଜୁ ବାବୁଙ୍କ କଥା କହିବା ବେଳେ ଆଜି ବି ଛଳଛଳ ହୋଇ ପଡ଼ିଥିଲେ ପ୍ରମୋଦିନୀ।

ସମ୍ବନ୍ଧିତ ଖବର