ପାଟଣାଗଡ଼: ପୁଣି ଚର୍ଚ୍ଚାରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ପର୍ଶୁରାମ ଛକ। ଏଠାରେ ଢଙ୍କା ହୋଇଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଜଣେ ମାନସିକ ନ୍ୟୂନ ଯୁବକ ନିଆଁ ଲଗାଇ ଦେଇଛି। ଏହି ମାମଲାରେ ପାଟଣାଗଡ଼ ପୁଲିସ୍ ସଂପୃକ୍ତ ଯୁବକ ହୀରୁ ସାହୁକୁ ଗିରଫ କରିଛି। ମଙ୍ଗଳବାର ସେ ପ୍ରତିମୂର୍ତ୍ତି ଉପରେ ଥିବା ପଲିଥିନ୍ରେ ନିଆଁ ଲଗାଇ ଦେଇଥିଲା। ପାଟଣାଗଡ଼ ପୁଲିସ ପହଞ୍ଚି ନିଆଁ ଆୟତ୍ତ କରିଥିବା ସହ ହୀରୁକୁ ଗିରଫ କରିଛି। ତେବେ ଘଟଣାକୁ ନେଇ ରାଜନୀତି ତୀବ୍ର ହୋଇଛି। ନିଆଁ ଲଗାଇବା ପଛରେ ଷଡ଼୍ଯନ୍ତ୍ର ଥିବା ବିଜେଡି ଅଭିଯୋଗ କରିଛି। ପାଟଣାଗଡ଼ ଥାନାରେ ପୂର୍ବତନ ବିଧାୟକ ସରୋଜ ମେହେର ଅଭିଯୋଗ କରିଛନ୍ତି।
କିଛି ବର୍ଷ ହେଲା ପାଟଣାଗଡ଼ ବ୍ରହ୍ମପୁରା ଛକକୁ ପର୍ଶୁରାମ ଛକ ନାମରେ ନାମିତ ପାଇଁ ବ୍ରାହ୍ମଣ ସମାଜ ପକ୍ଷରୁ ଦାବି କରାଯାଇଥିଲା। ଭଗବାନ ପର୍ଶୁରାମଙ୍କ ଏକ ଛବି ରଖି ସେଠାରେ ପୂଜା କରାଯାଉଥିଲା। ପ୍ରତିବର୍ଷ ପର୍ଶୁରାମ ଜୟନ୍ତୀରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ମଧ୍ୟ କରାଯାଉଥିଲା। ହେଲେ ୨୦୨୩ ଜୁଲାଇରେ ଭଗବାନ ପର୍ଶୁରାମଙ୍କ ଫଟୋକୁ କିଛି ଦୁର୍ବୃତ୍ତ ନିକଟରେ ଥିବା ଟ୍ରାନ୍ସଫର୍ମର ପାଖରେ ରଖି ଦେଇଥିଲେ। ପରେ ସେଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ମୂର୍ତ୍ତି ସ୍ଥାପନ ବିଧିବଦ୍ଧ ପ୍ରକ୍ରିୟାରେ ହୋଇ ନଥିବା ତତ୍କାଳୀନ ଏନ୍ଏସି ଇଓ କହିଥିଲେ। ଏହାକୁ ନେଇ ବିବାଦ ଆହୁରି ତୀବ୍ର ହୋଇଥିଲା। ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି। ପରେ ଏହାକୁ ଏକ କଳା ପଲିଥିନରେ ଘୋଡ଼ାଇ ଦିଆଯାଇଥିଲା। ମଙ୍ଗଳବାର ଏଥିରେ ନିଆଁ ଲାଗିଥିଲା। ନିଆଁ ଲିଭାଯିବା ପରେ ପୁଣି ଏକ କଳା ପଲିଥିନ ପୁଲିସ ଉପସ୍ଥିତିରେ ଢାଙ୍କି ଦିଆଯାଇଛି।