କେହି ଦୂରରେ ନାହାନ୍ତି

ଭୁବନେଶ୍ୱର : ‘ଦି ଟଲ୍‌ ମ୍ୟାନ୍‌, ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନକୁ ଦଳୀୟ ରାଜନୀତି ଠାରୁ ଦୂରେଇ ରଖିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଯଥେଷ୍ଟ ଉଦ୍ୟମ କରିଛନ୍ତି ବୋଲି ବିଜେଡି ଦାବି କରିଛି। କିନ୍ତୁ କେଉଁଠି ନା କେଉଁଠି ଏହି ପୁସ୍ତକ ଉନ୍ମୋଚନ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ଭିନ୍ନ ଏକ ଚର୍ଚ୍ଚା ଆରମ୍ଭ କରିଦେଲାଣି। ସଭାରେ ଉପସ୍ଥିତ ନେତା ହିଁ ଏଭଳି ଚର୍ଚ୍ଚାର କାରଣ ବୋଲି କୁହାଯାଉଛି।

ପ୍ରାକ୍‌ ନିର୍ବାଚନ ଦୃଶ୍ୟପଟ୍ଟରେ ଆଜିର ଏହି କାର୍ଯ୍ୟକ୍ରମକୁ ଦେଖିଲେ, ଏଭଳି ଆଲୋଚନାକୁ ଅବିଶ୍ୱାସ କରିହେଉ ନାହିଁ ଯେ ବିଜେଡିକୁ ଛାଡି ପରବର୍ତୀ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିର ଚିତ୍ର ଅଙ୍କା ଯାଇପାରେ। କାରଣ ସଂସଦ ବାହାରେ ଏଭଳି କ୍ୱଚିତ୍‌ ମଞ୍ଚ ଥିବ, ଯେଉଁଠି ଏକ ଆଞ୍ଚଳିକ ଦଳର ନେତାଙ୍କ ଡାକରାରେ ଉଭୟ ବାମ ଓ ଦକ୍ଷିଣ ପନ୍ଥୀ ନେତା ଏକାଠି ବସୁଥିବେ।

ଦ୍ୱିତୀୟତଃ, ଶତବାର୍ଷିକୀରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ସତ୍ତ୍ୱେ ରାଜ୍ୟର ବିଜୁ ସହଯୋଗୀ ଓ ନିକଟତମଙ୍କୁ ଏକାଠି କରିବାରେ ବିଫଳ ହୋଇଥିବା ବିଜେଡି ଏହି ସଭା ଆଳରେ ଏଭଳି ଅଭିଯୋଗରେ ପୂର୍ଣ୍ଣଛେଦ ଟାଣିବା ଲାଗି ଯଥେଷ୍ଟ ସତର୍କ ପଦକ୍ଷେପ ନେଇଛି। ଏପରିକି ନବୀନ ନିଜର କଟ୍ଟର ବିରୋଧୀଙ୍କୁ ନିମନ୍ତ୍ରଣ କରିବାକୁ ମଧ୍ୟ ଭୁଲିନାହାନ୍ତି। ଦି’ ପାଦ ଆଗକୁ ଯାଇ ବିଚାର କଲେ, ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମସ୍ତ ବିରୋଧୀ ଶକ୍ତି ତାଙ୍କଠାରୁ ଦୂରରେ ନାହାନ୍ତି, ଏକଥା ଆଜିର କାର୍ଯ୍ୟକ୍ରମରୁ ବାର୍ତା ଯାଉଛି।

ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ନିର୍ବାଚନରେ ବିଜେପିର ବୃଦ୍ଧିକୁ ରୋକିବା ଲାଗି ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ନବୀନଙ୍କ କସରତ ଉପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ନଜର ରଖିଛନ୍ତି। ମୋଦିଙ୍କ ବିରୋଧୀ ଶିବିରରେ ନବୀନଙ୍କ ପ୍ରବେଶ କେତେଦୂର ରହିଛି, ଏକଥା ଗୋଟିଏ ସପ୍ତାହର ଦୁଇଟି କାର୍ଯ୍ୟକ୍ରମ ସଙ୍କେତ ଦେଉଛି। ପୁନେରେ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ଗୋଟାଇବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ ଖୋଲାଖୋଲି ନବୀନଙ୍କର ପ୍ରଶଂସା କରିଥିଲେ। ରାଜ୍ୟ ବିଜେପି ନେତାଙ୍କ ଅନାଗ୍ରହ ସତ୍ତ୍ୱେ ଲାଲକୃଷ୍ଣ ଆଡ଼ଭାନୀ ଅତ୍ୟନ୍ତ ଚତୁରତାର ସହିତ ଆଜିର କାର୍ଯ୍ୟକ୍ରମକୁ ଅନନ୍ୟ ଓ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିବାକୁ ପଛାଇନାହାନ୍ତି ଓ ପରୋକ୍ଷରେ ନବୀନଙ୍କ ଉଚ୍ଚତା ବଢାଇଛନ୍ତି। ସମାନ୍ତରାଳ ଭାବେ ନବୀନଙ୍କ ଧର୍ମନିରପେକ୍ଷ କାର୍ଡକୁ ଅଧିକ ଦୃଢ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡା ଓ ବାମ ଦଳର ବରିଷ୍ଠ ନେତା ସୀତାରାମ ୟେଚୁରୀ।

ରାଜ୍ୟ ରାଜନୀତିରେ ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚମକାଇବାକୁ ମଧ୍ୟ ନବୀନ ସୁଯୋଗ ହାତଛଡ଼ା କରିନାହାନ୍ତି। ଦୀର୍ଘ ୧୮ ବର୍ଷ ପରେ ଗୋଟିଏ ସଭାରେ ସାମ୍ନା ସାମ୍ନି ବସିଥିଲେ ନବୀନ ଓ ଓଡ଼ିଶା ରାଜନୀତିରେ ତାଙ୍କର କଟ୍ଟର ବିରୋଧୀ ଭାବେ ଜଣାଶୁଣା ବିଜୁ ସହଯୋଗୀ ତଥା ବିଜେପି ନେତା ବିଜୟ ମହାପାତ୍ର। ପ୍ରଥମ ଥର ପାଇଁ ନବୀନଙ୍କ କୌଣସି ସଭା ଲାଗି ତାଙ୍କୁ ନିମନ୍ତ୍ରଣ ମିଳିଥିଲା ଓ ବିଜୟ ଏହାକୁ ଗ୍ରହଣ କରି ଉପସ୍ଥିତ ବି ହୋଇଥିଲେ। ଆଜିର ସଭା ଉଭୟଙ୍କ ମଧ୍ୟରେ ଦୂରତା କିଛି ମାତ୍ରାରେ କମାଇ ଥାଇପାରେ।

କେବଳ ସେତିକି ପୂର୍ବତନ ମନ୍ତ୍ରୀ ତଥା ବିଜେଡିରୁ ଦୂରେଇଯାଇଥିବା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପଞ୍ଚାନନ କାନୁନ୍‌ଗୋ, ରଘୁନାଥ ମହାନ୍ତିଙ୍କ ଭଳି ନେତାମାନଙ୍କ ଉପସ୍ଥିତିକୁ ନେଇ ଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଏକଦା ନବୀନ ଗଣମାଧ୍ୟମରେ କହିଥିଲେ, ପୁରୁଣା ବିଜେଡି ନେତାଙ୍କୁ ଘରବାହୁଡା ନେଇ ବିଚାର ଚାଲିଛି। ଆଜିର ଏହି ସଭା ଏ ଦିଗରେ ପ୍ରଥମ ଉପକ୍ରମ ନୁହେଁ ତ?

ଅବଶ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗ, ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ବରିଷ୍ଠ ବାମନେତା ଶିବାଜୀ ପଟ୍ଟନାୟକ, ସୌରୀବନ୍ଧୁ କରଙ୍କ ଠାରୁ ଆରମ୍ଭ କରି ଅରୁଣ ଦେଙ୍କ ପର୍ଯ୍ୟନ୍ତ ଆହୁରି ଅନେକ ନେତା ମଞ୍ଚତଳେ ଥିଲେ। ଯଦିଓ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ସାଂସଦ ବୈଜୟନ୍ତ ପଣ୍ଡା ଅନୁପସ୍ଥିତ ଥିଲେ, କିନ୍ତୁ ସଭାର ଆଗ ଦୁଇ ଧାଡିରେ ତାଙ୍କ ପତ୍ନୀ ଜଗିମଙ୍ଗତ ପଣ୍ଡା ଓ ସାନ ଭାଇ ଶୁଭ୍ରକାନ୍ତ ପଣ୍ଡାଙ୍କ ଉପସ୍ଥିତି କାହା ନଜରରୁ ହଟିନଥିଲା। ମଞ୍ଚ ତଳେ ଏଭଳି ଅତିଥିଙ୍କ ଉପସ୍ଥିତି ବିଜେଡିର ଶକ୍ତି ବଢାଇବାରେ ଅନେକ ସାହାଯ୍ୟ କରିଛି, ନବୀନଙ୍କ କାର୍ଯ୍ୟକ୍ରମକୁ ସଫଳ ବି କରିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆଜିର ଏହି କାର୍ଯ୍ୟକ୍ରମକୁ ଟିକିଏ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। କାରଣ ଗତ ୯ମାସ ମଧ୍ୟରେ ନବୀନ ଏଭଳି ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଲେଣି, ଯାହା ବିଜେପିକୁ ଡ଼ରାଇବା ପାଇଁ ଉଦ୍ଦିଷ୍ଟ ଭଳି ମନେ ହେଉଛି। ବିରୋଧୀ ଦଳରେ ପ୍ରଭାବ ରଖୁଥିବା ନେତାଙ୍କ ସହିତ ବିଜେଡିକୁ ଯୋଡିବା ଓ ବିଜେପିକୁ ସହଯୋଗ କରୁଥିବା ସଂଗଠନକୁ ଦୁର୍ବଳ କରିବା, ଏହାର ଅଂଶବିଶେଷ ହୋଇପାରେ। ଏଥିପାଇଁ କିଛି ଦିନ ତଳେ ବନ୍ଦେ ମାତରମ୍‌ ଭଳି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ଶିଶୁ ମନ୍ଦିରର ସମାନ୍ତରାଳ ଅନୁଷ୍ଠାନ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାକୁ ଗୁରୁତ୍ୱ ଦେଇଛନ୍ତି। ଭୁବନେଶ୍ୱର ବରମୁଣ୍ଡା ପ଼ଡିଆରେ ୫୦ ହଜାର ଛାତ୍ରଙ୍କୁ ଉଦ୍‌ବୋଧନ ଦେବାକୁ ଯିବା ଓ ଏସବୁ ବିଦ୍ୟାଳୟକୁ ମାଗଣା ପୁସ୍ତକ ଦିଆଯିବା ନେଇ କରିଥିବା ଘୋଷଣାକୁ ମଧ୍ୟ ହାଲ୍‌କା ଭାବେ ନେଇ ହେବ ନାହିଁ।

ସମ୍ବନ୍ଧିତ ଖବର