ବିଜୁ ସେତୁ ଭୁଶୁଡ଼ିବା ଘଟଣା: ଅଧୀକ୍ଷଣ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ପୂର୍ବରୁ ବଳି ପଡ଼ିଥିଲେ କନିଷ୍ଠ ଯନ୍ତ୍ରୀ; ଠିକାଦାରଙ୍କୁ ସୁରକ୍ଷା କାହିଁକି?

କେନ୍ଦ୍ରାପଡ଼ା : ମାର୍ଶାଘାଇ ମନ୍ତେଇ-ବାଲିଘାଇ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ବଡ଼ଧରଣର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇଛି। ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଦାୟିତ୍ବରେ ଚରମ ଅବହେଳା ପାଇଁ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ-୧ର ଅଧୀକ୍ଷଣ ଯନ୍ତ୍ରୀ ଅଜିତ୍‌ କୁମାର ସାହୁ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ମାହୁନ୍ତଙ୍କୁ ଚାକିରିରୁ ନିଲମ୍ବିତ କରିଛି ବିଭାଗ। ପୂର୍ବରୁ ଏହି ଘଟଣାରେ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିଲା। ଏହି ଘଟଣାରେ ଏଯାଏ ଦାୟିତ୍ବରେ ଥିବା ତିନି ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଇସାରିଲାଣି। ହେଲେ ନିର୍ମାଣ ଦାୟିତ୍ବ ହାତକୁ ନେଇଥିବା ଠିକାଦାରଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗତ ୧୧ତାରିଖରେ ଏହି ବିଜୁ ସେତୁ ଭୁଶୁଡ଼ି ପଡ଼ିଥିଲା। ପାଖାପାଖି ସାଢେ଼ ୩କୋଟି ବ୍ୟୟରେ ନିର୍ମାଣ ଚାଲିଥିବା ଏହି ପୋଲର ତ୍ରୁଟିପୂର୍ଣ୍ଣ ଫଲ୍‌ସ କାମ(ସେଣ୍ଟରି˚, ସଟରି˚ ଓ ଷ୍ଟେଜି˚) ଯୋଗୁଁ ସ୍ଲାବ୍‌ ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟବଶତଃ କାହାର କିଛି କ୍ଷୟକ୍ଷତି ହୋଇନଥିଲେ ବି ବିଭାଗୀୟ ଯନ୍ତ୍ରୀଙ୍କ ଚରମ ଅବହେଳା ପଦାରେ ପଡ଼ିଥିଲା।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ନିର୍ଦେଶକ୍ରମେ ବିଭାଗୀୟ ଇ˚ଜିନିୟର‌୍‌ ଇନ୍‌ ଚିଫ୍‌(ଇଆଇସି) ପ୍ରଦୀପ ସାମଲ ଏବ˚ ମୁଖ୍ୟଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ଗତ ୧୫ ତାରିଖରେ ପ୍ରଥମେ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ତୁଷାରକାନ୍ତୀ ନାୟକଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହିତ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସଚିବ ଶ୍ରୀ ଜେନା ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସାହୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଚାକିରିରୁ ନିଲମ୍ବିତ(ଚିଠି ନ˚-୫୨୦୨୨/୨୮-୧-୨୨) କରିଛନ୍ତି। ସେହିପରି ସହକାରୀ ନିର୍ବାହୀ ଯନ୍ତ୍ରୀ(ମହାକାଳପଡ଼ା) ଶ୍ରୀ ମାହୁନ୍ତଙ୍କୁ ଇଆଇସି ନିଲମ୍ବିତ(ଚିଠି ନ˚-୫୨୦୨୦/୨୮-୧-୨୨) କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଦାୟିତ୍ବରେ ଥିବା ଉପରୋକ୍ତ ତିନି ଯନ୍ତ୍ରୀଙ୍କୁ ଦାୟିତ୍ବରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିବା ବେଳେ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସାଧାରଣ ଲୋକଙ୍କୁ ଆଚମ୍ବିତ କରିଛି।

ସମ୍ବନ୍ଧିତ ଖବର