ଇଂଜିନିୟରମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ: ସୌମ୍ୟରଞ୍ଜନ

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଇଂଜିନିୟର ଦିବସ

କଟକ : ବିଜ୍ଞାନ ଅସଜଡ଼ା ଅଙ୍କକୁ ସଜାଡ଼ିବାରେ ସାହାଯ୍ୟ କରେ। ଗଛରୁ ଆତ ପଡିବା, ବେଲୁନ୍‌ ଉପରକୁ ଯିବା ଆଦି ଅନେକ ଅସମାହିତ ପ୍ରଶ୍ନର ଉତ୍ତର କେବଳ ବିଜ୍ଞାନ ଦେଇ ପାରିଥାଏ। ଏହି ଦୃଷ୍ଟିରୁ ଇଂଜିନୟରିଂ ପାଠ ପଢୁଥିବା ଛାତ୍ରଛାତ୍ରୀ ବେଶ ଭାଗ୍ୟବାନ। ଦେଶ ନିର୍ମାଣର ଦାୟିତ୍ୱ ଇଂଜିନିୟରଙ୍କ ହାତରେ। କିନ୍ତୁ ଆଜି ୬୦ରୁ ଅଧିକ ପ୍ରତିଶତ ଇଂଜିନିୟର ବେକାର। କିନ୍ତୁ ସେମାନେ କାହାର ସାହାଯ୍ୟ ଓ ଅନୁକମ୍ପା ଉପରେ ନିର୍ଭର ନକରି ଆତ୍ମ ନିର୍ଭରଶୀଳ ହେବା ଉଚିତ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। କଟକର ଗାନ୍ଧୀ ଭବନରେ ଛାତ୍ର ବିଜେଡି ପକ୍ଷରୁ ଆୟୋଜିତ ଇଂଜିନିୟରସ୍‌ ଡେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ପ୍ରବୃତ୍ତିକୁ ବୃତ୍ତି ସହିତ ନଯୋଡି ଯୁବକମାନେ କର୍ମ କ୍ଷେତ୍ରରେ ଅଗ୍ରସର ହେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୋସ୍‌ ଇଂଜିନିୟରିଂ ସ୍କୁଲର ପୂର୍ବତନ ପ୍ରାଧ୍ୟାପିକା ଡକ୍ଟର ପ୍ରତିଭା ମିତ୍ର ଇଂଜିନିୟର ସ୍ୱର୍ଗତ ବିଶେଶ୍ୱରାୟଙ୍କ ଦେଶ ନିର୍ମାଣର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଇଣ୍ଟରଭିୟୁ ଟାଇମସ୍‌ର ସଂପାଦକ ଦିବ୍ୟଜିତ ସାହୁ, ସ୍ୱପ୍ନଜିତ ଲେଙ୍କା କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦେବୀ ରଂଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶୋଭନ ମହାନ୍ତି ଓ ବିକାଶ ପରିଜା ପରିଚାଳନା କରିଥିଲେ। ଛାତ୍ର ବିଜେଡି ରାଜ୍ୟ ସଂପାଦକ ସନ୍ତୋଷ ମହାପାତ୍ର ସ୍ୱାଗତ ଭାଷଣ ଓ ବିଜୟ ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆଭା ପ୍ରକାଶ କର, ରାଜକୁମାର ଦାସ, ଆଶୁତୋଷ ନାୟକ, ପାର୍ଥ ସାରଥୀ ରାଉତ, ପ୍ରିୟଙ୍କା ବେଉରା, ବିଶ୍ୱଜିତ ନାୟକ, ଚିନ୍ମୟ ବେହେରା, ସବ୍ୟସାଚ୍ଚି ରାଉତ, ପ୍ରଭୁ ଅରଜିତ୍‌, ଅଭିଷେକ ରାୟ, ଆଲୋକ ପ୍ରଧାନଙ୍କ ସହ ୧୫ଜଣ କୃତି ପ୍ରତିଭାଙ୍କୁୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର