ସମ୍ବଲପୁର: ମତଦାନ ପାଇଁ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ତାତି ସେତିକି ବଢ଼ିବାରେ ଲାଗିଛି। ସମ୍ବଲପୁର ଲୋକସଭା ଆସନର ଦୁଇ ହେଭିୱେଟ୍‌ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବିବ) ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରି ପରସ୍ପର ପ୍ରତି ଆରୋପ ଓ ପ୍ରତ୍ୟାରୋପ କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମ‌ରେ ଧର୍ମେନ୍ଦ୍ର ଗତକାଲି ସମ୍ବଲପୁର ମହାନଗର ଆଖପାଖ ଅଂଚଳରେ ପାନୀୟ ଜଳ ସଂକଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ମୋଦୀ ସରକାର ପାନୀୟ ଜଳର ବ୍ୟବସ୍ଥା ପାଇଁ ୧୦ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଓଡ଼ିଶାକୁ ପଠାଇଥିଲେ ମଧ୍ୟ ଠେମରାରେ ପାଣି ନ ମିଳିବା ବିଡ଼ମ୍ବନାର ବିଷୟ ବୋଲି କହିଥିଲେ। ଆଜି ପ୍ରଣବ ସାମାଜିକ ଗଣମାଧ୍ୟମ ଜରିଅ‌ାରେ ଏହାର ପାଲଟା ଜବାବ ଦେଇଛନ୍ତି। ଚକାଚକ୍ ଦେଖାଯାଉଥିବା ବିଜୁ ଏକ୍ସ‌ପ୍ରେସ୍ ୱେ ଏବଂ ଖାଲଖମାରେ ଭର୍ତ୍ତି ୫୫ ନମ୍ବର ଜାତୀୟ ରାଜପଥର ଫଟୋ ସଂଲଗ୍ନ କରି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କରିଛନ୍ତି।

Advertisment

ସାମାଜିକ ଗଣମାଧ୍ୟମରେ ଦୁଇ ରାସ୍ତାର ଫଟୋ
ପ୍ରଣବ କହିଲେ, ବିଜୁ ଏକ୍ସପ୍ରେସ୍‌ ଚକାଚକ୍‌
୫୫ ନମ୍ବର ଜାତୀୟ ରାଜପଥର କାମ୧୦ ବର୍ଷ ହେଲା ସରୁନି
ପାଣି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ଧର୍ମେନ୍ଦ୍ର

ଧର୍ମେନ୍ଦ୍ରଙ୍କୁ ଭାଇ ସମ୍ବୋଧନକରି ପ୍ରଣବ ଲେଖିଛନ୍ତି, ପ୍ରଥମ ଫଟୋ ହେଉଛି ବିଜୁ ‌ଏକ୍ସପ୍ରେସ୍‌ ୱେ। ରାଜ୍ୟ ସରକାରଙ୍କ ଦ୍ବାରା ନିର୍ମିତ, ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା। ଦ୍ବିତୀୟ ଫଟୋ ହେଉଛି ୫୫ ନମ୍ବର ଜାତୀୟ ରାଜପଥ, ଯାହାର ୧୦ ବର୍ଷ ହେଲା କାମ ସରୁନି। ‘ଧର୍ମେନ୍ଦ୍ର ଭାଇ, ୫୫ ନମ୍ବର ଜାତୀୟ ରାଜପଥରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଅଂଚଳବାସୀ, ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁରବାସୀଙ୍କ ମନରେ ଥିବା କ୍ଷୋଭକୁ ମୁଁ ଅନୁଭବ କରିପାରୁଛି।’ ଏପରିସ୍ଥଳେ ଆଗକୁ ଧର୍ମେନ୍ଦ୍ର ପୁଣି କେଉଁ ପ୍ରସଙ୍ଗ ଉଠାଉଛନ୍ତି, ତାହା ଏବେ ଦେଖିବାକୁ ବାକି ରହିଲା।