କଳାହାଣ୍ଡି ଓ ନୂଆପଡ଼ାରେ ଶିଳ୍ପ ବିକାଶକୁ ଗୁରୁତ୍ବ
କ୍ୟାବିନେଟ୍ରେ ୧୧ଟି ପ୍ରସ୍ତାବକୁ ମୋହର
ଇସ୍ପାତ ଓ ଖଣି ବିଭାଗକୁ ଗଲା ଇଡ୍କଲ୍
ଛୋଟ କୋଠାର ଅନୁମୋଦନ ପ୍ରକ୍ରିୟା କୋହଳ ହେବ
ଭୁବନେଶ୍ବର : କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ଶିଳ୍ପାୟନ କ୍ଷେତ୍ରରେ ଆଗେଇ ନେବା ପାଇଁ ସରକାର ଯୋଜନା କରିଛନ୍ତି। ଉଭୟ ଜିଲ୍ଲାକୁ ସଂଯୋଗ କରୁଥିବା ୨ ଲେନ୍ ବିଶିଷ୍ଟ ନିର୍ମାଣାଧୀନ ୧୭୪.୫ କିଲୋମିଟର ଦୀର୍ଘ ବିଜୁ ଏକ୍ସପ୍ରେସ୍ ୱେକୁ ୪ ଲେନ୍ ବିଶିଷ୍ଟ କରାଯିବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ପୂର୍ତ୍ତ ବିଭାଗର ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସେହିପରି ଇଡ୍କଲ୍କୁ ଶିଳ୍ପ ବିଭାଗରୁ କାଢ଼ି ଇସ୍ପାତ ଓ ଖଣି ବିଭାଗକୁ ଅଣାଯାଇଛି। ଓଏଏସ୍ କ୍ୟାଡର ପୁନର୍ବିନ୍ୟାସ, ସହରାଞ୍ଚଳ ଯୋଜନା ଅଧିନିୟମରେ ସଂଶୋଧନ ସମେତ ମୋଟ ୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି।
କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ପଶ୍ଚିମ ଓଡ଼ିଶାରେ ଶିଳ୍ପ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ସରକାର ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ବିଜୁ ଏକ୍ସପ୍ରେସ୍ ୱେ ଯୋଗେ ପଶ୍ଚିମ ଓଡ଼ିଶାକୁ ଦକ୍ଷିଣ ଓଡ଼ିଶା ସହିତ ସଂଯୋଗ କରୁଥିବା ରାସ୍ତାକୁ ସଂପ୍ରସାରଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ପଶ୍ଚିମ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ହେବା ସହ ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ। ୪୪୮ କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ ନୂଆପଡ଼ା ଜିଲ୍ଲାର ଘାଟିପଡ଼ାରୁ ସିନାପାଲି ପର୍ଯ୍ୟନ୍ତ ୧୦୪.୬୫ କିଲୋମିଟର ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରାଯିବ। ଯେଉଁଥିରେ ୬ଟି ବୃହତ ଓ ୬ଟି ଛୋଟ ପୋଲ ନିର୍ମାଣ ହେବ। ସେହିପରି କଳାହାଣ୍ଡିର ସିନାପାଲିରୁ ଧର୍ମଗଡ଼ ଦେଇ ଆମ୍ବପାଣି ପର୍ଯ୍ୟନ୍ତ ୬୯.୮୫ କିଲୋମିଟର ରାସ୍ତା ପାଇଁ ୧୧ଟି କ୍ଷୁଦ୍ର ଓ ୨ଟି ବୃହତ ପୋଲ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଏକ୍ସପ୍ରେସ ଓ୍ବେ ପାଇଁ ଏପିକ୍ ଚୁକ୍ତିନାମାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
କ୍ୟାବିନେଟ୍ର ଅନ୍ୟ ନିଷ୍ପତ୍ତି ମୁତାବକ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଅଧୀନରେ ଥିବା ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ଲିମିଟେଡ୍ (ଇଡ୍କଲ୍)କୁ ଇସ୍ପାତ ଓ ଖଣି ବିଭାଗ ଅଧୀନକୁ ଅଣାଯାଇଛି। ଇଡ୍କଲର ମୁଖ୍ୟ କାର୍ଯ୍ୟ ଖଣିଜ ଭିତ୍ତିକ ଓ ଅଳ୍ପ କିଛି କାର୍ଯ୍ୟ ଶିଳ୍ପଭିତ୍ତିକ। ସେଥିପାଇଁ ସରକାର ଏହି ସଂସ୍ଥାକୁ ଇସ୍ପାତ ଓ ଖଣି ବିଭାଗକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି କଟକ ସହରରେ ଜାଇକା ଦ୍ବାରା ନିର୍ମାଣାଧୀନ ୧ ନମ୍ବର ଡ୍ରେନ୍ ଉପରେ ପଟ୍ଟାପୋଲଠାରୁ ମାତୃଭବନ ଓ ବଜ୍ରକବାଟି ଠାରୁ ମାତୃଭବନ ପର୍ଯ୍ୟନ୍ତ ବକ୍ସ କଲ୍ଭର୍ଟ କରିବା ପାଇଁ ଆହ୍ବାନ ହୋଇଥିବା ୪୫୦ କୋଟି ୪୪ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ନିର୍ମାଣ କାମ ଚଳିତ ବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଟାଉନ୍ ପ୍ଲାନିଂ ଆଣ୍ଡ୍ ଇମ୍ପ୍ରୁଭ୍ମେଣ୍ଟ୍ ଟ୍ରଷ୍ଟ ଆକ୍ଟର ଅଧିନିୟମରେ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ସମସାମୟିକ ଆବଶ୍ୟକତାକୁ ଭିତ୍ତି କରି ୬୫ ବର୍ଷ ତଳର ଅଧିନିୟମରେ କେତୋଟି ସଂଶୋଧନ କରାଯାଇଛି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଜନସାଧାରଣଙ୍କ ସୁବିଧା ନିମନ୍ତେ ଟିଡିଆର୍ ଓ ସିଏଫ୍ ଭଳି ଆଧୁନିକ ବିଷୟଗୁଡ଼ିକର ପ୍ରଚଳନ ସହ ଛୋଟ ଛୋଟ କୋଠାବାଡ଼ିଗୁଡ଼ିକର ଅନୁମୋଦନ ପ୍ରକ୍ରିୟା କୋହଳ କରାଯିବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଅତ୍ୟାଧୁନିକ ଅନ୍ଲାଇନ୍ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥାର ପ୍ରଚଳନ କରାଯିବ। ୭୪ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମକୁ ଭିତ୍ତି କରି ସମସ୍ତ ପୌର ସଂସ୍ଥାକୁ ଟାଉନ୍ ପ୍ଲାନିଂ କାର୍ଯ୍ୟର ହସ୍ତାନ୍ତର କରାଯିବ। ଅନଧିକୃତ ନିର୍ମାଣଜନିତ ନିୟମ ଉଲ୍ଲଂଘନ ପାଇଁ ଆବଶ୍ୟକ ଦଣ୍ଡବ୍ୟବସ୍ଥା ପ୍ରଣୟନ କରି ଉନ୍ନତ କାର୍ଯ୍ୟକାରିତା ପ୍ରଣାଳୀ ସୁନିଶ୍ଚିତ କରାଯିବ।
ସେହିପରି ଓଡ଼ିଶା ଟିକସ ଓ ହିସାବ ସେବା ନିୟମାବଳୀ, ୨୦୧୧ରେ ସଂକ୍ଷିପ୍ତ ସଂଶୋଧନ କରାଯାଇଛି। ଏଣିକି ଏହି ସେବାରେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ପାଇଁ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ପ୍ରତିଷ୍ଠାନରେ ପାଇବାକୁ ଥିବା ପ୍ରଶିକ୍ଷଣ ଅବଧିକୁ ୧୨ ମାସରୁ କମାଇ ୧୦ ମାସ କରାଯାଇଛି। ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା, ଗ୍ରୁପ୍-ଗ ନିଯୁକ୍ତି ସର୍ତ୍ତାବଳୀ ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ କରାଯିବା ସହ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ ୧୯୫୯ରେ ସଂଶୋଧନ କରାଯାଇଛି। ଫଳରେ ଏଣିକି ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜ ନାମରେ ଥିବା ସ୍ଥାବର, ଅସ୍ଥାବର ସମ୍ପତ୍ତି ଓ ଏହାର ମୂଲ୍ୟ ବିଷୟରେ ବାର୍ଷିକ ଘୋଷଣା କରିବେ। ଯାହାକି ସାଧାରଣ ଲୋକଙ୍କ ସୂଚନା ପାଇଁ ସରକାରୀ ଓ୍ବେବ୍ସାଇଟ୍ରେ ଉପଲବ୍ଧ କରାଯିବ।