ସବୁ ଗାଁରେ ଗଡ଼ିବ ‘ବିଜୁ ଗାଁ ଗାଡ଼ି’

ଭୁବନେଶ୍ୱର : ଏବେ ରାଜ୍ୟର କିଛି ଜିଲ୍ଲାରେ ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ ହୋଇଥିବାବେଳେ ଖୁବ୍‌ ଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାର ସବୁ ଗାଁରେ ବିଜୁ ଗାଁ ଗାଡ଼ି ଗଡ଼ିବ। ଏଥିପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି.ଶ୍ରୀନିବାସଙ୍କ ଅଧ୍ୟକ୍ଷତାରେ ‘ବିଜୁ ଗାଁ ଗାଡ଼ି’ ଯୋଜନାର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅଧିକରୁ ଅଧିକ ବିଜୁ ଗାଁ ଗାଡ଼ି ଚଲାଇବା ପାଇଁ ଗାଡ଼ି କିଣା ଋଣ ଉପରେ ୫% ରିହାତି ଦିଆଯାଉଥିବାବେଳେ ରୋଡ୍‌ ଟ୍ୟାକ୍ସ ଛାଡ଼ କରାଯାଉଛି। ତେଣୁୁ ଉଦ୍ୟୋଗୀମାନେ ଏହାର ସୁଯୋଗ ନେବା ଦରକାର ବୋଲି ବିଭାଗୀୟ ସଚିବ କହିଛନ୍ତି। ଆଜି ରାଜ୍ୟର ୯ଟି ଜିଲ୍ଲା ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଯାଜପୁର (ଚଣ୍ଡିଖୋଲ), କନ୍ଧମାଳ, ମାଲକାନଗିରି, ପୁରୀ ଓ ରାୟଗଡ଼ା ଜିଲ୍ଲାରେ ‘ବିଜୁ ଗାଁ ଗାଡ଼ି’ ଯୋଜନାର ସମୀକ୍ଷା ବେଳେ ଜଣାପଡ଼ିଥିଲା ଯେ, ଏହି ୯ଟି ଜିଲ୍ଲାରେ ୧୮୫୧ଟି ଗ୍ରାମପଞ୍ଚାୟତରେ ୧୩୩ଟି ବିଜୁ ଗାଁ ଗାଡ଼ି ଚଳାଚଳ କରୁଛି। ୮୦ଟି ଗ୍ରାମପଞ୍ଚାୟତକୁ ସେବା ଆରମ୍ଭ ହୋଇନଥିବାବେଳେ ୨୭ଟି ପଞ୍ଚାୟତକୁ ଗମନାଗମନର ବ୍ୟବସ୍ଥା ନଥିବାରୁ ସେବା ଆରମ୍ଭ ହୋଇପାରିନି। ତେଣୁ ରାସ୍ତା ଉନ୍ନତିକରଣ ଏବଂ ଅଧିକ ଗାଡ଼ି ଚଳାଚଳ ନେଇ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ରେଳ କୋର୍ଡିନେସନର କମିସନର ମନୋଜ ମିଶ୍ର, ବିଭାଗୀୟ ଅତିରିକ୍ତ ସଚିବ ଦୟାନିଧି ନାୟକ, ଉପଶାସନ ସଚିବ ବବିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର