ହସ୍ପିଟାଲରେ ବିଜୁ ସରକାରର ତିନି ବରି‌ଷ୍ଠ ମନ୍ତ୍ରୀ

ଭୁବନେଶ୍ବର: ଏକଦା ବିଜୁ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ପଦରେ ରହି ଭରପୂର କ୍ଷମତା ଉପଭୋଗ କରୁଥିବା ୩ ବରିଷ୍ଠ ନେତା ଏବେ ଆଇସିୟୁରେ। ବୟସର ଅପରାହ୍ନରେ ଉପନୀତ ଏହି ନେତମାନେ ଅସୁସ୍ଥତା ଯୋଗୁଁ ଜଣକ ପରେ ଜଣେ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଉଛନ୍ତି ‌ବେଦପ୍ରକାଶ ଅଗ୍ରୱାଲ, ଶରତ କର ଓ ସୁରେନ୍ଦ୍ର ନାଥ ନାୟକ। ଶ୍ରୀ କର ଓ ଶ୍ରୀ ନାୟକ ଏବେ ସକ୍ରିୟ ରାଜନୀତିରେ ନ ଥିଲେ ହେଁ ବେଦପ୍ରକାଶ ଏଥର ପାଟକୁରାରୁ ନିର୍ବାଚନ ଲଢ଼ୁଛନ୍ତି। ତେଣୁ ସେ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ବାହାରେ କର୍ମୀ ତଥା ସମର୍ଥକଙ୍କ ଭିଡ଼ ଲାଗିଛି। ଆଗକୁ ନିର୍ବାଚନ ଥିବାରୁ ସମସ୍ତ କର୍ମୀ, ବରିଷ୍ଠ ନେତା ଓ ପରିଜନମାନେ ଆରୋଗ୍ୟ ତାଙ୍କ କାମନା କରୁଛନ୍ତି। ଅନ୍ୟପକ୍ଷରେ ନିଜ ରାଜନୈତିକ ଜୀବନରେ ଏକତ୍ର ବହୁ ସମୟ କାଟିଥିବା ଏହି ‌ତିନି ‌ବରିଷ୍ଠ ନେତା ଆଜି ଗୋଟିଏ ହସ୍‌ପିଟାଲ, ଗୋଟିଏ ଆଇସିୟୁରେ ଥିଲେ ମଧ୍ୟ କେହି କାହାରିକୁ ଜାଣିବା ଅବସ୍ଥାରେ ନାହାନ୍ତି। ଗୋଟିଏ ସମୟରେ ଏହି ତିନି ନେତା ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଭାବେ ଗଣା ହେଉଥିଲେ। ବିଜୁ ମନ୍ତ୍ରିମଣ୍ଡଳରେ ଏମାନେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ମଧ୍ୟ ପାଇଥିଲେ। ନୀଳମଣି ରାଉତରାୟ ଓ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ମଧ୍ୟ ସେମାନେ ବିଭିନ୍ନ ପଦପଦବିରେ ରହିଥିଲେ। ମାତ୍ର ନବୀନ ସରକାର ଅମ‌ଳରେ ‌ ହିଁ ଏହି ତିନି ବରିଷ୍ଠ ନେତାଙ୍କ ଗୁରୁତ୍ବ କମିବା ଆରମ୍ଭ ହୋଇଥିଲା। ଏକଦା ବାଚସ୍ପତି ଥିବା ଶରତ କରଙ୍କୁ ଟିକଟ ନ ମିଳିବାରୁ ସେ ବିଜେଡି ଛାଡ଼ି କଂଗ୍ରେସକୁ ଚାଲି ଯାଇଥିଲେ। ‌ ତେବେ ପ୍ରଥମେ ସୁରେନ୍ଦ୍ର ମନ୍ତ୍ରିମଣ୍ଡଳ ଏବଂ ପରେ ଦଳୀୟ ଟିକଟରୁ ବଞ୍ଚିତ ହୋଇଥିଲେ ମଧ୍ୟ ବିଜେଡିରେ ରହିଥିଲେ। ଅନ୍ୟପକ୍ଷରେ ଗତ ନିର୍ବାଚନରେ ବେଦପ୍ରକାଶ ପାଟକୁରାରୁ ବିଧାୟକ ହେବା ସତ୍ତ୍ବେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନ ଥିଲା। ତେବେ ବୟସାଧିକ୍ୟ ଓ ଅସୁସ୍ଥତା କାରଣରୁ ଏଥର ତାଙ୍କ ଟିକଟ କଟିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲେ ହେଁ ଚଳିତ ନିର୍ବାଚନରେ ଶେଷରେ ତାଙ୍କୁ ହିଁ ଦଳୀୟ ଟିକଟ ମିଳିଥିଲା। କିନ୍ତୁ ଟିକଟ ପାଇ ପ୍ରଚାର ଆରମ୍ଭ କରିବା ପରେ ବେଦପ୍ରକାଶ ପୁଣିଥରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପୁନର୍ବାର ଏକ ଘରୋଇ ହସ୍ପିଟାଲରେ ହସ୍‌ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରେ କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଏବଂ ପୂର୍ବତନ ବାଚସ୍ପତି ଶରତ କର ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁ ମଧ୍ୟ ସେହି ହସ୍‌ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର