ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କାର୍ଡ ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ୬୫ ବର୍ଷିୟା ରୋଗୀଙ୍କ ଅସ୍ତ୍ରୋପଚାର ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି। କେବଳ ଆଜି ଗୋଟିଏ ଦିନ ନୁହେଁ ପ୍ରତିଦିନ ବିଜୁ ସ୍ବାସ୍ଥ୍ୟ କାର୍ଡ ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ଏମସ ରୋଗୀମାନଙ୍କୁ ଏହିଭଳି ସମସ୍ୟା ସୃଷ୍ଟି ହେଉଛି। ପ୍ରକୃତରେ ପ୍ରତିଦିନ ଏମସକୁ ବିଜୁ ସ୍ବାସ୍ଥ୍ୟ କାର୍ଡ ନେଇ ଯେତେ ସଂଖ୍ୟକ ହିତାଧିକାରୀ ରୋଗୀ ଅଛନ୍ତି ସେହି ଅନୁଯାୟୀ କର୍ମଚାରୀ ଏବଂ କାଉଣ୍ଟର ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଏଥିପ୍ରତି ଉଭୟ ରାଜ୍ୟ ସରକାର ଏବଂ ଏମସ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ରୋଗୀମାନେ ଦାବି କରିଛନ୍ତି।

Advertisment

ରାଜଧାନୀ ସ୍ଥିତ ମାଉସୀ ମା ଛକରେ ରହୁଥିବା ସୁଶାନ୍ତ ସାହୁଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ମା ଗୌରୀ ସାହୁଙ୍କ ସୋମବାର ସକାଳେ ଏମସର ଅସ୍ଥିଶଲ୍ୟ ବିଭାଗରେ ଆଣ୍ଠୁ ଅସ୍ତ୍ରୋପଚାର କରାଯିବାର ଥିଲା। ଏହା ଖର୍ଚବହୁଳ ଥିବାରୁ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଡାକ୍ତରଖାନା ପକ୍ଷରୁ ସବୁ ପ୍ରକାର ଚିକିତ୍ସା ସୁବିଧା କରାଇବା ପାଇଁ ବିଭାଗୀୟ ଡାକ୍ତର ଲେଖିଥିଲେ। ସୁଶାନ୍ତ ଶନିବାର ସକାଳ ୬.୩୦ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଅପେକ୍ଷା କରି ସମସ୍ତ ଦସ୍ତାବେଜ ଦାଖଲ କରିଥିଲେ। ସେତେବେଳେ କାଉଣ୍ଟରରେ ଥିବା କର୍ମଚାରୀ କହିଥିଲେ, ସୋମବାର ଅସ୍ତ୍ରୋପଚାରର ନିର୍ଧାରିତ ସମୟ ପୂର୍ବରୁ କାଗଜ ବିଭାଗକୁ ପହଞ୍ଚିଯିବ। ମାଗଣାରେ ଅସ୍ତ୍ରୋପଚାରର ସମସ୍ତ ସାମଗ୍ରୀ ତାଙ୍କୁ ମିଳିଯିବ। ମାତ୍ର ସୋମବାର ସକାଳେ, ସଂଧ୍ୟା ଏପରିକି ରାତି ପର୍ଯ୍ୟନ୍ତ ଅପେକ୍ଷା କରିବା ପରେବି ବିଜୁ ସ୍ବାସ୍ଥ୍ୟ କାର୍ଡ ପରିଚାଳିତ କାଉଣ୍ଟରୁ କ୍ଲିୟରେନ୍ସ ଦସ୍ତାବେଜ ବିଭାଗକୁ ପଠାଯାଇନଥିଲା। ଏଣେ ଅସ୍ତ୍ରୋପଚାର ପାଇଁ ୬୫ ବର୍ଷିୟା ମହିଳା ରୋଗୀ ସକାଳୁ ଭୋକରେ ରହି ଛଟପଟ ହୋଇଥିଲେ। ତାଙ୍କ ସମ୍ପର୍କୀୟମାନେ କାଉଣ୍ଟରରୁ ବିଭାଗ ପର୍ଯ୍ୟନ୍ତ ଧାଁ ଦୌଡ଼ କରି ନୟାନ୍ତ ହୋଇଥିଲେ। କିନ୍ତୁ କୌଣସି ଲାଭ ହୋଇନଥିଲା।

ଡାକ୍ତର ମଧ୍ୟ ଅସ୍ତ୍ରୋପଚାର ପାଇଁ ଅନେକ ସମୟ ଧରି ଅପେକ୍ଷା କରି ରହିଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା। ତେଣୁ ବାଧ୍ୟରେ ଅସ୍ତ୍ରୋପଚାର ବାତିଲ କରାଯାଇଥିଲା। ସୂଚନା ଅନୁଯାୟୀ, ବିଜୁ ସ୍ବାସ୍ଥ୍ୟ କାର୍ଡ ପରିଚାଳନା ପାଇଁ କେବଳ ୪ଟି କାଉଣ୍ଟର ରହିଛି। ଯାହା ଆସୁଥିବା ରୋଗୀଙ୍କ ଅନୁସାରେ ଯଥେଷ୍ଟ ହେଉ ନାହିଁ। ଦୈନିକ କେବଳ ୪୦ ରୋଗୀଙ୍କୁ ଲାଭ ମିଳୁଛି। ଏଥିଯୋଗୁଁ ସମ୍ପର୍କୀୟମାନେ ଘଣ୍ଟା-ଘଣ୍ଟା ଅପେକ୍ଷା କରି ରହୁଛନ୍ତି। ଏଣେ ଏତେ ସଂଖ୍ୟକ ରୋଗୀଙ୍କ ଦସ୍ତାବେଜ ପରିଚାଳନା ବେଳେ ଅସୁବିଧା ହେଉଛି। କେତେବେଳେ କାଗଜ ହଜି ଯାଉଛିତ ଆଉ କେତେବେଳେ ଦସ୍ତାବେଜ ଆଗ ପଛ ହେଉଛି, ଯାହା ବଡ଼ ସମସ୍ୟା ହେଲାଣି।