ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ୨ ଲକ୍ଷ ଗଣିଲେ ରୋଗୀ

ସିଡିଏମ୍ଓ, ସଂଯୋଜକଙ୍କୁ ବି ଶୁଣିଲେନି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ

ଚିକିତ୍ସା ପାଇଁ ଜମି ବନ୍ଧକ ଓ ବଳଦ ବିକିବାକୁ ପଡ଼ିଥିଲା

ସୁନ୍ଦରଗଡ଼ : ହାତରେ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଥିଲା। ମାଗଣା ଚିକିତ୍ସା ମିଳିବ ବୋଲି ନିଶ୍ଚିତ ଥିଲେ ରୋଗୀଙ୍କ ପରିଜନ। ସେଥିପାଇଁ ସୁନ୍ଦରଗଡ଼ ଉପାନ୍ତ ହେମଗିର ବ୍ଲକ୍‌ରୁ ଗୁରୁତର ରୋଗୀଙ୍କୁ ନେଇ ଯାଇଥିଲେ ଭୁବନେଶ୍ବର। କିନ୍ତୁ ସେଠାରେ କାର୍ଡର କିଛି ମୂଲ୍ୟ ରହିଲା ନାହିଁ, ଚିକିତ୍ସା ପାଇଁ ହାତରୁ ଗଣିବାକୁ ପଡ଼ିଲା ୨ ଲକ୍ଷ ଟଙ୍କା। ସବୁଠାରୁ ବଡ଼ କଥା ହେଲା, ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଜିଲ୍ଲା ସଂଯୋଜକଙ୍କ ହସ୍ତକ୍ଷେପ ପରେ ମଧ୍ୟ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଶୁଣି ନଥିଲେ। ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ ଘରୋଇ ହସ୍ପିଟାଲଗୁଡ଼ିକ ଖୋଲାଖୋଲି ଅଗ୍ରାହ୍ୟ କରି ଗ୍ରାମାଞ୍ଚଳର ରୋଗୀଙ୍କୁ କିପରି ଶୋଷଣ କରୁଛନ୍ତି, ଏହା ତା’ର ଅନ୍ୟତମ ନିଚ୍ଛକ ନମୁନା।

ଅଭିଯୋଗ ଅନୁସାରେ, ହେମଗିର ବ୍ଲକ୍ ଗର୍ଜନଯୋର ଗୋପ ଜୟପୁରିଆଙ୍କ ୧୮ ବର୍ଷର ଝିଅ ସଂଯୁକ୍ତା ୧୫ ଦିନ ତଳେ ଭାଇ ସହ ବାଇକ୍ରେ କୌଣସି କାମରେ ହେମଗିର ଯାଉଥିବାବେଳେ ପଡ଼ି ଯାଇଥିଲେ। ମୁଣ୍ଡରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ବାନ୍ତି ବନ୍ଦ ହେଉ ନଥିବାରୁ ଡାକ୍ତର ସୁନ୍ଦରଗଡ଼ ସ୍ଥାନାନ୍ତର କରିଥିଲେ। ସୁନ୍ଦରଗଡ଼ରେ ସିଟିସ୍କାନ ପରେ ମୁଣ୍ଡ ଭିତରେ ଆଘାତ ଲାଗିଥିବା ଜଣାପଡ଼ିଥିଲା। ଡାକ୍ତର ତାଙ୍କୁ ବୁର୍ଲା ନେଇଯିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ସଂଯୁକ୍ତାଙ୍କୁ ବୁର୍ଲା ନେଇ ଯାଇଥିଲେ। କିନ୍ତୁ ସେଠାରେ ସ୍ନାୟୁ ବିଶେଷଜ୍ଞ ନଥିବାରୁ ଚିକିତ୍ସା ସମ୍ଭବ ହୋଇ ନଥିଲା। ଭୁବନେଶ୍ବର ନେଇଯିବାକୁ ପରାମର୍ଶ ଦେଇଥିଲେ ଜଣେ ଡାକ୍ତର। କିନ୍ତୁ ହାତରେ ଟଙ୍କା ନଥିବାରୁ ଚିନ୍ତାରେ ପଡ଼ିଗଲେ ପରିବାର। ତେବେ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିବାରୁ ବଳ ପାଇଥିଲେ ପରିବାର। ଏହାସତ୍ତ୍ବେ ଦୂରସ୍ଥାନରେ ଭଲମନ୍ଦରେ ଆବଶ୍ୟକ ପଡ଼ିପାରେ ଭାବି ଘରେ ଥିବା ବଳଦ ଯୋଡ଼ିକ ବିକିବା ସହ ଜମି ବନ୍ଧକ ପକାଇ ଦେଇଥିଲେ ସଂଯୁକ୍ତାଙ୍କ ବାପା। ସେଥିରେ ଘର ତିଆରି ପାଇଁ ରଖିଥିବା ୫୦ ହଜାର ଟଙ୍କା ମିଶାଇ ଝିଅକୁ ନେଇ ଯାଇଥିଲେ ଭୁବନେଶ୍ବର।

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅକ୍ଟୋବର ୧୧ ତାରିଖରେ ସକାଳ ସାଢ଼େ ୫ଟାରେ ପହଞ୍ଚିଥିଲେ। ଆପତଃକାଳୀନ ୱାର୍ଡରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଦେଖାଇ ଗୁରୁତର ଝିଅକୁ ଭର୍ତ୍ତି କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସାଢ଼େ ୧୦ଟାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନାର ସ୍ବାସ୍ଥ୍ୟ ସାଥୀ ଆସିବେ ବୋଲି ଉପସ୍ଥିତ ଡାକ୍ତର ସୂଚନା ଦେଇ ଜରୁରୀ ଚିକିତ୍ସା ପାଇଁ ଟଙ୍କା ଜମା କରିବାକୁ କହିଥିଲେ। ସଂଯୁକ୍ତାଙ୍କ ଅବସ୍ଥା ଠିକ୍ ନଥିବାରୁ ତାଙ୍କୁ ନେଇ ଯାଇଥିବା କକା ବାଧ୍ୟ ହୋଇ ଧରିଥିବା ଟଙ୍କାରୁ ୫୦ ହଜାର ଜମା କରି ଦେଇଥିଲେ। ଏହାପରେ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଥିଲା। ଏପଟେ ସାଢ଼େ ୧୦ଟାରେ ସ୍ବାସ୍ଥ୍ୟ ସାଥୀ ଆସିବା ପରେ ତାଙ୍କୁ ସ୍ମାର୍ଟ କାର୍ଡ ଦେଖାଇଥିଲେ କକା। କିନ୍ତୁ ପ୍ରଥମରୁ ଟଙ୍କା ଜମା କରିଦେଇଥିବାରୁ ଏ କାର୍ଡ କିଛି କାମକୁ ଆସିବ ନାହିଁ କହି ସ୍ବାସ୍ଥ୍ୟ ସାଥୀ ଫେରାଇ ଦେଇଥିଲେ। ଏହା ପରେ ପରିବାର ଲୋକ ହେମଗିରିର ଯୁବନେତା ରାଜେନ୍ଦ୍ର ନାଏକଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ଶ୍ରୀ ନାଏକ ତୁରନ୍ତ ସିଡିଏମ୍ଓ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଜିଲ୍ଲା ସଂଯୋଜକଙ୍କ ସହ ଯୋଗାଯୋଗ କରିଥିଲେ। ସେମାନେ ଖର୍ଚ୍ଚ ହୋଇଥିବା ଟଙ୍କା ଫେରସ୍ତ ଓ ମାଗଣା ଚିକିତ୍ସା ପାଇଁ ତୁରନ୍ତ ପଦକ୍ଷେପ ନେବେ ବୋଲି ଆଶ୍ବାସନା ଦେଇଥିଲେ। ଏପରିକି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ସଂଯୋଜକ ଯୋଗାଯୋଗ ମଧ୍ୟ କରିଥିବା ସୂଚନା ମିଳିଛି। କିନ୍ତୁ ବିଭାଗୀୟ ସୁପାରିସକୁ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ମାନି ନଥିଲେ। ଅନ୍ୟପଟେ ସମାଜସେବୀ ରାଜେନ୍ଦ୍ର ନାଏକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଖୋର୍ଦ୍ଧା ଜିଲ୍ଲା ସଂଯୋଜକଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ। କିନ୍ତୁ ସେ ସହଯୋଗ କରି ନ ଥିଲେ। ଅଗତ୍ୟା ସଂଯୁକ୍ତାଙ୍କ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କା ଗଣିବାକୁ ପଡ଼ିଥିଲା ପରିବାରକୁ। ଟଙ୍କା ସରିଯିବା ଓ ଝିଅ ସାମାନ୍ୟ ସୁସ୍ଥ ହେବା ପରେ ୨୪ ତାରିଖରେ ଗାଁକୁ ଫେରି ଆସିଛନ୍ତି। କିନ୍ତୁ ଏବେ ଔଷଧ ସରି ଯାଇଥିବା ବେଳେ ସଂଯୁକ୍ତା ପୁଣି ଅସୁସ୍ଥ ହୋଇପଡ଼ିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।

ତେବେ ଏହି ଘଟଣା ସମ୍ପର୍କରେ ସଂପୃକ୍ତ ଘରୋଇ ହସ୍ପିଟାଲ୍‌ରେ ଥିବା ବିଏସ୍‌କେୱାଇର ସ୍ବାସ୍ଥ୍ୟ ସାଥୀ ରମାମଣି ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ ଚିକିତ୍ସିତ ହେବାର ୭୨ ଘଣ୍ଟା ପରେ ସଂପୃକ୍ତ ରୋଗୀଙ୍କ ସମ୍ପର୍କୀୟ ବିଏସ୍‌କେୱାଇର ସ୍ମାର୍ଟ କାର୍ଡ ଦେଖାଇଥିଲେ। ତେଣୁ ନିୟମ ଅନୁଯାୟୀ ତାହାକୁ କାର୍ଯ୍ୟକାରୀ କରାଯାଇପାରି ନ ଥିଲା।

ଏ ସମ୍ପର୍କରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ମିସନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ଯୋଗାଯୋଗ କରାଯାଇଥିଲା। ଏ ସମ୍ପର୍କରେ ସେ ଅନୁଧ୍ୟାନ କରିବେ ବୋଲି କହିଥିଲେ।
ପ୍ରକାଶଯୋଗ୍ୟ, ଏହା ପୂର୍ବରୁ ହେମଗିର ବ୍ଲକ୍‌ର ଜଣେ ରୋଗୀ ସ୍ମାର୍ଟ କାର୍ଡ ଥାଇ ମଧ୍ୟ ଭୁବନେଶ୍ବରଠାରେ କେବଳ ପରୀକ୍ଷା ପାଇଁ ଟଙ୍କା ଗଣି ବିନା ଚିକିତ୍ସାରେ ଘରକୁ ଫେରିଥିଲେ। ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ତାଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପୁଣି ଥରେ ଭୁବନେଶ୍ବର ନେଇ ଚିକିତ୍ସା କରାଇଥିଲେ।

ସମ୍ବନ୍ଧିତ ଖବର