ହସ୍ପିଟାଲରେ ପଡ଼ିରହୁଛନ୍ତି ବିଜୁ ହେଲ୍‌ଥ କାର୍ଡଧାରୀ, କୋଡ୍‌ ନିର୍ଦ୍ଧାରଣ କରୁଛି ରୋଗୀଙ୍କ ଭାଗ୍ୟ!

ଭର୍ତ୍ତି ହେବାର ୫ ଦିନ ବିତିଲା, ଚିକିତ୍ସା ଆରମ୍ଭ ହୋଇନି

ରାଉରକେଲା: ଉଚ୍ଚ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକ କିଭଳି ଅଧାବାଟ‌ରେ ମୁହଁମାଡ଼ି ପଡୁଛି, ଏ ଘଟଣା ତା’ର ଏକ ସଦ୍ୟ ଉଦାହରଣ। ଗରିବଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାଲାଗି ଆରମ୍ଭ କରାଯାଇଥିବା ବିଜୁ ‌ସ୍ବାସ୍ଥ୍ୟ କାର୍ଡ ବ୍ୟବସ୍ଥାରେ ଥିବା ସମସ୍ୟା ମାମଲାରେ ଏକାଧିକ ଘଟଣା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଗଣମାଧ୍ୟମ ଆଣିଛି। ପୁଣି ଆଉ ଏକ ନୂଆ ଧରଣର ସମସ୍ୟା ଆଗକୁ ଆସିଛି। ସଡ଼କ ଦୁର୍ଘଟଣାରେ ଛୋଟ‌େ ଲାକ୍ରା ନାମକ ଜଣେ ଯୁବକଙ୍କ ଗୋଡ଼ ଭାଙ୍ଗିଥିଲା। ସେତେବେଳେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏବେ ଗଭୀର କ୍ଷତ ହେବା ସହ ଅସ୍ତ୍ରୋପଚାର ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ବିଜୁ ‌ସ୍ବାସ୍ଥ୍ୟ କାର୍ଡ ଦ୍ବାରା ମାଗଣା ଅପରେସନ ପାଇଁ ଯୁବକ ଜଣକ ଗତ ୫ ଦିନ ହେଲା ରାଉରକେଲାର ଏକ ବେସରକାରୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ସଂପୃକ୍ତ ଯୁବକଙ୍କ ଚିକିତ୍ସା ଏଯାଏଁ ଆରମ୍ଭ ହୋଇପାରିନି। ହସପିଟାଲ କର୍ତୃପକ୍ଷ କୋଡ୍‌ ଆସିନଥିବା କହୁଛନ୍ତି। ସେପଟେ ରୋଗୀ ମାଗଣା ଚିକିତ୍ସା ନାଁରେ ଭାଗ୍ୟକୁ ଆଦରି ବସିଛନ୍ତି। କେବଳ ଛୋଟେ ଏକାକି ନୁହନ୍ତି, ଏକାଧିକ ରୋଗୀ ଏଭଳି ଅବସ୍ଥାରେ ଥିବା ଜଣାପଡ଼ିଛି।


ଚିକିତ୍ସା ଅପେକ୍ଷାରେ ରୋଗୀ ଶଯ୍ୟାରେ ପଡ଼ିରହିଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି ଭୁବନେଶ୍ୱରରୁ କୋଡ୍‌ ନମ୍ବର ଆସିଲେ ଚିକିତ୍ସା ଆରମ୍ଭ ହେବ। କେବଳ ଖାଇ ପିଇ ହସ୍ପିଟାଲରେ ରହୁଥିବା ରୋଗୀମାନେ ଜେଲ୍‌ରେ ବନ୍ଦୀ ହୋଇ ରହିଥିବା ଭର୍ତ୍ତି ହୋଇଥିବା ରୋଗୀମାନେ ପ୍ରତିକ୍ରିୟା ଦେଇଛନ୍ତି। ଜିଲ୍ଲାର ଦୂରଦୂରାନ୍ତରୁ ଆସିଛନ୍ତି ଏହି ରୋଗୀ। କାହାର ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଦୁଇଖଣ୍ଡ ହେବାସହ ଘା’ହୋଇ ପୂଜ ବାହାରିଲାଣି ତ ଆଉ କାହାର କାନ୍ଧ ହାଡ଼ ଭାଙ୍ଗିଛି। ପୁଣି କାହାର ଅଣ୍ଟା ହାଡ଼ ଭାଙ୍ଗିଥିବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କ ଜରୁରୀ ଅସ୍ତ୍ରୋପଚାର ଆବଶ୍ୟକ ଥିବାରୁ ରୋଗୀମାନେ ବିଜୁ ସ୍ମାର୍ଟକାର୍ଡ ସାଥିରେ ଆଣି ଏହି ହସ୍ପିଟାଲକୁ ରେଫର୍‌ ହୋଇ ଆସିଥିଲେ। ସମଗ୍ର ଚିକିତ୍ସା ସେବା ସଂପୂର୍ଣ୍ଣ ମାଗଣା ଥିଲେ ମଧ୍ୟ ପ୍ରଥମେ ରୋଗୀମାନଙ୍କଠାରୁ ଡାକ୍ତରୀ ପରାମର୍ଶ ଓ ପରୀକ୍ଷା ନିରୀକ୍ଷା ଫି’ ବାବଦକୁ ୩ ଶହ ଟଙ୍କା ନିଆଗଲା। ସବୁ ପ୍ରକ୍ରିୟା ସରିଲା ପରେ ରୋଗୀମାନେ ପ୍ରାୟ ୪-୫ ଦିନ ପୂର୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଏଯାଏଁ ଅସ୍ତ୍ରୋପଚାର ଆରମ୍ଭ ହୋଇନାହିଁ। ରୋଗୀମାନଙ୍କର ନାଁ ଓ ସେମାନଙ୍କର ରୋଗ ବିଷୟରେ ଅନଲାଇନ୍‌ ପଞ୍ଜିକରଣ କରାଯାଇଛି। ଭୁବନେଶ୍ବରରୁ କୋଡ୍‌ ଆସିଲେ ଅସ୍ତ୍ରୋପଚାର ଆରମ୍ଭ ହେବବୋଲି ହସପିଟାଲ କର୍ତୃପକ୍ଷ କହିଛନ୍ତି। ସବୁ ଦୋଷ ଭୁବନେଶ୍ବରକୁ ଠେଲି ଦେଇ କର୍ତୃପକ୍ଷ ଏବେ ଚିନ୍ତାମୁକ୍ତ ହୋଇଯାଇଥିବା ରୋଗୀ ଅଭିଯୋଗ କରିଛନ୍ତି।


ପ୍ରକାଶଥାଉକି, ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିବା କୌଣସି ରୋଗୀ ହସପିଟାଲରେ ଭର୍ତ୍ତି ହେବାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥାଏ। ପରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ବାବଦରେ ହସ୍ପିଟାଲ କର୍ତୃପକ୍ଷ ବିଏସ୍‌କେୱାଇ ଅନଲାଇନ୍‌ ପୋର୍ଟାଲରେ ପଞ୍ଜିକରଣ କରିଥାନ୍ତି। ପଞ୍ଜିକରଣ କରିବାର ୨୪ ଘଣ୍ଟା ମଧ୍ୟରେ କୋଡ୍‌ ଆସିବାପରେ ଚିକିତ୍ସା ସେବା ଆରମ୍ଭ ହୋଇଥାଏ। ତେବେ ୪-୫ ଦିନ ପରେ ମଧ୍ୟ କୋଡ୍‌ ଆସିନଥିବା କୁହାଯାଉଥିବା, ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକୃତରେ ଏଯାଏଁ କୋଡ୍‌ ଆସିନି ନା ହସ୍ପିଟାଲ କର୍ତୃପକ୍ଷ ଅର୍ଥ ଶୋଷଣ ପାଇଁ ବେଡ୍‌ରେ ପକାଇ ରଖୁଛନ୍ତି ବୋଲି ପ୍ରଶ୍ନ ଉଠୁଛି। ୨୪ ଘଣ୍ଟା ମଧ୍ୟରେ କୋଡ୍‌ ପଠାଇବାର ସ୍ବତନ୍ତ୍ର ବ୍ୟବସ୍ଥା ଥିବା ରାଜ୍ୟ ସରକାରଙ୍କ ଘୋଷଣାର ସତ୍ୟତା ମଧ୍ୟ ପ୍ରଶ୍ନର ଘେରକୁ ଆସି ଯାଉଛି। ସରକାରୀ ଡାକ୍ତରଖାନାରୁ ରେଫର୍‌ ହୋଇ ଆସିଥିବା ରୋଗୀଙ୍କ ଯଦି ଏଭଳି ଅବସ୍ଥା ତା’ହେଲେ ବିନା ରେଫରାଲ୍‌ରେ ଆସିଥିବା ରୋଗୀର ଅବସ୍ଥା କ’ଣ ହେବ ବୋଲି ଚର୍ଚ୍ଚା ହେଉଛି। ଅର୍ଥୋପେଡିକ୍‌ ୱାର୍ଡରେ ଥିବା ହାଡ଼ଭଙ୍ଗା ରୋଗୀମାନଙ୍କର ଅବସ୍ଥା ଭଳି ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ଯଦି ଅପେକ୍ଷା କରିବାକୁ ପଡେ, ତେବେ ତାଙ୍କ ଅବସ୍ଥା କ’ଣ ହେବ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କିମାରିଛି। ଗତ ୨୪ ତାରିଖରେ ଜିଲ୍ଲାର ଜଣେ କ୍ୟାନ୍ସର ପୀଡିତା ମହିଳା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୨୬ ହଜାର ଟଙ୍କା ଗଣିବା ସତ୍ତ୍ବେ ବିନା ଚିକିତ୍ସାରେ ଫେରିବା ଘଟଣା ଏଯାଏଁ ଜିଲ୍ଲାବାସୀଙ୍କୁ ମନରୁ ନ ଲିଭୁଣୁ, ଏବେ ଚିକିତ୍ସା ପାଇଁ ରୋଗୀ ଅପେକ୍ଷା କରିବା; ବିଜୁ ସ୍ମାର୍ଟ‌୍ ସ୍ବାସ୍ଥ୍ୟ କାର୍ଡ‌୍ ଅସଲ ଚିତ୍ର ଦର୍ଶାଉଥିବା ମତ ପାଇଲାଣି।

ସମ୍ବନ୍ଧିତ ଖବର