କାମରେ ଆସୁନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ପରେ କରାଯାଉଛି ନିରୁତ୍ସାହିତ

ଦଶପଲ୍ଲା : ନିର୍ବାଚନକୁ ମୋହରା ସଜାଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପରିବାରକୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ଏହା ଏବେ ଭେଳିକିରେ ପରିଣତ ହୋଇଛି। ଏହି ଯୋଜନାରେ ସରକାର ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ଚିକିତ୍ସା ସେବା ଯୋଗାଇବା ସହ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଅର୍ଥାତ୍ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସେବା ଯୋଗାଇ ଦେବାକୁ ଘୋଷଣା କରାଯାଇଛି। କେଉଁ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ତ ପୁଣି କେଉଁଠି ନାହିଁ। ଏପରିକି ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆଡମିସନ୍ କରିବା ପରେ ରୋଗୀଙ୍କ ସମ୍ପର୍କିୟଙ୍କୁ ନିରୁତ୍ସାହିତ କରାଯାଉଛି। ଏଭଳି ଅଭିଯୋଗ ଆଣିଛନ୍ତି ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ସ୍ଥାନୀୟ ଟାଙ୍ଗିଆପଲ୍ଲୀ ଗ୍ରାମର ସୁଲୋଚନା ବେହେରାଙ୍କ ଭାଇ ସନ୍ତୋଷ ନାୟକ।

ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖ ଦିନ ସୁଲୋଚନା ତାଙ୍କ ପୁଅ ସହ ଡିହଗାଁ ଅଭିମୁଖେ ଯାଉଥିବା ସମୟରେ ଗାଡିରୁ ଖସି ପଡିଥିଲେ। ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗି ସଂଜ୍ଞାହୀନ ହୋଇପଡିଥିଲେ। ତାଙ୍କୁ ଭୁବନେଶ୍ବରସ୍ଥିତ ଆମ୍ରି ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ କାର୍ଡ ରହିଛି। ଏହି କାର୍ଡ ଚିକିତ୍ସାରେ ସହାୟକ ହୋଇ ପାରିବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ତାଙ୍କୁ ଆଡମିସନ କରାଯିବା ପରେ ବୁଧବାର ସକାଳ ସୁଦ୍ଧା ୨ ଲକ୍ଷ ୬୦ ହଜାର ଟଙ୍କାର ବିଲ୍ ଦିଆଯାଇଛି। ଏହା ମଧ୍ୟରେ ସେ ୧ ଲକ୍ଷ ୩୦ ହଜାର ଟଙ୍କା ଜମା କରି ସାରିଛନ୍ତି। ହେଲେ ଅବଶିଷ୍ଟ ଟଙ୍କା ଜମା କରିବାକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦାବି କରାଯାଉଛି।

ଏପଟେ ସେ ଗରିବ ଶ୍ରେଣୀୟ ହୋଇଥିବାରୁ ସ୍ବାସ୍ଥ୍ୟକାର୍ଡରୁ ଟଙ୍କା କାଟିବା ପାଇଁ କୁହାଯାଉଛି। ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ୪୦ଟି କାର୍ଡର ସୁବିଧା ରହିଛି। ଯାହାକି ସବୁ ପୂରଣ ହୋଇଯାଇଥିବା ବେଳେ ଅପେକ୍ଷା କରିବାକୁ କହି ଅବଶିଷ୍ଟ ଟଙ୍କା ଦାବି କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ଏହା ମଧ୍ୟରେ ସୁଲୋଚନାଙ୍କ ଅସ୍ତ୍ରୋପଚାର ଶେଷ ହୋଇଥିବା ବେଳେ ସେ ସଂଜ୍ଞହୀନ ରହିଛନ୍ତି। ସଂଜ୍ଞା ଆସିବାକୁ ସମୟ ଲାଗିବ ବୋଲି କୁହାଯାଉଛି। ଏହା ମଧ୍ୟରେ ସମସ୍ତ ଟଙ୍କା ପୈଠ କରିବାକୁ କୁହାଯିବା ଦ୍ବାରା ପାଖରେ କାର୍ଡ ଥାଇ ମଧ୍ୟ ଏହା କାମରେ ଆସୁନାହିଁ। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟିଦେବା ଆବଶ୍ୟକ ହୋଇପଡିଛି।

ସମ୍ବନ୍ଧିତ ଖବର