ବିଜୁ, ଜାନକୀଙ୍କ ସ୍ୱପ୍ନର ଫାର୍ମ ଉଜୁଡ଼ିବ!

ଜ୍ଞାନ ପଟ୍ଟନାୟକଙ୍କ ପାଇଁ ବିଜୁ ଏଠାରୁ ଆମ୍ବ ନେଉଥିଲେ, ଜାନକୀଙ୍କ ନାମରେ ହୋଇଛି ‘ଜାନକୀ ପସନ୍ଦ’ ଆମ୍ବ

ଭୁବନେଶ୍ୱର : ଏକାମ୍ରକାନନ ଫାର୍ମ ଉପରେ ପ୍ରଶାସନର ନଜର ପଡ଼ିଛି। କିଛି ନ୍ୟସ୍ତ ସ୍ୱାର୍ଥ ଅଧିକାରୀ ଏହି ଫାର୍ମକୁ କଙ୍କ୍ରିଟ ଜଙ୍ଗଲରେ ପରିଣତ କରିଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବା ପାଇଁ ଫାର୍ମ ଅଧୀନରେ ଥିବା ୨୫.୯୬୭ଏକର ଜମିରୁ ୨୦.୧୯୨ ଏକର ଜମି ନେବାକୁ ଏକାମ୍ରକାନନର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଫାର୍ମ ଭିତରେ ଥିବା ଗ୍ରିନ୍‌ ହାଉସ୍‌, ପଲ୍ଲୀ ହାଉସ୍‌କୁ ମାଟିରେ ମିଶାଇ ଦେବାକୁ ଯୋଜନା କରାଯାଇଛି। ଖୁବ୍‌ ଶୀଘ୍ର ମାପଚୁପ କରି ଏହି ଫାର୍ମର ଚିହ୍ନବର୍ଣ୍ଣ ହଜାଇ ଦେବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଫାର୍ମରେ ଆଉ ଗଛ ଯେପରି ନ ରହିବ, ବଣ ଜଙ୍ଗଲ ହୋଇଯିବ ସେଥିପାଇଁ ବି ଚକ୍ରାନ୍ତ ଆରମ୍ଭ ହୋଇଯାଇଛି। ଉଦ୍ୟାନ କୃଷି ବିଭାଗ କୌଣସି ଯୋଜନା ବାବଦକୁ ଅର୍ଥ ଦେବାକୁ ମନା କରିଦେଇଛି। ଫଳରେ ଫାର୍ମ ଭିତରେ ଘାସ, ଅନାବନା ଗଛ କଟାଯାଉନି କି ନୂଆ କିଛି କାମ ହେଉନି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ସହ ଜଡ଼ିତ ଏହି ପାର୍କ ଏବେ ଅସ୍ତିତ୍ବ ହରାଇବାକୁ ବସିଛି।

ଏହି ପାର୍କ ସହିତ ଅନେକ ସ୍ମୃତି ଯୋଡି ହୋଇରହିଛି। ସାଧାରଣ ଲୋକଙ୍କ ସହିତ ଏହାର ସଂପର୍କ ଯେମିତି ନିବିଡ, ସରକାରଙ୍କ ପାଇଁ ଏହି ପାର୍କ ବି ସେମିତି ଗୁରୁତ୍ବପୂର୍ଣ୍ଣ। ୧୯୯୪ ମସିହାରେ ସିଆର୍‌ପି ଛକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ପାଳନ ହେଉଥିଲା। ହଠାତ୍‌ ବିଜୁ ବାବୁଙ୍କର ଆମ୍ବ ଖାଇବାକୁ ଇଚ୍ଛା ହେଲା। ଏକାମ୍ରକାନନ ଫାର୍ମକୁ ଗଲେ। ସାଙ୍ଗରେ ଥିଲେ ଜନତା ଦଳର ଯୁବ ନେତା ବାବୁଲି ମିଶ୍ର। ବିଜୁ ବାବୁଙ୍କୁ ହଠାତ୍‌ ଫାର୍ମରେ ଦେଖି କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଜୁ ବାବୁଙ୍କ ବ୍ୟକ୍ତିଗତ ସହାୟକ କହିଲେ ଯେ, ଆମ୍ବ ଆଣ, ସାର୍‌ ଖାଇବେ। ବିଜୁ ବାବୁ କିନ୍ତୁ ନିଜେ ଗଛରୁ ଆମ୍ବ ତୋଳି ‌ଖାଇଲେ। ବାଇଗଣପଲେଇ ଆମ୍ବ ଭଲ ଲାଗିଲା। ଏହାପରେ କହିଲେ ଚାରା ଆଣ ମୁଁ ଗଛ ଲଗେଇବି। ଆମ୍ବ ଫଳିଲେ ମୋତେ ଦେବ। ଗଛ ବଡ଼ ହୋଇ ଫଳିଲା ବେଳକୁ ବିଜୁ ବାବୁ କିନ୍ତୁ ଖାଇବାକୁ ନଥିଲେ।

ବିଜୁ ବାବୁ ବହୁବାର ଏହି ଫାର୍ମକୁ ଯାଇଛନ୍ତି। ନିଜେ ଯେତିକି ଆମ୍ବ ଖାଆନ୍ତିନି ତା’ଠାରୁ ଅଧିକ ପ୍ୟାକିଂ କରି ଦିଲ୍ଲୀ ନିଅନ୍ତି। କେବେ କିନ୍ତୁ ମାଗଣାରେ ନିଅନ୍ତିନି। କେତେ ଟଙ୍କା ପଚାରନ୍ତି, ମନା କଲେ ବି ଟଙ୍କା ଦେଇ ଯାଆନ୍ତି। ଫାର୍ମ କର୍ମଚାରୀଙ୍କ କହିବାନୁଯାୟୀ, ଜ୍ଞାନ ପଟ୍ଟନାୟକଙ୍କୁ ଏହି ଆମ୍ବ ଭଲ ଲାଗୁଥିବାରୁ ବିଜୁ ବାବୁ ଦିଲ୍ଲୀ ଗଲାବେଳେ ଏଠାରୁ ପେଟିପେଟି ଗଛ ପାଚିଲା ଆମ୍ବ ନେଇକି ଯାଆନ୍ତି। ବିନା କାରବାଇଟ୍‌ ଦିଆ ଓ ସୁଆଦିଆ ଆମ୍ବ ସହ ସପେଟା, ସପୁରି, ଲିଚୁ କୋଳି ଆଦି ମିଳୁଥିବାରୁ ବିଜୁ ବାବୁଙ୍କର ଏହି ଫାର୍ମ ପସନ୍ଦ ଥିଲା।

କେବଳ ବିଜୁ ବାବୁଙ୍କର ନୁହେଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସ୍ବପ୍ନର ଫାର୍ମ ଥିଲା ଏହି ଏକାମ୍ର କାନନ ଉଦ୍ୟାନ। ସବୁଜିମାର ସହର ଭୁବନେଶ୍ବର ଯେତେବେଳେ କଙ୍କ୍ରିଟ ସହରରେ ପରିଣତ ହେଲା ସେତେବେଳେ ରାଜଧାନୀରେ ଏହି ଫାର୍ମର ପ୍ରତିଷ୍ଠା କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ରାଜଧାନୀବାସୀ ଯେପରି ସହରରେ ରହି ବି ତୋଟା ଆମ୍ବ, ସପେଟା, ସପୁରି ଆଦି ସହଜରେ ପାଇପାରିବେ ସେଥିପାଇଁ ଅଶି ଦଶକରେ ଏହି ଫାର୍ମର ଦାୟିତ୍ବ ଉଦ୍ୟାନକୃଷି ବିଭାଗକୁ ଦେଇଥିଲେ।

ବିଜୁ ବାବୁଙ୍କ ଭଳି ଜାନକୀ ବାବୁଙ୍କର ସ୍ମୃତି ବି ଏହି ଫାର୍ମରେ ରହିଛି। ବହୁବାର ଏହି ଫାର୍ମକୁ ବୁଲିବାକୁ ଯାଇଥିବା ଜାନକୀ ବାବୁ ଥରେ ଗୋଟିଏ ଗଛରେ ଫଳିଥିବା ମୋଟା, ଲମ୍ବା ବଡ଼ ବଡ଼ ଆମ୍ବ ଦେଖି ବହୁତ ଖୁସି ହୋଇଯାଇଥିଲେ। ଗୋଟିଏ ଗଛରେ କିପରି ଗୋଟିଏ ଗୋଟିଏ କେଜିକିଆ ଆମ୍ବ ଫଳୁଛି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଆମ୍ବର ନାଁ କ’ଣ ପଚାରିଥିଲେ। କର୍ମଚାରୀମାନେ କହିଥିଲେ ଯେ, ଏହା ଲୋକାଲ ଏଲାଇଟ୍‌ ଆମ୍ବ। ଜାନକୀ ବାବୁ କହିଥିଲେ ଯେ, ଏହା ମୋ ପସନ୍ଦର ଆମ୍ବ। ଆମ୍ବର କିଛି ନାମକରଣ ହୋଇନଥିବାରୁ ଉଦ୍ୟାନ କୃଷି ବିଭାଗ ଏହି ଆମ୍ବର ନାମ ‘ଜାନକୀ ପସନ୍ଦ’ ଦେଇଥିଲା। ଏବେ ବଜାରରେ ଯେଉଁ ବଡ଼ ବଡ଼ ଆମ୍ବ ମିଳୁଛି (ଗୋଟିଏ ‌ଆମ୍ବର ଓଜନ ୬୦୦ରୁ ଏକ କେଜି ପର୍ଯ୍ୟନ୍ତ) ତାହା ‘ଜାନକୀ ପସନ୍ଦ’ ଆମ୍ବ। ଏହି ଆମ୍ବର ବହୁ ଚାହିଦା ଥିବାରୁ ଉଦ୍ୟାନ କୃଷି ବିଭାଗ ଏହାର କଲମି ଚାରା କରି ବାହାର ଜିଲ୍ଲା ଏବଂ ରାଜ୍ୟକୁ ପଠାଉଛି। ଏପରିକି ଜାନକୀ ବାବୁ ଯେଉଁ ଗଛର ଆମ୍ବ ଖାଇଥିଲେ ତାହା ଏବେବି ଅଛି। ବହୁ ବାତ୍ୟା, ପବନକୁ ସହି ଗଛଟି ଅଛି। ଫାର୍ମ ଭିତରେ ଏହି କିସମର ବହୁ ଆମ୍ବ ଗଛ ଅଛି।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦର ଫାର୍ମକୁ ଚାରିଆଡୁ କାଟି ସଫା କରିବା ପରେ ଏବେ ପୂରା ଫାର୍ମକୁ ଉଜାଡ଼ି ଦେବାକୁ ଯୋଜନା ହୋଇଛି। ବିଜୁ, ଜାନକୀ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଥିଲେ ବି ଦୁହିଁଙ୍କର ପସନ୍ଦ କିନ୍ତୁ ଏହି ଫାର୍ମ ଥିଲା। ‌ଯେଉଁଥିପାଇଁ ଦୁହେଁ ଏହି ଫାର୍ମର ସର୍ବଦା ଉନ୍ନତି ଚାହୁଁଥିଲେ। କର୍ମଚାରୀମାନେ ଯେପରି ସବୁ ଗଛର ଠିକ୍‌ ଭାବେ ଯତ୍ନ ନେବେ, ଫଳର ବଜାରୀକରଣ ହୋଇପାରିବ, ସାରା ଦେଶରେ ଏହି ଆମ୍ବ ବିକ୍ରି ହେବ, ସବୁ ଜିଲ୍ଲାରେ ଏଠାରୁ ଚାରା ଯାଇ ବିକ୍ରି ହେବ ସେ ଯୋଜନା କରିଥିଲେ।

ଅପରପକ୍ଷରେ ଏହି ନିଷ୍ପତ୍ତି ପରେ ଏକାମ୍ର କାନନ ଫାର୍ମର ପ୍ରାୟ ୨୫ରୁ ଅଧିକ କର୍ମଚାରୀ ଅନିଶ୍ଚିତତା ଭିତରେ ରହିଛନ୍ତି। କର୍ମଚାରୀମାନେ କହିଛନ୍ତି ଯେ, ବିଜୁ ବାବୁ ଯେଉଁ ଫାର୍ମକୁ ଭଲ ପାଉଥିଲେ, କର୍ମଚାରୀଙ୍କ ଦୁଃଖ ବୁଝି ସେମାନଙ୍କ ମଜୁରି ଦିନେ ହଠାତ୍‌ ୧୧ଟଙ୍କାରୁ ୨୫ଟଙ୍କାକୁ ବଢ଼ାଇ ଦେଇଥିଲେ, ଏବେ ତାଙ୍କର ପୁଅ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ଫାର୍ମକୁ ନିଶ୍ଚିହ୍ନ କରିଦେବାକୁ ଯୋଜନା ହେଉଛି। କିଛିବର୍ଷ ତଳେ ନବୀନ ବାବୁ ଏହି ଫାର୍ମକୁ ଆମ୍ବ ମହୋତ୍ସବରେ ଯୋଗଦେବାକୁ ଆସିଥିବାବେଳେ ଏହାର ଉନ୍ନତୀକରଣ କରିବାକୁ କହିଥିଲେ। କିନ୍ତୁ ଏବେ ଏହାର ବିନାଶମଞ୍ଜି ପୋତୁଛି କିଏ?

ସମ୍ବନ୍ଧିତ ଖବର